Unknown

 

 

 

 

 

 

 

 

 

୪୩ତମ ସଂଖ୍ୟା କୋଣାର୍କ ୧୯୮୦

ଓଡ଼ିଶା ସାହିତ୍ୟ ଏକାଡେମୀ

 

କୋଣାର୍କ

ଓଡ଼ିଶା ସାହିତ୍ୟ ଏକାଡେମୀର ତ୍ରୈମାସିକ ମୁଖପତ୍ର)

 

ସମ୍ପାଦକମଣ୍ଡଳୀଙ୍କ ନାମ :

ଡଃ ସଚ୍ଚିଦାନନ୍ଦ ରାଉତରାୟ

ଅଧ୍ୟାପକ ରାଜକିଶୋର ରାୟ

ଡଃ ଗୋପୀନାଥ ମହାନ୍ତି

 

ପରିଚାଳନା ସମ୍ପାଦକ :

ରାଇଚରଣ ଦାସ

 

ଓଡ଼ିଶା ସାହିତ୍ୟ ଏକାଡେମୀ

ଭୁବନେଶ୍ୱର

 

ପ୍ରକାଶକ

ଓଡ଼ିଶା ସାହିତ୍ୟ ଏକାଡେମୀ

ମୁଦ୍ରଣ :

ପ୍ରଜାତନ୍ତ୍ର ପ୍ରେସ, କଟକ -୭୫୩୦୦୨

 

ସୂଚୀପତ୍ର

 

ବିଷୟ

 

ଓଡ଼ିଆ ପଦ୍ୟାବଳୀ

ଜାନକୀ ବଲ୍ଲଭ ମହାନ୍ତି (ଭରଦ୍ୱାଜ)

୨.

ଓଡ଼ିଶାରେ ସଂସ୍କୃତ କାବ୍ୟଧାରା

ଅଧ୍ୟାପକ ଡକ୍ଟର ବନମାଳୀ ରଥ

ରାଧାକୃଷ୍ଣ ତାମସ : ଏକ ଦୃଷ୍ଟିପାତ୍‌

ଡକ୍ଟର ମନୀନ୍ଦ୍ର ମହାନ୍ତି

ପୃଥିବୀ, ମୋତେ କର ହେ କ୍ଷମା

ରବି ସିଂ

ଖାଲି ଚଉକି

ସୌରୀନ୍ଦ୍ର ବାରିକ

ସ୍ଥତି

ଫନୀ ମହାନ୍ତି

ଝଡ଼

ଶ୍ରୀ ବିଜୟ ଭୂଷଣ ଷଡ଼ଙ୍ଗୀ

ଅଧା ସ୍ୱପ୍ନର ବାସ୍ନା

ଶ୍ରୀ ସୁରେଶ ପରିଡ଼ା

ଶତାବ୍ଦୀର ବ୍ୟବଚ୍ଛେଦ

ଶ୍ରୀ ଶକ୍ତି ପ୍ରସନ୍ନ ମିଶ୍ର

୧୦

ଲୁହ

ଶ୍ରୀ ରଘୁନାଥ ସାମଲ

୧୧

କୁଳ ବୁଡ଼ିଲା ବେଳକୁ

ଶ୍ରୀ ଜୟନ୍ତ କୁମାର ପଟ୍ଟନାୟକ

୧୨

ଶାମର ନଟକଣ

ଶ୍ରୀ ନନ୍ଦ କିଶୋର ଆଚାର୍ଯ୍ୟ

୧୩

ଏକାଡେମୀ ସମାଚାର

 

୧୪

ଲେଖକ ପରିଚିତି

 

୧୫

ସମ୍ପାଦକୀୟ

 

 

 

ଓଡ଼ିଆ ପଦ୍ୟାବଳୀ

ଜାନକୀ ବଲ୍ଲଭ ମହାନ୍ତି (ଭରଦ୍ୱାଜ)

 

‘ପଦ୍ୟାବଳୀ’ ଶବ୍ଦ ସର୍ବାଦୌ ସଙ୍ଗୀତ ଅର୍ଥରେ ଜୟଦେବଙ୍କ କୃଷ୍ଣଲୀଳାତ୍ମକ କାବ୍ୟ ‘ଗୀତଗୋବିନ୍ଦ’ରେ ବ୍ୟବହୃତ ହୋଇଥିବା ଜଣାଯାଏ । ଜୟଦେବ ସ୍ୱୀୟ ରଚନାକୁ ‘ଲଳିତ କୋମଳ କାନ୍ତ ପଦ୍ୟାବଳୀ’ ନାମରେ ଅଭିହିତ କରିଛନ୍ତି । ପରବର୍ତ୍ତୀ କାଳରେ ଗୋଡ଼ୀୟ ବୈଷ୍ଣବ କବିଗଣ ସେମାନଙ୍କ ରଚିତ ସଙ୍ଗୀତକୁ ‘ପଦ୍ୟାବଳୀ’ ଆଖ୍ୟାରେ ଅଭିହିତ କରିଥିଲେ । ଶ୍ରୀ ଚୈତନ୍ୟଙ୍କ ଅନ୍ତିମ ଜୀବନର ଅଠର ବର୍ଷ ଓଡ଼ିଶାରେ ଅତିବାହିତ ହୋଇଥିବାରୁ ତାହାଙ୍କ ଆଚାରିତ ଓ ପ୍ରଚାରିତ ଧର୍ମମତବାଦ ଓଡ଼ିଶାରେ ପ୍ରସାର ଲାଭ କରିଥିଲା । ଏହି ମାଧ୍ୟମରେ ବଙ୍ଗୀୟ ଓ ବଜ୍ରବୋଲି ଭାଷାରେ କୃଷ୍ଣଲୀଳାତ୍ମକ ଗୀତ ଓଡ଼ିଶାରେ ପ୍ରଚାରିତ ହେବା ସ୍ୱାଭାବିକ । ପରବର୍ତ୍ତୀ କାଳରେ ଓଡ଼ିଶାର କବିମାନେ ଏତାଦୃଶ ଗୀତ ରଚନାରେ ମନୋନିବେଶ କରିଥିଲେ । ଆଲୋଚନାର ସୁବିଧା ଦୃଷ୍ଟିରୁ ରାଧାକୃଷ୍ଣ ଲୀଳାତ୍ମକ ଏତାଦୃଶ ଗୀତକୁ ସଂପ୍ରତି ‘ପଦ୍ୟାବଳୀ’ ଭାବରେ ଅଭିହିତ କରାଯାଉଅଛି । ମାତ୍ର କୃଷ୍ଣଲୀଳାତ୍ମକ ଗୀତଗୁଡ଼ିକ ଓଡ଼ିଶାରେ ସାଧାରଣତଃ କୃଷ୍ଣଲୀଳା ଗୀତ ବା ଚୌପଦୀ ଭାବରେ ଚିହ୍ନିତ ହୋଇଥାଏ ।

 

ଶ୍ରୀ ଚୈତନ୍ୟଙ୍କ ସମକାଳରେ ତାହାଙ୍କ ପ୍ରଚାରିତ ପ୍ରେମଭକ୍ତି ମତବାଦ ଓଡ଼ିଶାରେ ରାଜସମର୍ଥନ ଲାଭ କରିଥିଲେହେଁ ଜନସାଧାରଣ ଏହାପ୍ରତି ଅଧିକ ଆକୃଷ୍ଟ ହୋଇପାରି ନଥିଲେ । ଶ୍ରୀ ଚୈତନ୍ୟ ସ୍ୱୟଂ ଅପଭ୍ରଂଶ ଓ ସଂସ୍କୃତ ଭାଷାରେ ଯେଉଁ କବିମାନଙ୍କ ରଚନାକୁ ଶ୍ରଦ୍ଧାର ସହିତ ଗାନ କରୁଥିଲେ ସେମାନେ ହେଉଛନ୍ତି ଚଣ୍ଡୀଦାସ, ବିଦ୍ୟାପତି, ରାୟରାମାନନ୍ଦ, ଜୟଦେବ (ଗୀତଗୋବିନ୍ଦ) ଓ ବିଲ୍ୱମ କାଳ (ଶ୍ରୀକୃଷ୍ଣ-କର୍ଣ୍ଣମୃତ) ପ୍ରଭୃତି କବିଗଣ । ବିଦ୍ୟାପତି, ଚଣ୍ଡୀଦାସ ଓ ରାୟରାମାନନ୍ଦ ପ୍ରଭୃତି ସେ ସମୟରେ ଯେଉଁ ଭାଷାରେ କୃଷ୍ଣଲୀଳାତ୍ମକ ଗୀତ ରଚନା କରିଥିଲେ ତାହା ବ୍ରଜବୋଲି ନାମରେ ବୈଷ୍ଣବ ସମାଜରେ ପରିଚିତ ଥିଲା । ଯେତେଦୂର ଜଣାଯାଏ, ଭାରତର ପୂର୍ବାଞ୍ଚଳୀୟ ସାହିତ୍ୟ କ୍ଷେତ୍ରରେ ମିଳିଥିବା କବି ବିଦ୍ୟାପତିହିଁ (ଖ୍ରୀ: ୧୩୭୦-୧୪୪୮) ସର୍ବାଦୌ ଏତାଦୃଶ ଗୀତ ରଚନା କରିଥିଲେ । ଚୈତନ୍ୟଙ୍କ ପରବର୍ତ୍ତୀ କବି ବଡ଼ୁ ଚଣ୍ଡୀଦାସ (୧୫ଶ ଶତାବ୍ଦୀ) ମଧ୍ୟ ସେହିପରି ବଙ୍ଗଭାଷାରେ ବହୁ ସଙ୍ଗୀତ ରଚନା କରିଥିଲେ । ଓଡ଼ିଶାରେ ପ୍ରେମଭକ୍ତି ଭାବଧାରାର ପ୍ରସାର ଫଳରେ ଉତ୍କଳୀୟ କବିଗଣ ସେହି ରୀତିରେ ଗୀତ ରଚନା ପ୍ରତି ଆକୃଷ୍ଟ ହେବା ସ୍ୱାଭାବିକ ।

 

ଯାହା ଜଣାଯାଇଅଛି ଶ୍ରୀ ଚୈତନ୍ୟଙ୍କ ସମସାମୟିକ ଉତ୍କଳୀୟ କବି ରାୟ ରାମାନନ୍ଦହିଁ ସର୍ବପ୍ରଥମେ ଏହି କୃତ୍ରିମ ବ୍ରଜବୋଲି ଭାଷାରେ କୃଷ୍ଣଲୀଳାତ୍ମକ ଗୀତ ରଚନା କରିଥିଲେ । ତାହାଙ୍କ ସମକାଳରେ ରାଜା ପ୍ରତାପରୁଦ୍ରଙ୍କ ମନ୍ତ୍ରୀ ଯଦୁପତି ଚମ୍ପତିରାୟ, ମାଧବୀ ଦାସୀ ପ୍ରଭୃତି ମଧ୍ୟ ଏତାଦୃଶ ଗୀତ ରଚନାରେ ଆପଣାର କୃତିତ୍ୱ ଦର୍ଶାଇ ଯାଇଛନ୍ତି । କାଳକ୍ରମେ ବ୍ରଜବୋଲି ଭାଷା ପରିବର୍ତ୍ତେ ଓଡ଼ିଆଭାଷାରେ କୃଷ୍ଣଲୀଳାତ୍ମକ ଗୀତ ରଚନା ପ୍ରବର୍ତ୍ତିତ ହୋଇଥିଲା । ଶ୍ରୀକୃଷ୍ଣଙ୍କ ରାସଲୀଳାକୁ ଭିତ୍ତିକରି ଗୀତ ରଚନାରେ ସର୍ବାଦୌ ମନୋନିବେଶ କରିଥିଲେ କବି ବନମାଳୀ ଦାସ (ଷୋଡ଼ଶ ଶତାବ୍ଦୀ) । ଏହି ଯୁଗରେ ସ୍ୱଳ୍ପ ହେଲେହେଁ କେତେକ କୃଷ୍ଣଳୀଳାଶ୍ରୟୀ ଗୀତ ରଚନା କରିଥିଲେ ଯବନ କବି ସାଲବେଗ ।

 

ଓଡ଼ିଶାର ବିଶିଷ୍ଟ ପଞ୍ଚ ଭକ୍ତକବି ଜଗନ୍ନାଥ ଦାସ, ବଳରାମ ଦାସ ପ୍ରଭୃତିଙ୍କ ଗୀତ ରଚନାରେ ରାଧାକୃଷ୍ଣଙ୍କ ପ୍ରଣୟଲୀଳାର ବର୍ଣ୍ଣନା ସ୍ଥାନ ପାଇନାହିଁ । ପରନ୍ତୁ ସେମାନେ ରାଧାକୃଷ୍ଣଙ୍କ ଯୁଗମିଳନ ପ୍ରସଙ୍ଗକୁ ଧ୍ୟାନରେ ଅନୁଭବ କରିବା ବିଷୟ ସେମାନଙ୍କ ଗୀତାବଳୀରେ ଉଲ୍ଲେଖ କରିଯାଇଅଛନ୍ତି (୧) ।

 

ସପ୍ତଦଶ ଶତାବ୍ଦୀରେ ଫକୀର ଭଞ୍ଜ ପ୍ରଭୃତି ମୁଷ୍ଟିମେୟ କବି କୃଷ୍ଣଲୀଳାତ୍ମକ ଗୀତ ରଚନା କରିଥିଲେ ହେଁ ଏତାଦୃଶ ଗୀତ-ରଚୟୀତା ଭାବେ ଦୀନକୃଷ୍ଣ ଦାସ, ଦୀନବନ୍ଧୁ ରାଜ ହରିଚନ୍ଦନ ସୁପ୍ରସିଦ୍ଧ ।

 

ଅଷ୍ଟଦଶ ଶତାବ୍ଦୀରେ ଏତାଦୃଶ ଗୀତରଚନା ଉତ୍କଳୀୟ ଜନସମାଜରେ ସମାଦର ଲାଭ କରିଥିବା ଅନୁମେୟ । ଏତାଦୃଶ ଗୀତ ନ ଲେଖିଥିବାରୁ ଏଣୁ ଏହି ଶତାବ୍ଦୀର ବିଶିଷ୍ଟ କବି ଉପେନ୍ଦ୍ର ଭଞ୍ଜ ଖେଦୋକ୍ତି ପ୍ରକାଶ କରିଥିଲେ (୨) । ତଥାପି ତାହାଙ୍କ ରଚିତ ଏତାଦୃଶ ୮/୧୦ ଗୋଟି ଗୀତର ସନ୍ଧାନ ମିଳିଅଛି । (୩) । ଏହି ଶତାବ୍ଦୀର ଅନ୍ୟତମ ବିଶିଷ୍ଟ ବୈଷ୍ଣବ ଗୀତ ରଚୟିତା ହେଉଛନ୍ତି ସଦାନନ୍ଦ କବିସୂର୍ଯ୍ୟ ବ୍ରହ୍ମା ।

 

(୧) ‘ମାଳା ଭଜୁଛୁରେ ଭଜନ ରହିବ ନାହିଁ ।୦।

ତୁ କିସ ଭଜିବୁ            ଭଜନ ଲାଗିଛି

ତ୍ରିକୁଟ ସନ୍ଧିରେ ଯାଇ

ତ୍ରୀଭଙ୍ଗିମା ରୂପ            ଲୟ ତୁହି କଲେ

ରାଧାକୃଷ୍ଣ ଭେଟ ପାଇ ।’

(ଅଚ୍ୟୁତାନନ୍ଦ)

 

(୨)‘କବିସୁତ ଅନ୍ତରେ ଯେ ଏମନ୍ତ ଭାବିତ

କଲି କାମିନୀ ବର୍ଣ୍ଣନା କରି ବହୁ ଗୀତ

କେଉଁ କାର୍ଯ୍ୟ ଅଛି ତହିଁ କୃଷ୍ଣ କଥା ଥାଉ

କଳ୍ପୁଛି ଯାହା ଅବିଘ୍ନେ ସମାପିତ ହେଉ ।’ ।

(କଳା କଉତୁକ ୧ମ\୪ମପଦ)

 

ଅଷ୍ଟାଦଶ ଶତାବ୍ଦୀର ଶେଷଭାଗରୁ ଊନବିଂଶ ଶତାବ୍ଦୀର ମଧ୍ୟଭାଗ ପର୍ଯ୍ୟନ୍ତ ସମୟକୁ ଓଡ଼ିଆ ସାହିତ୍ୟର ସଙ୍ଗୀତଯୁଗ କୁହାଯାଇଥାଏ । ଅଷ୍ଟାଦଶ ଶତକର ଶେଷଭାଗର କବି ବନମାଳୀ ଦାସ, ରାମକୃଷ୍ଣ ପଟ୍ଟନାୟକ, କୃଷ୍ଣଲୀଳାତ୍ମକ ଗୀତ ରଚୟିତା ଭାବେ ସୁପ୍ରସିଦ୍ଧ । ଏମାନଙ୍କର ସମସାମୟିକ କବି ବ୍ରଜନାଥ ମଧ୍ୟ କେତୋଟି ଗୀତରଚନା କରିଥିଲେ । ତାହାଙ୍କର ଏତାଦୃଶ ୭ଟି କବିତା ଗ୍ରନ୍ଥାବଳୀରେ ସନ୍ନିବେଶିତ । ଉନବିଂଶ ଶତାବ୍ଦୀରୁ ରାଧାକୃଷ୍ଣ ପ୍ରେମଲୀଳା ଓଡ଼ିଆ କବିମାନଙ୍କ ଲାଗି ଏକ ଉପାଦେୟ କାବ୍ୟ ଉପାଦାନ ଭାବେ ପରିଗୃହୀତ ହୋଇଯାଇଥିଲା । ଏହି ଶତାବ୍ଦୀରେ ଇଂରାଜୀ ଶିକ୍ଷାରୁ ମୁକ୍ତ ରହି ଯେଉଁ କବିମାନେ ରାଧାକୃଷ୍ଣ ଲୀଳାତ୍ମକ ଗୀତ ରଚନାରେ ସବିଶେଷ କୃତିତ୍ୱ ଦର୍ଶାଇଥିଲେ ସେମାନେ ହେଉଛନ୍ତି ଅଭିମନ୍ୟୁ ସାମନ୍ତସିଂହାର (୧୭୫୭-୧୮୦୬), ଗୋପାଳକୃଷ୍ଣ ପଟ୍ଟନାୟକ (୧୭୮୫-୧୮୬୨), କବିସୂର୍ଯ୍ୟ ବଳଦେବ ରଥ (୧୭୭୯-୧୮୪୫), ‘କୀର୍ତ୍ତନପଦୀ’ ରଚୟିତା ଭୁବନେଶ୍ୱର କବିଚନ୍ଦ୍ର (୧୭୬୮-୧୮୧୪), ସୋମନାଥ ସିଂହ (୧୮୧୪-୧୮୫୩), ଗୌରଚରଣ ଅଧିକାରୀ (୧୮୧୪-୧୮୯୦), ହନୁମାନ ରାୟଗୁରୁ (୧୮୨୭-୧୮୯୧), ଗୋବିନ୍ଦ ରାୟଗୁରୁ (୧୮୬୧-୧୯୦୧), ହରିବନ୍ଧୁ ବେବର୍ତ୍ତା ପଟ୍ଟନାୟକ (୧୮୨୬-୧୮୯୬), କିଶୋରଚନ୍ଦ୍ର ରାଜେନ୍ଦ୍ର, ରାଧାମାଧବ ବିଳାସ, ସଂଗୀତ କୃଷ୍ଣଲୀଳା ପ୍ରଣେତା ରଘୁନାଥ ପରିଚ୍ଛା (୧୮୦୨-୧୮୭୨), ଗୌରହରି ପରିଚ୍ଛା (୧୯ଶ ଶତାବ୍ଦୀର ମଧ୍ୟଭାଗ), ରାଧାପ୍ରେମଲୀଳା, କୃଷ୍ଣଲୀଳା (ରଚନାକାଳ ୧୮୫୧-୫୫) ରଚୟିତା ବିଶ୍ୱମ୍ବର ରାଜେନ୍ଦ୍ର ପ୍ରଭୃତିଙ୍କ ନାମ ଉଲ୍ଲେଖଯୋଗ୍ୟ । ଏତଦ୍‌ବ୍ୟତୀତ ଏହି ଶତକରେ ନାରାୟଣ ପଟ୍ଟନାୟକ, ନିତ୍ୟାନନ୍ଦ, ନୀଳମଣି ରାୟ, ପଙ୍କଜ ଚରଣ, ମହେନ୍ଦ୍ର ସିଂହ ସାମନ୍ତ (ଜ: ୧୮୭୮), ମାନଗୋବିନ୍ଦ ହୋତା ପ୍ରଭୃତି ବହୁ ଗୀତିକାର ରାଧାକୃଷ୍ଣ ଲୀଳା ସମ୍ବଳିତ ବହୁ ସଙ୍ଗୀତ ରଚନା କରି ଯାଇଛନ୍ତି ।

 

ଏ ସଂପର୍କରେ ଏହା ଉଲ୍ଲେଖଯୋଗ୍ୟ ଯେ ଦକ୍ଷିଣ ଓଡ଼ିଶାରେ ରାଧାପ୍ରେମ ଲୀଳା ଓ କୃଷ୍ଣଲୀଳା ପ୍ରଭୃତି ଅଧିକ ପ୍ରଚଳିତ ଓ ସମାଦୃତ ହୋଇଥିଲା । ଏଣୁ ଦକ୍ଷିଣ ଓଡ଼ିଶାର ବହୁ ସ୍ୱନାମଧନ୍ୟ କବିହିଁ ଏଥିପାଇଁ ବହୁ ସଙ୍ଗୀତ ରଚନା କରିଯାଇଛନ୍ତି ।

 

(୩) ଉପେନ୍ଦ୍ର ଭଞ୍ଜଙ୍କ ରଚିତ ଏତାଦୃଶ ଗୀତଗୁଡ଼ିକର ଆଦ୍ୟଛତ୍ର ହେଉଛି ‘ଶ୍ରୀମତୀ ଶ୍ରୀପତି ବୃନ୍ଦାବନେ କେଳି ରଚିଲେ, କମଳଲୋଚନୀ କରିଛି ମାନ, ଦୂତୀ କହିବୁ ଗୋ, କହ କି ବୁଦ୍ଧ କରିବି, ସଙ୍ଗାତ ମନା କଲୁପରା, କାଲି ରଜନୀ ଗୋ, ମଲ୍ଲୀମାଳ ଶ୍ୟାମକୁ ଦେବୀ, ନ ଅନାଅ ସୁନା ବରନା, ପରମାନନ୍ଦକୁ ପଚାରିବୁ ସଖୀ ।

 

ଚଳିତ ଶତାବ୍ଦୀରେ ମଧ୍ୟ ଏତାଦୃଶ ଗୀତରଚନାର ବିରାମ ହୋଇନାହିଁ । ବାବାଜୀ ବୈଷ୍ଣବ ଚରଣ ଦାସ, (ବେଣୁଧର ପଟ୍ଟନାୟକ), ପାର୍ବତୀ ଚରଣ ଦାସ, ଜଗବନ୍ଧୁ ସିଂହ, ମୋହନ ସୁନ୍ଦର ଦେବ ଗୋସ୍ୱାମୀ, କାଳୀଚରଣ ପଟ୍ଟନାୟକ, ଲୋକନାଥ ପଟ୍ଟନାୟକ ପ୍ରଭୃତି ବହୁ ବୈଷ୍ଣବଭାବାପନ୍ନ ତଥା ଅବୈଷ୍ଣବ କବି ମଧ୍ୟ ଏତାଦୃଶ ଗୀତ ରଚନାରେ ମନୋନିବେଶ କରିଛନ୍ତି-

 

ଓଡ଼ିଆ ପଦ୍ୟାବଳୀ ବା ରାଧାକୃଷ୍ଣ ଲୀଳାତ୍ମକ ଗୀତ ଓଡ଼ିଶାର ସଂଗୀତ ବା ଚଉପଦୀର ଆଙ୍ଗିକଦ୍ୱାରା ବିଶେଷଭାବେ ପ୍ରଭାବିତ । ପ୍ରଥମେ ଘୋଷାପଦ ପରେ ୪।୫ଟି ଅନ୍ତରାପଦ ରହିବା ଏହାର ଏକ ସାଧାରଣ ବିଧି । ଗୀତର ଶେଷ ପଦରେ ଭଣିତା ବା କବିଙ୍କ ନାମର ଉଲ୍ଲେଖ ହୋଇଥାଏ । ଏହି ଗୀତଗୁଡ଼ିକ ସାଧାରଣତଃ ଉକ୍ତିପ୍ରତ୍ୟୁକ୍ତି ମୂଳକ । ବୈଷ୍ଣବ କବିତାର ରଚନା କାଳ ଥିଲା ଓଡ଼ିଆ ସାହିତ୍ୟର ରୀତିପ୍ରଧାନ ଯୁଗ । ଏଣୁ ଏହି କବିତାରେ ପ୍ରଚୁର ଆଳଙ୍କରିକତା ଦେଖିବାକୁ ମିଳେ । ଅଳଙ୍କାରର ଆତିଶଯ୍ୟ ଯୋଗୁଁ ସ୍ଥାନେ ସ୍ଥାନେ ସଙ୍ଗୀତର ସୌନ୍ଦର୍ଯ୍ୟ ଯେ କ୍ଷୁର୍ଣ୍ଣ ହୋଇଛି ଏହା କହିବା ଅନାବଶ୍ୟକ । ମାତ୍ର ଅଳଙ୍କାରର ଆନୁପାତିକ ସଂଯୋଜନା କେତେକ ଗୀତକୁ ଅଧିକ ସୌନ୍ଦର୍ଯ୍ୟ ସଂପନ୍ନ କରିଅଛି । ମୋଟାମୋଟି ଭାବେ କେତେକ ପଦ୍ୟାବଳୀରେ ଅନୁପ୍ରାସ, ଯମକ ପ୍ରଭୃତି ଶବ୍ଦାଳଙ୍କାର ଓ ଉପମା, ରୂପକ, ଉତ୍‌ପ୍ରେକ୍ଷା ପ୍ରଭୃତି ଅର୍ଥାଳଙ୍କାର ସୁଷ୍ଠ ପ୍ରୟୋଗ ତାହାକୁ ଉଚ୍ଚକୋଟୀର ଉନ୍ନୀତ କରାଇ ପାରିଛି ।

 

ଓଡ଼ିଶାରେ ବ୍ରଜବୋଲି ଭାଷାରେ ଅଧିକ ପଦ୍ୟାବଳୀ ରଚିତ ହୋଇପାରି ନାହିଁ । ଊନବିଂଶ ଶତାବ୍ଦୀର ମଧ୍ୟଭାଗ ପର୍ଯ୍ୟନ୍ତ ବଙ୍ଗୀୟ ବୈଷ୍ଣବ କବିମାନଙ୍କ ମଧ୍ୟରୁ କେହି କେହି ବ୍ରଜବୋଲି ଭାଷାରେ ଓ କେତେକ କବି ବଙ୍ଗଭାଷାରେ ଗୀତ ରଚନା କରିଥିଲେହେଁ ଓଡ଼ିଆ କବିମାନେ ମୁଖ୍ୟତଃ ଓଡ଼ିଆ ଭାଷାରେହିଁ ଗୀତ ରଚନାକୁ ଶ୍ରେୟସ୍କର ମନେ କରିଛନ୍ତି । ଗୌରଚରଣ ଅଧିକାରୀଙ୍କ ପରେ ଅନ୍ୟ କୌଣସି ଉତ୍କଳୀୟ କବି ବ୍ରଜବୋଲି ଭାଷାରେ ବୈଷ୍ଣବୀୟ ଗୀତ ରଚନା କରିଥିବା ଜଣାଯାଏ ନାହିଁ ।

 

ପଦ୍ୟାବଳୀ ବା କୃଷ୍ଣଲୀଳାତ୍ମକ ଗୀତ ଗାନ ହେବା ଉଦ୍ଦେଶ୍ୟରେହିଁ ରଚିତ । ଓଡ଼ିଶାରେ ଏହା ମୁଖ୍ୟତଃ ରାସ, ଝୁଲଣ, ଲୀଳା, କୀର୍ତ୍ତନବେଳେ ବୋଲା ଯାଇଥାଏ । ଗୋଟିପୁଅ (ସଖୀନାଟ)ମାନେ ଏହି ଗୀତଗୁଡ଼ିକ ନୃତ୍ୟ ସହ ଗାଇ ଶୁଣାଇଥାନ୍ତି । ଏହି ଗୀତଗୁଡ଼ିକ ବୈଠକୀ ସଙ୍ଗୀତ ଭାବେ ବୋଲାଯାଇଥାଏ । ପାଲାକାରମାନେ ମଧ୍ୟ ପାଲାରେ ଏହାକୁ ବ୍ୟବହାର କରିଥାନ୍ତି-। ସ୍ୱର-ଯୋଜନା ଯୋଗୁଁ ଏହି ଗୀତଗୁଡ଼ିକ ଯେପରି ସୁଗେୟ ସେହିପରି ସାହିତ୍ୟିକ କୃତି ଭାବେ ସୁପାଠ୍ୟ ଓ ସୌଷ୍ଠବଯୁକ୍ତ । ସାଧାରଣତଃ ଚୌପଦୀର ରାଗ ଓ ତାଳ ସମୂହ ଏଥିରେ ବ୍ୟବହୃତ ହୋଇଥାଏ । କେତେକ ବୈଷ୍ଣବ କବି ସଂସ୍କୃତ ମାତ୍ରାବୃତ୍ତ ଛନ୍ଦରେ ପଦ୍ୟାବଳୀ ଲେଖିବାକୁ ପ୍ରୟାସ କରିଛନ୍ତି । ମାତ୍ର ଓଡ଼ିଆ ଉଚ୍ଚାରଣରେ ହ୍ରସ୍ୱ ଦୀର୍ଘ ଭେଦ ନ ଥିବାରୁ ଏହି ବୃତ୍ତ ଜନପ୍ରିୟତା ଅର୍ଜନ କରିପାରି ନାହିଁ ।

 

ଓଡ଼ିଶାରେ ଅନୁଷ୍ଠିତ ହେଉଥିବା ବସନ୍ତ ଓ ଶରଦକାଳୀନ ରାସୋତ୍ସବ ନିମନ୍ତେ କେତେକ କବି ବସନ୍ତ ରାସ ଓ ଶରଦ ରାସ ଗୀତ ରଚନା କରି ଯାଇଛନ୍ତି । ତନ୍ମଧ୍ୟରୁ ପିଣ୍ଡିକି ଶ୍ରୀଚନ୍ଦନଙ୍କ ବସନ୍ତ ରାସ ଓ ବିଶ୍ୱମ୍ବର ରାଜେନ୍ଦ୍ର ଓ ଗୌରୀଚରଣଙ୍କ ଶରଦରାସର ନାମ ଉଲ୍ଲେଖଯୋଗ୍ୟ । ରାସଲୀଳା ମାଧ୍ୟମରେ ଏହି ସଙ୍ଗୀତଗୁଡ଼ିକ ଗୀତ ହେବା ସମୟରେ ଗାୟକ ଓ ଶ୍ରୋତାମାନଙ୍କ ମଧ୍ୟରେ ସମପ୍ରାଣତା ଓ ଏକାତ୍ମତା ସୃଷ୍ଟି ହୋଇଥାଏ ।

 

ଏହିସବୁ ଗୀତରେ ରାଧାକୃଷ୍ଣଙ୍କ ରୂପ ଶୋଭା, ନବାନୁରାଗ, ଘାଟଲୀଳା, ଗୋଧନ ବାହୁଡ଼ା, ମାନ, ଶ୍ରୀକୃଷ୍ଣଙ୍କ ଚାଟୁକ୍ତି, ବିରୋହତ୍କଣ୍ଠା, ଯୁଗଳ ମିଳନ, ଆକ୍ଷେପାନୁରାଗ, ମୁଖାପରିହାସ, ସଖୀ ପରିହାସ, ହୋରି, ଅଷ୍ଟକାଳସେବା ପ୍ରଭୃତି ପ୍ରସଙ୍ଗ ସରସ ଓ ସୁଲଳିତ ଭାଷାରେ ବର୍ଣ୍ଣିତ ହୋଇଅଛି । ଶ୍ରୀକୃଷ୍ଣଙ୍କ ବାତ୍ସଲ୍ୟ ରସାତ୍ମକ ଗୀତ ମଧ୍ୟ ଏତାଦୃଶ ଗୀତପର୍ଯ୍ୟାୟଭୁକ୍ତ । ସଖୀକୁ ସମ୍ବୋଧନ ଛଳରେ ରାଧା ଓ କୃଷ୍ଣଙ୍କ ମାନସିକ ଅବସ୍ଥାର ଚିତ୍ରହିଁ ମୁଖ୍ୟତଃ ଏହିସବୁ ଗୀତିକାରେ ବର୍ଣ୍ଣିତ । କେତେକ କବିତାରେ କୌଣସି ଏକ ସଖୀ ବା ସଖୀ ସମୂହଙ୍କର ରାଧା ଅଥବା କୃଷ୍ଣଙ୍କ ପ୍ରତି ଭକ୍ତିର ବର୍ଣ୍ଣନା ଥାଏ । ଓଡ଼ିଆ କୃଷ୍ଣଲୀଳାତ୍ମକ ଗୀତାମାନଙ୍କରେ ଶ୍ରୀକୃଷ୍ଣଙ୍କ ଚାଟୁକ୍ତି ମୂଳକ ଗୀତର ସଂଖ୍ୟା ସର୍ବାଧିକ ମନେହୁଏ । ମାତ୍ର ସଂଖ୍ୟା ଦୃଷ୍ଟିରୁ ଶ୍ରୀରାଧାଙ୍କ ଅପେକ୍ଷାନୁରାଗ ବା ପ୍ରେମ ବୈଚିତ୍ତମୂଳକ ଗୀତ ସ୍ୱଳ୍ପତମ । ଶ୍ରୀଚୈତନ୍ୟଙ୍କ ବନ୍ଦନା ଅଥବା ତାହାଙ୍କ ଜୀବନ ଚରିତମୂଳକ ଗୀତର ସଂଖ୍ୟା ମଧ୍ୟ ସ୍ୱଳ୍ପ ।

 

ଇଂରାଜୀ ଗୀତିକାବ୍ୟ ରୂପ ସମୂହ ପ୍ରଚଳିତ ହେବା ପୂର୍ବରୁ ଓଡ଼ିଶାର ମଧ୍ୟକାଳୀନ ବହୁକବି ଏହି କୃଷ୍ଣଲୀଳାତ୍ମକ ଗୀତ ମାଧ୍ୟମରେ ସେମାନଙ୍କର କଳ୍ପନା ଓ ଜୀବନାନୁଭୂତିକୁ ପ୍ରକାଶ କରିଯାଇଛନ୍ତି । ଏହି କବିତାଗୁଡ଼ିକରେ ରାଧାକୃଷ୍ଣ ଓ ତାହାଙ୍କ ସଖୀଙ୍କର ପ୍ରଚୁର ଭାବାବେଗ ଅଭିବ୍ୟକ୍ତ ଲାଭ କରିଅଛି । ମାତ୍ର ଏହି ଭାବାବେଗ ଓ ଜନାନୁଭୂତିର ଏକ ସଂକୀର୍ଣ୍ଣ ପରିସରରେ ସୀମିତ । ପ୍ରେମ, ବାତ୍ସଲ୍ୟ, ସଖ୍ୟ ବ୍ୟତୀତ ଅନ୍ୟ ଅନୁଭୂତିର ଚିତ୍ର ଏଥିରେ ବିରଳ । ଏପରିକି ବହିର୍ପ୍ରକୃତିର ଚିତ୍ର ମଧ୍ୟ ଏତାଦୃଶ କବିତାରେ ଗୌଣ ହୋଇଯାଇଛି । ଏଣୁ ପଦ୍ୟାବଳୀର ବିଷୟବସ୍ତୁ ଅତି ସଂକୀର୍ଣ୍ଣ କୁହାଯାଇ ପାରେ ।

 

ବୈଷ୍ଣବ ସାଧକ କବିମାନଙ୍କ ପକ୍ଷେ ଏହି କବିତାର ପ୍ରେରଣାର ଉତ୍ସ ଦିବ୍ୟ ବା ଅତିନମନୀୟ କୁହାଯାଇଥାଏ । କେହି କେହି ଏହାକୁ ରୂପକଧର୍ମୀ, ରହସ୍ୟବାଦୀ ଓ ଆଧ୍ୟାତ୍ମିକ ବ୍ୟଞ୍ଜନାପର୍ଣ୍ଣ କବିତା ଓ ବୈଷ୍ଣବ ଭକ୍ତ କବିମାନଙ୍କ ଦିବ୍ୟାନୁଭୂତି ଓ ଧର୍ମ ବିଶ୍ୱାସର ପରିଣାମ ବୋଲି କହିଥାନ୍ତି । ମାତ୍ର ଅଧିକ ସଂଖ୍ୟକ କବି ରାଧାକୃଷ୍ଣ, ସଖୀ ଓ ଯଶୋଦାଙ୍କ ଅନୁଭୂତି ସମ୍ବଳିତ କବିତାକୁ ମାନବିକ ଅନୁଭୂତି କ୍ରମରେ ଶ୍ରୀକୃଷ୍ଣ ଆରାଧନା ଭାବରେ ଚିତ୍ରଣ କରିଯାଇଛନ୍ତି । ଶ୍ରୀକୃଷ୍ଣଙ୍କ ବ୍ରଜଲୀଳା ତତ୍ତ୍ୱ ଦୃଷ୍ଟିରୁ ଯାହା ହେଉନା କାହିଁକି ସମାଜର ସାଧାରଣ ପାଠକ ମାନବିକ ରୀତିରେ ବର୍ଣ୍ଣିତ ଏହି ଗୀତଗୁଡ଼ିକୁ ଶ୍ରଦ୍ଧାର ସହିତ ଗ୍ରହଣ କରି ନେଇଛନ୍ତି । ରାଧାକୃଷ୍ଣ ଲୀଳା ପ୍ରସଙ୍ଗ ମୁଖ୍ୟତଃ ମାନବିକ ଆବେଦନ ସମ୍ବଳିତ ଥିବାରୁ ଅଧିକାଂଶ ଓଡ଼ିଆ କବି ଏହାକୁ କାବ୍ୟ ସୃଷ୍ଟିର ଉପାଦାନ ରୂପେ ଗ୍ରହଣ କରି ନେଇଥିଲେ ।

 

ଯାହାହେଉ, ଓଡ଼ିଶାରେ ଜଗନ୍ନାଥ ଉପାସନାର ପ୍ରାଧାନ୍ୟ ଯୋଗୁଁ ଚୈତନ୍ୟଙ୍କ ପ୍ରଚାରିତ ପ୍ରେମ-ଭକ୍ତିତତ୍ତ୍ୱ ଆଶାନୁରୂପ ପ୍ରାଧାନ୍ୟ ଲାଭ କରିପାରି ନଥିଲା । ଫଳତଃ ପ୍ରେମଭକ୍ତି ସମ୍ବଳିତ ଏତାଦୃଶ ଗୀତିରଚନା ପରିଣାମ ଦୃଷ୍ଟିରୁ ବିଶେଷ ମନେହୁଏ ନାହିଁ ।

 

***

 

ଓଡ଼ିଶାରେ ସଂସ୍କୃତ କାବ୍ୟଧାରା

ଅଧ୍ୟାପକ ଡକ୍ଟର ବନମାଳୀ ରଥ

 

ଯୁଗେ ଯୁଗେ ମଣିଷ ନିଜକୁ ଓ ତା’ର ପାରିପାର୍ଶ୍ୱିକ ବିଶ୍ୱକୁ ସାହିତ୍ୟ ମାଧ୍ୟମରେ ଆବିଷ୍କାର କରିଥାଏ । ଏହି ଆବିଷ୍କାର ମଧ୍ୟରେ ସେ ଉପଲବ୍‌ଧି କରେ, ଗୋଟିଏ ବିଚିତ୍ର ଆନନ୍ଦାନୁଭୂତି । ଆନନ୍ଦ ପ୍ରାପ୍ତିହିଁ ମଣିଷ ଜୀବନର ଚରମ ଲକ୍ଷ ହୋଇଥିବାରୁ ସେହି ଆକାଂକ୍ଷା ଓ ଦୂର୍ବାର ଅଭିଳାଷକୁ ଚରିତାର୍ଥ କରିବା ପାଇଁ; କ୍ରାନ୍ତଦର୍ଶୀ କବି ମନର ସୃଜନଶୀଳ ପ୍ରତିଭା ଶକ୍ତି, ସୃଷ୍ଟି କରିଛି କମନୀୟ କାବ୍ୟକଳା । ହଜାର ହଜାର ବର୍ଷ ଧରି ଭାରତରେ ଏହି କାବ୍ୟ ରଚନା, ଆଲୋଚନା, ଅଧ୍ୟୟନ ଓ ଅଧ୍ୟପନ ଫଳରେ ଏଠାରେ ଯେଉଁ କାବ୍ୟିକ ପରମ୍ପରା ସୃଷ୍ଟି ହୋଇଛି ତାହାର ପରିଣାମସ୍ୱରୁପ ବିଭିନ୍ନ ଯୁଗୀୟ ଅସଂଖ୍ୟ କବିଙ୍କ ଅଦ୍‌ଭୁତ କଳ୍ପନା ଚାତୁରୀକୁ ଗୀର୍ବାଣବାଣୀର ସାରସ୍ୱତ ଭଣ୍ଡାର ହୋଇଛି ବିମଣ୍ଡିତ ଓ ପରିପୂର୍ଣ୍ଣ । ସଂସ୍କୃତ ସାହିତ୍ୟର ଏହି ମହାନ ସୃଷ୍ଟି ସମ୍ପଦର ଉତ୍ତରୋତ୍ତର ଅଭିବୃଦ୍ଧି ସାଧନରେ ଓଡ଼ିଶାର ବିପୁଳ ଅବଦାନ ମଧ୍ୟ ଉଲ୍ଲେଖଯୋଗ୍ୟ ।

 

ଓଡ଼ିଶାର ସଂସ୍କୃତ କାବ୍ୟ-ସାହିତ୍ୟର ଧାରା ଅନୁସନ୍ଧାନ କରିବାକୁ ଗଲେ ପ୍ରଥମେ କାବ୍ୟ ରଚନା ଶୈଳୀରେ ସମୃଦ୍ଧ କେତେକ ଶିଳାଲେଖ, ତାମ୍ରଶାସନ ଓ ଦାନପତ୍ର ଆମ ଦୃଷ୍ଟି ଆକର୍ଷଣ କରେ । ଓଡ଼ିଶାର ଇତିହାସରୁ ଜଣାଯାଏ ଯେ, ଖ୍ରୀଷ୍ଟୀୟ ଚତୁର୍ଥ ଶତାବ୍ଦୀରୁ ଷୋଡ଼ଶ ଶତାବ୍ଦୀ ପର୍ଯ୍ୟନ୍ତ ଅବିଚ୍ଛିନ୍ନ ଭାବରେ ଓଡ଼ିଶାରେ ଯଥାକ୍ରମେ ମାଠର, ନଳ, ମୌଦ୍‌ଗଳ, ଶୈଳୋଦ୍‌ଭବ, ଭୌମକର, ସୋମବଂଶୀ, ଗଙ୍ଗ ଓ ସୂର୍ଯ୍ୟବଂଶୀ ରାଜାମାନେ ରାଜତ୍ୱ କରୁଥିଲେ । ସେମାନଙ୍କ ଶିଳାଲେଖ ଓ ତାମ୍ରଶାସନ ଇତ୍ୟାଦିରେ ସଂସ୍କୃତ ଭାଷାର ଆକୁଣ୍ଠ ବ୍ୟବହାର ଦେଖିବାକୁ ମିଳେ । ସେଥିରେ ସଂସ୍କୃତ ଗଦ୍ୟକାବ୍ୟ ଓ ପଦ୍ୟ-କାବ୍ୟ ଶୈଳୀର ସମୁନ୍ନତରୂପ ଦୃଷ୍ଟିଗୋଚର ହୁଏ ।
 

ସେହିଭଳି ଅଭିଲେଖାତ୍ମକ ଉପାଦାନମାନଙ୍କରୁ ଓଡ଼ିଶାରେ ସଂସ୍କୃତ କାବ୍ୟଧାରାର ଯେଉଁ ସୂଚନା ମିଳେ ତାହା କିପରି ଓଡ଼ିଶାର ଶତାଧିକ ସଂସ୍କୃତ କାବ୍ୟକାର ଓ କାବ୍ୟମାନଙ୍କଦ୍ୱାରା ସମୃଦ୍ଧ ହୋଇ ପାରିଛି, ତାହାର ଗୋଟିଏ ସଂକ୍ଷିପ୍ତ ବିବରଣୀ ଏଠାରେ ଉପସ୍ଥାପିତ କରାଯାଉଛି ।

 

ନାରାୟଣ ସତ୍‌କବି (ଏକାଦଶ ଶତାବ୍ଦୀ) :

ସମ୍ବଲପୁର ଅଞ୍ଚଳର ପୂଜାରୀ ପାଲି ଗାଁରୁ ଆବିଷ୍କୃତ ଶିଳାଲେଖର ୪୩ ଶ୍ଳୋକରେ ନାରାୟଣ ସତ୍‌କବିଙ୍କ ଅନନ୍ୟ ସାଧାରଣ କବିତ୍ୱ ଓ ତାଙ୍କଦ୍ୱାରା ରଚିତ ରାମାଭ୍ୟୁଦୟ କାବ୍ୟର ଉଲ୍ଲେଖ ରହିଛି । ଏକାଦଶ ଶତାବ୍ଦୀର କୌଣସି ସୋମବଂଶୀ ରାଜାଙ୍କର ଜଣେ ରାଜକର୍ମଚାରୀ ଶ୍ରୀ ଗୋପାଳବୀରଙ୍କ ପ୍ରଶସ୍ତି ଏଥିରେ ବର୍ଣ୍ଣିତ । କେହି କେହି ବିଶ୍ୱନାଥ କବିରାଜଙ୍କ ବୃଦ୍ଧ ପ୍ରପିତାମହ କବିରାଜ ଶ୍ରୀ ନାରାୟଣ ଦାସଙ୍କ ସହ ଏହି ସତ୍‌କବିଙ୍କୁ ଚିହ୍ନିତ କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ସେ ଦୁଇ କବିଙ୍କ ମଧ୍ୟରେ ଦୁଇ ଶତାବ୍ଦୀର କାଳଗତ ବ୍ୟବଧାନ ଥିବାରୁ ତାହା ଗ୍ରହଣୀୟ ନୁହେଁ । ନାରାୟଣ ସତ୍‌କବି ଯେ ଜଣେ ଅସାଧାରଣ ପ୍ରତିଭାଧର କବି ଥିଲେ, ଉଲ୍ଲେଖିତ ଶିଳାଲେଖର ନିମ୍ନଲିଖିତ ଶ୍ଳୋକରୁ ଜଣାଯାଏ ।

 

ଶ୍ରୀବକ୍ଷଶ୍ଚରଣାବଜ୍ ପୂଜନମତିର୍ନାରାୟଣଃ ସତ୍‌କବିଃ

ଶ୍ରୀରାମଭ୍ୟୁଦୟାଭିଧଂ ରସମୟଂ କାବ୍ୟଂ ସତଦ୍ ଯୋ ବ୍ୟାଧାତ୍ ।

ସ୍ମୃତ୍ୟାରୂଢ ତଦୀୟ ବାକ୍ୟ ରଚନା-ପ୍ରାଦୁର୍ଭବନ୍ନିର୍ଭର

ପ୍ରେମୋଲ୍ଲାସିତ ଚିତ୍ତବୃତ୍ତିରମୁଚଦ୍ ବାଗ୍‌ଦେବତା ବଲ୍ଲକୀମ୍ ।।

 

ଶ୍ରୀହର୍ଷ (ଖ୍ରୀଷ୍ଟାବ୍ଦ ୧୦୫୦-୧୧୨୦) :-

ଶ୍ରୀହର୍ଷଙ୍କ ନୈଷଧୀୟ ଚରିତ ମହାକାବ୍ୟ ସଂସ୍କୃତ କାବ୍ୟ ସାହିତ୍ୟରେ ଗୋଟିଏ ମହତ୍ତ୍ୱପୂର୍ଣ୍ଣ ଗ୍ରନ୍ଥ । ଶ୍ରୀହର୍ଷଙ୍କ ପିତାଙ୍କ ନାମ ଶ୍ରୀହାର ଓ ମାତାଙ୍କ ନାମ ମାମଲ୍ଲ ଦେବୀ । ସେ ଜଣେ ଉତ୍କଳୀୟ କବି ଥିଲେ । ଏହାର ବହୁ ପ୍ରମାଣ ତାଙ୍କର ନୈଷଧୀୟ ଚରିତରେ ଦେଖିବାକୁ ମିଳେ । ଏହି କାବ୍ୟର ଛତ୍ରେ ଛତ୍ରେ ସେ ଓଡ଼ିଶାର ଚଳଣି, ଆଚାର ବ୍ୟବହାର ଓ ରାଜନୈତିକ ଚିତ୍ର ବିଷୟରେ ବହୁ ସୂଚନା ଦେଇଛନ୍ତି । ଓଡ଼ିଶାର ପ୍ରସିଦ୍ଧ ହୁଳହୁଳି ଧ୍ୱନି, ପିଠଉ ଝୋଟି, ନଳବନ, ତିନୋଟି ଷ, ସ ଓ ଶ, ନ ଓ ଣ, ବ ଓ ଓ୍ୱର ବ୍ୟବହାର, ପଇସା ଭାବରେ କଉଡ଼ିର ପ୍ରଚଳନ, ଲୋକଙ୍କ ପାନଖିଆ ଅଭ୍ୟାସ, ପିତ୍ତଳ ଖଡ଼ୁବାହି, କାକରାପିଠା, ହରିହର ପୂଜା ଇତ୍ୟାଦିର ବର୍ଣ୍ଣତା ବ୍ୟତୀତ ସେ ଓଡ଼ିଶାର ମହେନ୍ଦ୍ରଗିରି, ଜଗନ୍ନାଥଙ୍କ ପହଣ୍ଡି ବିଜେ ଓ ନଳଙ୍କ କୀର୍ତ୍ତିଗାଥା ବର୍ଣ୍ଣନା ମାଧ୍ୟମରେ କଳିଙ୍ଗର ନଳରାଜାମାନଙ୍କ କଥା ମଧ୍ୟ ଉଲ୍ଲେଖ କରିଛନ୍ତି । ବିଶେଷ ଭାବେ ଦେଖିବାର କଥା ଯେ ଓଡ଼ିଶାର ଦଶାବତାର ବର୍ଣ୍ଣନା ସହ ନୈଷଧୀୟ ଚରିତରେ କାମଶାସ୍ତ୍ର ସମ୍ମତ ଯେଉଁ ଶୃଙ୍ଗାରିକ ଚିତ୍ରଗୁଡ଼ିକ ଚିତ୍ରିତ ହୋଇଛି ତାହାର ଅଦ୍ଭୁତ ସମତା ଓଡ଼ିଶାର ମନ୍ଦିରଗାତ୍ରମାନଙ୍କରେ ଥିବା ମୂର୍ତ୍ତିକଳାରେ ଦେଖିବାକୁ ମିଳେ । ପୁଣି ତତ୍‌ପରବର୍ତ୍ତୀ ଓଡ଼ିଶାର ସଂସ୍କୃତ ଓ ଓଡ଼ିଆ ସାହିତ୍ୟରେ ନୈଷଧର ଦୂର୍ବାର ପ୍ରଭାବ, ଉତ୍କଳୀୟ ଉଦୟନାଚାର୍ଯ୍ୟଙ୍କଦ୍ୱାରା ପ୍ରଥମ ଅନୁକରଣାତ୍ମକ କାବ୍ୟ-ସହୃଦୟାନନ୍ଦ ରଚନା, ଶ୍ରୀହର୍ଷଙ୍କ ଉତ୍କଳୀୟତା ପ୍ରତିପାଦନରେ ଗୋଟିଏ ଗୋଟିଏ ଅବଶ୍ୟ ଉଲ୍ଲେଖନୀୟ ଘଟଣା ।

 

ଶ୍ରୀହର୍ଷଙ୍କ ନୈଷଧୀୟ ଚରିତ ମହାକାବ୍ୟ, ମହାଭାରତର ନଳ ଦମୟନ୍ତୀ କଥା ଉପରେ ଆଧାରିତ, କାବ୍ୟଟି ବାଇଶି ସର୍ଗରେ ସମାପ୍ତ ହୋଇଛି । କବି ଭାରତୀୟ ଷଡ଼୍‍ଦର୍ଶନ, ବ୍ୟାକରଣ ଓ ଅଳଙ୍କାର ସାହିତ୍ୟରେ ଅସାଧାରଣ ବ୍ୟୁତ୍ପତ୍ତି ଲାଭ କରିଥିଲା । ନୈଷଧ ମହାକାବ୍ୟଟି ବିଶେଷ ଧ୍ୱନାତ୍ମକ ନ ହେଲେ ମଧ୍ୟ ତାହାର ବିଷୟ ବିନ୍ୟାସ ଓ ଅଭିବ୍ୟକ୍ତିର କମନୀୟତା ଏକାନ୍ତ ଚିତ୍ତାକର୍ଷକ । ଅତିଶୟୋକ୍ତିପର୍ଣ୍ଣ ବର୍ଣ୍ଣନାପ୍ରତି କବିଙ୍କ ଅତ୍ୟନ୍ତ ପକ୍ଷପାତିତା ଏ ଗ୍ରନ୍ଥର ସର୍ବତ୍ର ପରିଦୃଷ୍ଟ ହୁଏ । ଉତ୍କଳୀୟ ଐତିହ, ସଂସ୍କୃତି ଓ ପରମ୍ପରାର ଅଧ୍ୟୟନ ପାଇଁ ଗ୍ରନ୍ଥଟି ଗୋଟିଏ ଅମୂଲ୍ୟ ରତ୍ନ ।

 

ଗୋବର୍ଦ୍ଧନାଚାର୍ଯ୍ୟ (୧୧୭୦-୧୧୯୮)

ଗୋବର୍ଦ୍ଧନାଚାର୍ଯ୍ୟଙ୍କ ଖଣ୍ଡିଏ ମାତ୍ର ଗ୍ରନ୍ଥ ‘‘ଆର୍ଯ୍ୟାସପ୍ତଶତୀ’’ ଆଜିର ଆଲୋକ ଦେଖି ପାରିଛି । ଗୋବର୍ଦ୍ଧନାଚାର୍ଯ୍ୟଙ୍କୁ ବଙ୍ଗ ଦେଶର ରାଜା ଲକ୍ଷ୍ମଣ ସେନଙ୍କ ସଭାକବି ଭାବରେ କେହି କେହି ଗ୍ରହଣ କରିଛନ୍ତି, କିନ୍ତୁ ବର୍ତ୍ତମାନ ତାହାଙ୍କ ବିଷୟରେ ବହୁତଥ୍ୟ ଆବିଷ୍କୃତ ହୋଇଥିବାରୁ ଏହି ମତର କୌଣସି ସାରବତ୍ତା ନାହିଁ । ସେ ଜଣେ ଉତ୍କଳୀୟ କବି ଥିଲେ ଏଥିରେ ସନ୍ଦେହର ଅବକାଶ ନାହିଁ । ଆର୍ଯ୍ୟାସପ୍ତଶତୀର ଗୋଟିଏ ଶ୍ଳୋକରେ ଗୋବର୍ଦ୍ଧନ ଉଦୟନାଚାର୍ଯ୍ୟଙ୍କୁ ତାଙ୍କର ସାନଭାଇ ବୋଲି ଉଲ୍ଲେଖ କରିଛନ୍ତି । ଉଦୟନାଚାର୍ଯ୍ୟ ଓଡ଼ିଶାର ପ୍ରାଚୀନଦୀ ତଟବର୍ତ୍ତୀ ନିଆଳି ଶାସନରେ ଥିବା ଶୋଭନେଶ୍ୱର ମନ୍ଦିର ଶିଳାଲେଖର ଏବଂ ଭୁବନେଶ୍ୱରସ୍ଥିତ ମେଘେଶ୍ୱର ମନ୍ଦିର ଶୀଳାଲେଖର ଲେଖକ ଭାବରେ ସୁପରିଚିତ । ସେ ନୈଷଧୀୟ ଚରିତ ଉପରେ ଗୋଟିଏ ଟୀକା ଓ ଗୀତଗୋବିନ୍ଦର ‘ଭାବ ବିଭାବିନୀ’ ନାମକ ଆଉ ଗୋଟିଏ ଟୀକା ମଧ୍ୟ ଲେଖିଛନ୍ତି । ଏହି ଅଭିଲେଖାତ୍ମକ ପ୍ରମାଣ ଉପରେ ନିର୍ଭର କରି ଗୋବର୍ଦ୍ଧନ ଓ ଉଦୟନଙ୍କୁ ନିଃସନ୍ଦେହରେ ଦ୍ୱାଦଶ ଶତାବ୍ଦୀର ଶେଷ ପାଦର ପ୍ରତିଷ୍ଠିତ ଉତ୍କଳୀୟ କବି ଭାବରେ ଗ୍ରହଣ କରାଯାଇପାରେ ।

 

ଗୋବର୍ଦ୍ଧନାଚାର୍ଯ୍ୟଙ୍କ ଆର୍ଯ୍ୟା ସପ୍ତସତୀ ଶୃଙ୍ଗାର ରସାତ୍ମକ ସାତଶହ ଶ୍ଳୋକବିଶିଷ୍ଟ ଗୋଟିଏ ସଂସ୍କୃତ ଗ୍ରନ୍ଥ । ଏହା ହାଳଙ୍କ ପ୍ରାକୃତ କାବ୍ୟ । ‘ସତ୍ତସଇ’ର ଛାୟାରେ ଲିଖିତ । ଏସବୁ ଆର୍ଯ୍ୟାଛନ୍ଦରେ ରଚିତ ଓ ଏହାର ପରିଚ୍ଛେଦଗୁଡ଼ିକର ନାମ ବ୍ରଜ୍ୟା ରଖାଯାଇଛି । ବିଭିନ୍ନ ପଦ୍ୟ ସଙ୍କଳନରେ ଆର୍ଯ୍ୟ ସପ୍ତଶତୀର ଶ୍ଳୋକ ଦେଖିବାକୁ ମିଳେ । କାବ୍ୟଟିର ଭାରତବ୍ୟାପୀ ଜନପ୍ରିୟତା ରହିଛି ଓ ଏହାକୁ ଅନୁକରଣ କରି ସଂସ୍କୃତରେ ଏ ପ୍ରାନ୍ତୀୟଭାଷାରେ ଗ୍ରନ୍ଥ ସବୁ ଲେଖାଯାଇଛି । ଲେଖକଙ୍କ ସରସ ଶୃଙ୍ଗାରିକ କଳ୍ପନା ଓ ମଧୁର ପ୍ରକାଶଭଙ୍ଗୀହିଁ ଏହି ଜନପ୍ରିୟତାର ଏକମାତ୍ର କାରଣ । ଉଦାହରଣସ୍ୱରୁପ ଚଟୁଳ ଯୁବମାନସର ଗୋଟିଏ ଅନବଦ୍ୟ ଚିତ୍ର ଦେଖାଯାଇପାରେ ।

 

ତନ୍ୱଙ୍ଗୀନାଂ ସ୍ତନୌଦୃଷ୍ଟ୍ୱାଶିରଃ କମ୍ପୟତେ ଯୁବା

ତୟୋରନ୍ତର ସଂଲଗ୍ନାଂ ଦୃଷ୍ଟିଂ ଉତ୍‌ପାଟୟନ୍ନିବ ।

 

ସାନ୍ଧିବିଗ୍ରହିକ କୃଷ୍ଣାନନ୍ଦ ମହାପାତ୍ର (ଖ୍ରୀଷ୍ଟାବ୍ଦ ୧୩୯୪)

କୃଷ୍ଣାନନ୍ଦ ସହୃଦୟାନନ୍ଦ ମହାକାବ୍ୟର ପ୍ରଣେତା । ସେ ବିଶ୍ୱନାଥ କବିରାଜଙ୍କ କପିଞ୍ଚଳ ଗୋତ୍ରୀୟ ପରିବାରର ସ୍ୱନାମଧନ୍ୟ କବି ଥିଲେ । ଓଡ଼ିଶାରେ ଗଙ୍ଗରାଜା ନରସିଂହଦେବ ଚତୁର୍ଥଙ୍କ ରାଜସଭାରେ ଜଣେ ପ୍ରବୀଣ ସାନ୍ଧିବିଗ୍ରହକ (ମନ୍ତ୍ରୀ) ଭାବରେ ତାଙ୍କର ବେଶ୍ ଖ୍ୟାତି ଥିଲା । ବାରଣାସୀ କଟକ (ଆଧୁନିକ କଟକ)ର ରାଜା ଚତୁର୍ଥ ନରସିଂହଙ୍କ ଗୋଟିଏ ତାମ୍ର ଶାସନରେ ଲେଖାଅଛି ।

 

‘‘ଅଭିଲିଖ୍ୟମାନେ ବିଛାଶୁକ୍ଳ ଏକାଦଶ୍ୟାଂ ମଙ୍ଗଳାବାରେ ବାରଣାସୀ କଟକ...ତତ୍ର ବିଜୟ ସମୟେ ପାର୍ଶ୍ୱେ ମହାପାତ୍ର କୃଷ୍ଣାନନ୍ଦ ସାନ୍ଧିବିଗ୍ରହକ...’’ ଇତ୍ୟାଦି ।

 

ଏଥିରୁ ଓ ଅନ୍ୟାନ୍ୟ ଅଭିଲେଖରୁ ପ୍ରମାଣିତ ହେଉଛି ଯେ ‘‘ସକଳ କବିକୁଳମୌଳିମଣ୍ଡନ’’ ସହୃଦୟାନନ୍ଦ କାବ୍ୟର ରଚୟିତା ସାନ୍ଧିବିଗ୍ରହକ କୃଷ୍ଣାନନ୍ଦ ମହାପାତ୍ର ଉତ୍କଳୀୟ ଗଙ୍ଗବଂଶ ରାଜା ଚତୁର୍ଥ ନରସିଂହଦେବଙ୍କ ସମୟରେ ଜୀବିତ ଥିଲେ । ସେ ଦାସ ସଂଜ୍ଞକ ଜଣେ ଉତ୍କଳୀୟ ବ୍ରାହ୍ନଣ ଥିଲେ । ତାଙ୍କର କୃତିତ୍ୱ ଓ ଯୋଗ୍ୟତା ଦୃଷ୍ଟିରୁ ସେ ରାଜଦତ୍ତ ‘ମହାପାତ୍ର’ ଉପାଧିରେ ଭୂଷିତ ହୋଇଥିଲେ ।

 

ସହୃଦୟାନନ୍ଦ ମହାକାବ୍ୟଟି ପନ୍ଦର ସର୍ଗରେ ରଚିତ । ପ୍ରସିଦ୍ଧ ନଳ ଦମୟନ୍ତୀ ଚରିତକୁ କେନ୍ଦ୍ର କରି କାବ୍ୟଟି ଗଢ଼ି ଉଠିଛି । ଏହାର କାବ୍ୟିକ ପରିକଳ୍ପନା ଓ ଭାବଗର୍ଭକ ଅଳଙ୍କାର ଯୋଜନାରେ ସର୍ବତ୍ର ସ୍ୱଭାବିକତା ପରିଲକ୍ଷିତ ହୁଏ । ଭାବଗତ କାଠିନ୍ୟ ବର୍ଣ୍ଣନାଗତ ଜଟିଳତା, ଦୀର୍ଘ ସମାସଯୁକ୍ତ ପଦ୍ୟାବଳୀ ଓ ପାଣ୍ଡିତ୍ୟ ପ୍ରକର୍ଷ ପରିପ୍ରକାଶର ଅପଚେଷ୍ଟା ଏଥିରେ ଦେଖିବାକୁ ମିଳେ ନାହିଁ । କାବ୍ୟଟିରେ ଆରମ୍ଭରୁ ଶେଷପର୍ଯ୍ୟନ୍ତ ସାବଲୀଳ ଅଭିବ୍ୟକ୍ତିର ମଧୁରତା ସୁରକ୍ଷିତ ହୋଇଛି । ଆଳଙ୍କାରିକ କାବ୍ୟଯୁଗର ଏହା ଗୋଟିଏ ସ୍ୱାଗତଯୋଗ୍ୟ ବ୍ୟତିକ୍ରମ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ ।

 

କବିଡିଣ୍ଡିମ ଜୀବଦେବାଚାର୍ଯ୍ୟ (ଖ୍ରୀ: ୧୪୭୫)

ଜୀବଦେବାଚାର୍ଯ୍ୟ ଗଜପତି ପ୍ରତାପରୁଦ୍ର ଦେବଙ୍କ ଗୁରୁ ଓ ମନ୍ତ୍ରୀ ଥିଲେ । ତାଙ୍କ ପିତା ତ୍ରିଲୋଚନ ଆଚାର୍ଯ୍ୟ ମଧ୍ୟ ପୁରୁଷୋତ୍ତମ ଦେବଙ୍କ ଗୁରୁ ଥିଲେ । ରାଜା ପ୍ରତାପରୁଦ୍ର ଦେବଙ୍କ ଅନୁରୋଧ କ୍ରମେ ଜୀବଦେବ ୧୫୧୦ ଖ୍ରୀଷ୍ଟାବ୍ଦରେ ଗୋଦାବରୀ ନଦୀତଟ ଶିବିରରେ ‘ଭକ୍ତି ଭାଗବତ’ ନାମକ ମହାକାବ୍ୟ ରଚନା କରିଥିଲେ । କବି ଏହି କାବ୍ୟରେ ତାଙ୍କର ପୂର୍ବପୁରୁଷ କବି ପଣ୍ଡିତମାନଙ୍କର ନାମୋଲ୍ଲେଖ କରିଛନ୍ତି । ସେ ମୃତ୍ୟୁଞ୍ଜୟ, ଭବଦେବ, ଗୌରୀଗୁରୁ, ଆଚାର୍ଯ୍ୟ ରାଜଗୁରୁ ଓ ବାମଦେବଙ୍କ ସହିତ ପିତା ତ୍ରିଲୋଚନ ଓ ମାତା ରତ୍ନାବତୀଙ୍କ ଗୁଣକୀର୍ତ୍ତନ କରିଛନ୍ତି ।

 

ଜୀବଦେବ ୩୫ବର୍ଷ ବୟସରେ ଭକ୍ତି ଭାଗବତ ରଚନା କରିଥିଲେ । ସେ ଲେଖିଛନ୍ତି-

 

ଅବ୍ଦେଽସ୍ୟ ସପ୍ତଦଶକେ ନୃପତେ ସ ପଞ୍ଚ

ତ୍ରିଂଶାବ୍ଦ ଚୁମ୍ବିତ ବୟାଃ କବିଡିଣ୍ଡିମୋଽୟମ୍ ।

ଗୋଦାବରୀ ପରିସରେ ନିବଦନ୍ନ କାର୍ଷାତ୍

ମାସେନ ତତ୍ର ମକରଣେ ମହାପ୍ରବନ୍ଧମ୍ ।୦।

 

ଜୀବଦେବ ଜଣେ ଅସାଧାରଣ ଧୀଶକ୍ତିସମ୍ପନ୍ନ କବି ଥିଲେ । ସେ ବହୁ କାବ୍ୟକବିତା ଓ ନାଟକ ରଚନା କରିଥିଲେ ମଧ୍ୟ ତାଙ୍କର କେବଳ ତିନୋଟି ଗ୍ରନ୍ଥ ଆଜି ଉପଲବ୍‌ଧ ହେଉଅଛି । ଭକ୍ତିବୈଭବ ନାଟକ ଓ ଉତ୍ସାହବତୀ ନାଟକକୁ ଛାଡ଼ିଦେଲେ ଭକ୍ତି ଭାଗବତ ଗୋଟିଏ ମାତ୍ର ମହାକାବ୍ୟ ଆଜି ସୁରକ୍ଷିତ ହୋଇ ରହିଅଛି । ଏଥିରେ ଶ୍ରୀମଦ୍‌ଭାଗବତର ଦଶମସ୍କନ୍ଦର କୃଷ୍ଣଲୀଳା କାବ୍ୟିକ ଛଟାରେ ବର୍ଣ୍ଣିତ । କାବ୍ୟର ଭାଷା ସରଳ, ସାବଲୀଳ ଓ ଶ୍ରୁତିମଧୁର । କାବ୍ୟଟି ବତିଶ ସର୍ଗରେ ସମାପ୍ତ ହୋଇଛି । କବିଙ୍କ କାବ୍ୟିକ ପରିକଳ୍ପନା ଓ ବିଷୟବସ୍ତୁ ବିନ୍ୟାସଗତ ଚତ୍ମକାରିତା କାବ୍ୟଟିରେ ଛତ୍ରେ ଛତ୍ରେ ବିକଶିତ । ସଂସ୍କୃତ କାବ୍ୟ-ସାହିତ୍ୟକୁ ଏହା ଯେ ଗୋଟିଏ ମହତ୍ତ୍ୱର ଅବଦାନ ଏଥିରେ ପ୍ରାୟ ସମସ୍ତେ ଏକମତ ।

 

କବିଚନ୍ଦ୍ର ରାୟ ଦିବାକର ମିଶ୍ର (ଖ୍ରୀ: ୧୪୬୬-୧୫୧୬)

ଦିବାକର ଭରଦ୍ୱାଜ ଗୋତ୍ରୀୟ ଗୋଟିଏ ପଣ୍ଡିତ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ । ପିତା ବୈଦେଶ୍ୱର ଓ ମାତା ମୁକ୍ତାଦେବୀ ବିଦ୍ୟାବିଳାସୀ ଥିଲେ ଓ ପବିତ୍ର ଧାର୍ମିକ ଜୀବନଯାପନ କରୁଥିଲେ । ବୈଦେଶ୍ୱର କବିତା ପ୍ରତିଯୋଗିତାରେ କବି ଡିଣ୍ଡିମ ଜୀବଦେବାଚାର୍ଯ୍ୟଙ୍କୁ ପରାସ୍ତ କରିଥିଲେ । ଦିବାକରଙ୍କ ପ୍ରପୌତ୍ର ଅନାଦି ମିଶ୍ର ତାଙ୍କ ଗ୍ରନ୍ଥରେ ନିଜର ଯେଉଁ ବଂଶ ପରିଚୟ ଲିପିବଦ୍ଧ କରିଯାଇଛନ୍ତି, ସେଥିରୁ ବହୁପୁରୁଷ ଧରି ଏହି କବି ଓ ତାର୍କିକ ପରିବାରର ଗାରିମାମୟ ଐତିହାସିକ ବିବରଣୀ ମିଳେ । ଦିବାକର ପ୍ରଥମ ଗଜପତି ପୁରୁଷୋତ୍ତମଙ୍କ ନାମରେ ସ୍ୱରଚିତ ଅଭିନବ ଗୀତଗୋବିନ୍ଦର ଭଣିତା କରିଯାଇଛନ୍ତି । ତା’ପରେ ସେ କର୍ଣ୍ଣାଟ (ବିଜୟନଗର) ଦେଶର ରାଜା କୃଷ୍ଣଦେବ ରାୟଙ୍କ ସଭାକବି ଭାବରେ ବିଶେଷ ଖ୍ୟାତି ଅର୍ଜନ କରିଥିଲେ ।

 

‘‘କର୍ଣ୍ଣାଟଧିପ କୃଷ୍ଣ ରାୟ ସଦସି ଖାତସ୍ୟ ବିଦ୍‌ବତ୍ତୟା ।’’

 

ତା’ପରେ ପୁଣି ଓଡ଼ିଶାର ରାଜସଭାକୁ ଫେରି ଆସିଛନ୍ତି ଓ ଗଜପତି ପ୍ରତାପରୁଦ୍ର ଦେବ ତାଙ୍କୁ ‘‘କବିଚନ୍ଦ୍ର ରାୟ’’ ଉପାଧି ପ୍ରଦାନ କରି ସମ୍ମାନିତ କରିଛନ୍ତି । ତାଙ୍କର ଭରତାମୃତ ମହାକାବ୍ୟର ବିଭିନ୍ନ ବର୍ଣ୍ଣନାରୁ ଜଣାଯାଏ ଯେ ସେ ନଅଖଣ୍ଡ ଗ୍ରନ୍ଥର ଲେଖକ ଭାବରେ ସୁପରିଚିତ ଥିଲେ ।

 

ଭରତାମୃତ ମହାକାବ୍ୟମ୍

ଲକ୍ଷଣାଦର୍ଶ ମହାକାବ୍ୟମ୍ ‘‘ଇତି ଲକ୍ଷଣାଦର୍ଶେ ମହାକାବ୍ୟେ ମହାମହୋପାଧ୍ୟାୟ ଦିବାକର ବିରଚିତେ’’

ଅଭିନବ ଗୀତଗୋବିନ୍ଦମ୍–‘‘କାବ୍ୟେତସ୍ୟ ସହୋଦରାଦଭିନବ ଶ୍ରୀ ଗୀତ ଗୋବିନ୍ଦତଃ’’

ହରିଚରିତ ଚମ୍ପୂ–‘‘ଯଶ୍ଚମ୍ପୂମ୍‌କରୋଦ ରୋଚିକତୟା ଚାଟୌ ଚରିତ୍ରେ ହରେଃ’’

ଦେବୀ ଶତକମ୍–‘‘ଯୋ ଦେବ୍ୟାଃ ସ୍ତୁତିମଦ୍ରରାଜ ଦୁହିତୁ ଶ୍ଳୋକୈଃ ଶତେନାଽକରୋତ୍’’

ରସମଞ୍ଜରୀ–‘‘ଯଶ୍ଚକ୍ରେ ରସମଞ୍ଜରୀତି ରସିକା ହ୍ଲାଦାୟ ପଦ୍ୟାବଳୀମ୍’’

ପାରିଜାତ ହରଣ ନାଟକମ୍–ରମ୍ୟଂଚାକୃତ ପାରିଜାତ ହରଣଂ ସନ୍ନାଟକଂ ଯଃ କବିଃ’’

ପ୍ରଭାବତି ନାଟକମ–‘‘ତତ୍ ପ୍ରତିଭା ପ୍ରଭାବ ପ୍ରଭବ ପ୍ରଭାବତୀ ନାମ ନାଟକ...’’

ଧୂର୍ତ୍ତଚରିତ–‘‘ଭାଣୋଽଭଣ୍ୟତ ଯେନ ଧୂର୍ତ୍ତଚରିତଂ ଚେତଶ୍ଚମତ୍‌କାର କୃତ୍’’

 

ଭାରତାମୃତ ମହାକାବ୍ୟର ସର୍ଗାନ୍ତ ଶ୍ଳୋକମାନଙ୍କରୁ ଜଣାଯାଏ ଯେ କବି ପିତାଙ୍କ ଆଦେଶରେ ଭାରତାମୃତ ମହାକାବ୍ୟ ଲେଖିଥିଲେ । ସେ କୃଷ୍ଣଭକ୍ତ ଥିଲେ ଓ ଗଦ୍ୟ ପଦ୍ୟ ରଚନାରେ ତାଙ୍କର ଅନନ୍ୟ ସାଧାରଣ ପ୍ରତିଭା ଥିଲା । ନୈଷଧୀୟ ଚରିତ ମହାକାବ୍ୟକୁ ଆଦର୍ଶ ଭାବରେ ଗ୍ରହଣ କରି କବି ସ୍ୱକାବ୍ୟ ପ୍ରଣୟନ କରିଛନ୍ତି । ଯମକ ଯୋଜନା ତାଙ୍କ କାବ୍ୟର ଗୋଟିଏ ବିଶେଷ ଆକର୍ଷଣ ବୋଲି ସେ ନିଜେ ଘୋଷଣା କରିଛନ୍ତି । (୧୬ସର୍ଗ) । ଶୃଙ୍ଗାର, ବୀର ଓ କରୁଣ ରସର ଅଭିବ୍ୟଞ୍ଜନରେ କାବ୍ୟଟି ରସୋତ୍ତୀର୍ଣ୍ଣ ହୋଇଥିଲେ ମଧ୍ୟ ଆଦ୍ୟୋପ୍ରାନ୍ତ ଶୃଙ୍ଗାର ରସର ପ୍ରାଚୁର୍ଯ୍ୟ ପ୍ରତିହିଁ ପକ୍ଷପାତିତା ପ୍ରଦର୍ଶନ କରାଯାଇଛି । କାବ୍ୟଭାଷା ସହଜ, ତରଳ ଓ ସ୍ୱତଃ ସ୍ଫୁର୍ତ୍ତ, ମହାଭାରତୀୟ ସଂପୂର୍ଣ୍ଣ କଥାର କାବ୍ୟିକ ରୂପ ଏଥିରେ ପରିବେଷିତ ହୋଇଅଛି ।

 

ଲକ୍ଷଣାଦର୍ଶ ମହାକାବ୍ୟରେ ମହାଭାରତର ପାଣ୍ଡବମାନଙ୍କ କଥା ବର୍ଣ୍ଣନା କରାଯାଇଛି । ଏହାର ପ୍ରତ୍ୟେକ ସର୍ଗରେ ପାଣିନୀଙ୍କ ବ୍ୟାକରଣର ଗୋଟିଏ ଗୋଟିଏ ଦିଗକୁ ଦୃଷ୍ଟି ଆଗରେ ରଖି, ସେଗୁଡ଼ିକର ରୁଚିପୂର୍ଣ୍ଣ ପ୍ରୟୋଗ ପ୍ରଦର୍ଶିତ ହୋଇଅଛି । ପ୍ରତ୍ୟେକ ସର୍ଗ ଶେଷରେ ସେହି ସର୍ଗାନ୍ତର୍ଗତ ଆଲୋଚିତ ବିଷୟର ସୂଚନା ଦିଆଯାଇଛି । ଏଥିରେ ଭଟ୍ଟି କାବ୍ୟର ଉଦ୍ଦେଶ୍ୟ ଓ ଶୈଳୀକୁ ଯଥାର୍ଥ ଅନୁକରଣାତ୍ମକ ରୂପ ଦେବାପାଇଁ ଚେଷ୍ଟା କରାଯାଇଛି ଓ ସେଥିରେ କବି ଯଥେଷ୍ଟ ସଫଳତା ଲାଭ କରିଛନ୍ତି । କବୀନ୍ଦ୍ର ମାର୍କଣ୍ଡେୟ ମିଶ୍ର (ଖ୍ରୀଷ୍ଟାବ୍ଦ ଷୋଡ଼ଶ ଶତାବ୍ଦୀ) ।

 

ମାର୍କଣ୍ଡେୟ ପୁରୀ ଜିଲ୍ଲାର ବୀରପ୍ରତାପପୁର ଶାସନ ନିବାସୀ ଥିଲେ । ତାହାଙ୍କର ପିତା ମଙ୍ଗଳଦେବ ଗଜପତି ପୁରୁଷୋତ୍ତମ ଦେବଙ୍କ ସଭାକବି ଭାବରେ ସମ୍ମାନିତ ହୋଇଥିଲେ । ମାର୍କଣ୍ଡେୟ ପ୍ରତାପରୁଦ୍ର ଦେବଙ୍କ ପୃଷ୍ଠପୋଷକତାରେ ଦଶଗ୍ରୀବବଧ ମହାକାବ୍ୟ ରଚନା କରିଛନ୍ତି । ଏଥିରେ ସଂପୂର୍ଣ୍ଣ ରାମାୟଣର କଥାବସ୍ତୁ କାବ୍ୟିକରୂପ ଗ୍ରହଣ କରିଛି । ଏହା କୋଡ଼ିଏଟି ସର୍ଗରେ ସମାପ୍ତ ହୋଇଛି । ଭାଷା ଭାବବ୍ୟଞ୍ଜକ ହେଲେ ମଧ୍ୟ ଲିଖନଶୈଳୀ ଗତାନୁଗତିକ । ମହାକାବ୍ୟର ସମସ୍ତ ଲକ୍ଷଣ ଏଥିରେ ସନ୍ନିବିଷ୍ଟ କରିବାପାଇଁ କବି ଚେଷ୍ଟା କରିଛନ୍ତି । ସର୍ଗାନ୍ତ ଶ୍ଳୋକଗୁଡ଼ିକରେ କବି ନିଜର ଇତିହାସ ବିଷୟରେ ସଂକ୍ଷିପ୍ତ ସୂଚନା ଦେଇଛନ୍ତି ।

 

ଶ୍ରୀରୁଦ୍ରୋ ପୁରୁଷୋତ୍ତମେନ୍ଦ୍ର ତନୟେ ପ୍ରୋଦ୍ଦାମଦୋର୍ମଣ୍ଡଳୀ

କ୍ରୀଡ଼ାଖଣ୍ଡିତଶତ୍ରବେ ବସୁମତୀମାସାଗରଂ ଶାସତି,

ଶ୍ରୀମାନ୍ ମଙ୍ଗଳଦେବ ସୂନୁ ରମନାଗାରାଧ୍ୟ ବାଗ୍‌ବାଦିନୀଂ

ମାର୍କଣ୍ଡେୟ କବିସ୍ତଦେତ ଦତନୋତ୍ କାବ୍ୟଂ ହରେଃ ପ୍ରୀତୟେ ।

 

ଏତଦ୍‍ବ୍ୟତୀତ ମାର୍କଣ୍ଡେୟ ପ୍ରାକୃତ ସର୍ବସ୍ୱ ନାମକ ଆଉ ଗୋଟିଏ ପ୍ରାକୃତ ବ୍ୟାକରଣ ଗ୍ରନ୍ଥ ତେଲେଙ୍ଗା ମୁକୁନ୍ଦ ଦେବଙ୍କ ସମୟରେ ରଚନା କରିଛନ୍ତି । ଦଶଗ୍ରୀବବଧ ମହାକାବ୍ୟଟି ଗୌରୀକୁମାର ବ୍ରହ୍ମାଙ୍କଦ୍ୱାରା ସମ୍ପାଦିତ ଓ ପ୍ରାକୃତ ସର୍ବସ୍ୱ ଗ୍ରନ୍ଥଟି କୃଷ୍ଣଚନ୍ଦ୍ର ଆଚାର୍ଯ୍ୟଙ୍କଦ୍ୱାରା ସମ୍ପାଦିତ ହୋଇ ପ୍ରକାଶିତ ହୋଇଅଛି ।

 

ହଳଧର ମିଶ୍ର (ସପ୍ତଦଶ ଶତାବ୍ଦୀ ପ୍ରଥମାର୍ଦ୍ଧ) :-

କବି ହଳଧର ମିଶ୍ର ‘ବସନ୍ତୋତ୍ସବ ମହାକାବ୍ୟ’ ନାମକ ଗୋଟିଏ ଗ୍ରନ୍ଥ ରଚନା କରିଛନ୍ତି । ତାଙ୍କ ପିତାଙ୍କ ନାମ ଦିବାକର ଓ ମାତାଙ୍କ ନାମ ପଦ୍ମାବତୀ । ସେ ପ୍ରସିଦ୍ଧ ଶମ୍ଭୁକର ମିଶ୍ରଙ୍କ ବଂଶରେ ଜନ୍ମଗ୍ରହଣ କରିଥିଲେ ଏବଂ ତାଙ୍କର କପିଳେଶ୍ୱର ନାମକ ଜଣେ ପୁତ୍ର ଥିଲେ, ଯେ ପିତାଙ୍କ ପରି ଜଣେ କବି ଭାବରେ ବେଶ୍‍ ଖ୍ୟାତିଲାଭ କରିଥିଲେ । ସେ ଖୋରଧା ରାଜା ଗଜପତି ରାମଚନ୍ଦ୍ର ଦେବଙ୍କଠାରୁ ଆରମ୍ଭକରି ସ୍ୱକୀୟ ପୃଷ୍ଠପୋଷକ ନରସିଂହ ଦେବଙ୍କ ପର୍ଯ୍ୟନ୍ତ ସମସ୍ତ ରାଜାଙ୍କର ଯଶୋଗାନ କରିଛନ୍ତି ।

 

ବସନ୍ତୋତ୍ସବ ମହାକାବ୍ୟଟି ବାଇଶି ସର୍ଗରେ ରଚିତ । ଏଥିରେ ଜଗନ୍ନାଥଙ୍କ ଗୁଣ୍ଡିଚାଯାତ୍ରା କଥା ବର୍ଣ୍ଣନା କରାଯାଇଛି । ପୁରୀର ସୁପ୍ରସିଦ୍ଧ ଗୁଣ୍ଡିଚାଯାତ୍ରା ବର୍ଣ୍ଣନା କରି ମହାକାବ୍ୟ ଲେଖିବାରେ ବୋଧହୁଏ ହଳଧରହିଁ ହେଉଛନ୍ତି ଓଡ଼ିଶାର ସର୍ବପ୍ରଥମ କବି । କବି ବଡ଼ ଅନୁପ୍ରାସପ୍ରିୟ ଥିଲେ । ତାଙ୍କ କାବ୍ୟରେ ଅନୁପ୍ରାସର ମଧୁର ଝଙ୍କାର ସର୍ବତ୍ର ଦେଖିବାକୁ ମିଳେ । ଶିବସ୍ତୁତି ମୂଳକ ତାଙ୍କର ନିମ୍ନଲିଖିତ କବିତାରୁ ଅନୁପ୍ରାସ ଯୋଜନାର ଚତ୍ମକାରିତା ଦେଖା ଯାଇପାରେ ।

 

କଟୀତଟ ପଟୀ କୃତାୟତ ଗଜାଜିନୋ ଧୁର୍ଜଟି-

ର୍ଜଟାପଟଳ ମଣ୍ତିତ ସ୍ତିପୁର ଖଣ୍ତନେ ପଣ୍ତିତଃ

ଦୂରୁତ୍ତର ଭରାନ୍ତରା ବଳୀ କୃତାବନୋମେ ମନେ-

ବିନୋଦଭର ଭୁର୍ବିଭୂଃ ସର୍ପଦ ସନ୍ନିଧରାଂ ହୃଦି

 

ଏହି କବିଙ୍କର ସଙ୍ଗୀତ କଳ୍ପଳତା ଓ ହଳଧର କାରିକା ନାମ ଆଉ ଦୁଇଖଣ୍ତ ଗ୍ରନ୍ଥ ମଧ୍ୟ ଦେଖିବାକୁ ମିଳେ ।

 

ଗଙ୍ଗାଧର ମିଶ୍ର (ଖ୍ରୀ: ୧୬୧୫) :-

କୋଶଳାନନ୍ଦ ମହାକାବ୍ୟର ରଚୟିତା ଗଙ୍ଗାଧର ମିଶ୍ର ପୁରୀ ଜିଲ୍ଲାର ପ୍ରସିଦ୍ଧ ସ୍ମୃତିକାର ଶମ୍ଭୁକର ଓ ବିଦ୍ୟାକରଙ୍କ ବଂଶରେ ଜନ୍ମଗ୍ରହଣ କରିଥିଲେ ଓ ସମ୍ବଲପୁର ରାଜା ବଳିଆର ସିଂହଙ୍କ ସଭାକବି ଥିଲେ । ସେ କୋଶଳାନନ୍ଦ ମହାକାବ୍ୟରେ କୋଶଳଦେଶର (ସମ୍ବଲପୁର) ଚୌହାନବଂଶୀୟ ରାଜାମାନଙ୍କର ଗୁଣକୀର୍ତ୍ତନ କରିଛନ୍ତି । ଗ୍ରନ୍ଥଟି ରଚିତ ହୋଇଥିଲା ଖ୍ରୀଷ୍ଟାବ୍ଦ ୧୬୧୫ ରେ । ସେ ତାଙ୍କର କବିତ୍ୱର ସ୍ୱୀକୃତି ସ୍ୱରୂପ ବଳିଆର ସିଂହଙ୍କଠାରୁ ଖଣ୍ତପାଳି ଓ ଆଉ କେତୋଟି ଗାଁ ପୁରସ୍କାର ଭାବରେ ପାଇଥିଲେ । ସଂସ୍କୃତ ଲକ୍ଷଣ ଗ୍ରନ୍ଥରେ ନିର୍ଦ୍ଦିଷ୍ଟ ସମସ୍ତ ଲକ୍ଷଣରେ ମହାକାବ୍ୟଟି ସମୃଦ୍ଧ । ଗ୍ରନ୍ଥଟି ଏକୋଇଶି ସର୍ଗବିଶିଷ୍ଟ ଗୋଟିଏ ଐତିହାସିକ ମହାକାବ୍ୟ-। ଏଥିରେ ଚୌହାନ ବଂଶର ପ୍ରତିଷ୍ଠାତା ରାମଚନ୍ଦ୍ର ସିଂହଙ୍କ ଯଶୋଗାଥା ବିଶେଷଭାବରେ ବର୍ଣ୍ଣନା କରାଯାଇଛି । କୋଶଳ ରାଜ୍ୟର ଇତିହାସ ସଂକଳନରେ ଗ୍ରନ୍ଥଟିର ଉପଯୋଗିତା ଓ ମହତ୍ତ୍ୱ ସର୍ବବାଦୀ ସମ୍ମତ ।

 

ବାସୁଦେବ ପ୍ରହରାଜ (ଅଷ୍ଟାଦଶ ଶତାବ୍ଦୀର ମଧ୍ୟଭାଗ )

ରାଘବ ଯାଦବୀୟ ମହାକାବ୍ୟର ପ୍ରଣେତାଭାବରେ ବାସୁଦେବ ସୁପରିଚିତ । ସେ କବିରାଜ ସୂରୀଙ୍କ ରଚିତ ରାଘବ ପାଣ୍ତବୀୟ ମହାକାବ୍ୟର ଅନୁକରଣରେ ଏ ଗ୍ରନ୍ଥଟି ରଚନା କରିଛନ୍ତି । କବି ବିଶ୍ୱନାଥ ପଟ୍ଟଯୋଶୀ ଚକ୍ରପାଣି ପଟ୍ଟନାୟକଙ୍କ ସମସାମୟିକ ଥିଲେ । ରାଘବ ଯାଦବୀୟ ମହାକାବ୍ୟଟି ଦଶସର୍ଗରେ ସମାପ୍ତ ହୋଇଛି । ଏହି ମହାକାବ୍ୟର ପୁଷ୍ଟିକାରୁ ଜଣାଯାଏ ଯେ ଗ୍ରନ୍ଥଟି ସମସ୍ତ କାବ୍ୟଗୁଣରେ ସମନ୍ୱିତ ଓ ରସିକ ମନୋହାରୀ ହୋଇପାରିଛି ।

 

‘‘ମନୋହରୈ ରେବଗୁଣୈରୁପେତଂ

ଶୁଭୋଦୟଂ ରାଘବ ଯାଦବୀୟମ୍‌

କାବ୍ୟଂ ତଦେତତ୍‌ବସୁଦେବ ନାମ୍ନା

କୃତଂ ରସଜ୍ଞାଃ ପରିଶୀଳୟନ୍ତୁ ’’

 

‘‘ବସୁ ପ୍ରକ୍ରିୟା ’’ ନାମକ ଗୋଟିଏ ଲୋକପ୍ରିୟ ବ୍ୟାକରଣ ଗ୍ରନ୍ଥ ମଧ୍ୟ ବାସୁଦେବ ପ୍ରହରାଜ ଛାପିଯାଇଛନ୍ତି ।

 

ବ୍ରଜସୁନ୍ଦର ପଟ୍ଟନାୟକ (ଖୀ: ୧୭୨୮-୧୭୬୭)

ସୁଲୋଚନା ମାଧବ ମହାକାବ୍ୟର ପ୍ରଣେତା ବ୍ରଜସୁନ୍ଦର ଖେମୁଣ୍ତିରାଜା ପୁରୁଷୋତ୍ତମ ଅନଙ୍ଗଭୀମ ଦେବଙ୍କ ସଭାକବି ଥିଲେ । ଏହି ଗ୍ରନ୍ଥଟି ଅଷ୍ଟାଦଶ ସର୍ଗ ବିଶିଷ୍ଟ ଓ ଏହା ପଦ୍ମ ପୁରାଣର ସୁଲୋଚନା ମାଧବ ଚରିତ ଅବଲମ୍ବନରେ ଲିଖିତ । ଏହି ମହାକାବ୍ୟଟି ଗୋଟିଏ ଶ୍ରେଷ୍ଠ କାବ୍ୟଭାବରେ ପୁରୀ ମୁକ୍ତିମଣ୍ତପ ପଣ୍ତିତ ସଭାରେ ସ୍ୱୀକୃତି ଲାଭ କରିଥିବା କଥା କବି ନିଜେ ନିଜଗ୍ରନ୍ଥରେ ସୂଚିତ କରିଛନ୍ତି ।

 

ଯଂ ଚକ୍ରେ ସ୍ୱସଭା ବିଭୂଷିତମଣିଂ ରାଜନ୍ୟ ଚୂଡ଼ାମଣି-

ବିଦ୍ୟା ସିନ୍ଧୁ ରନଙ୍ଗଭୀମ ନୃପତି ଶ୍ରୀଗାଙ୍ଗ ବଶୋଦ୍‌ଭବଃ ।

ତସ୍ୟ ଶ୍ରୀ ବ୍ରଜସୁନ୍ଦରସ୍ୟ କୃତିନୋ ବିପ୍ରାଶିକ୍ଷା କାଙ୍‌କ୍ଷିଣଃ ।

କାବ୍ୟେପାବନ ମାଧବୀୟ ଚରିତେ ସର୍ଗୋଽୟମାଦିର୍ଗତଃ ।

 

‘ନେତ୍ରଶତକ’ ନାମକ ଆଉ ଗୋଟିଏ ଗୀତିକାବ୍ୟର ପ୍ରଣେତା ଭାବରେ ବ୍ରଜସୁନ୍ଦରଙ୍କ ଖ୍ୟାତି ମଧ୍ୟ ସୁଦୂରପ୍ରସାରୀ ଥିଲା ।

 

ଏଠାରେ ଆଲୋଚିତ କେତୋଟି ଲବ୍‌ଧ ପ୍ରତିଷ୍ଠିତ କାବ୍ୟ ବ୍ୟତୀତ ବହୁ ଉଲ୍ଲେଖଯୋଗ୍ୟ ଉତ୍କଳୀୟ କାବ୍ୟକାରଙ୍କ ରଚନାରେ ସଂସ୍କୃତ ସାହିତ୍ୟ ସମୃଦ୍ଧ । ସେମାନଙ୍କ ମଧ୍ୟରୁ ନିମ୍ନଲିଖିତ କାବ୍ୟକାରମାନଙ୍କ ଅବଦାନ ବିଶେଷଭାବରେ ପ୍ରଣିଧାନଯୋଗ୍ୟ ।

 

‘ଚତୁର୍ଦ୍ଦଶ ଭାଷା ବାରବିଳାସିନୀସିନୀଭୁଜଙ୍ଗ ସାନ୍ଧି ବିଗ୍ରହିକ’ ଚନ୍ଦ୍ର ଶେଖର ମହାପାତ୍ରଙ୍କୁ ପୁଷ୍ପମାଳା ଓ ଭାଷାର୍ଣ୍ଣବ, ‘ଅଷ୍ଟାଦଶଭାଷା ବାରବିଳାସିନୀ ଭୁଜଙ୍ଗ ସାନ୍ଧି ବିଗ୍ରହିକ ମହାପାତ୍ର’ ଶ୍ରୀ ବିଶ୍ୱନାଥ କବିରାଜଙ୍କ ରାଘବବିଳାସ ମହାକାବ୍ୟ, ରାଘବବିଳାସ ମହାକାବ୍ୟ, କୁବଳୟାଶ୍ୱଚରିତ (ପ୍ରାକୃତ) ମହାକାବ୍ୟ, ପ୍ରଶସ୍ତି ରତ୍ନାବଳୀ ଓ କଂସବଧ, ବିଦ୍ୟାକର ବାଜପେୟୀଙ୍କ ମଦନପାରିଜାତ, ଗଜପତି ପୁରୁଷୋତ୍ତମ ଦେବଙ୍କ ଜାନକୀ ପ୍ରମୋଦ, କୁବଳୟାଶ୍ୱ ଚରିତ ଓ ଆନନ୍ଦବିଳାସ, ଗୋଦାବର ମିଶ୍ରଙ୍କ ହରିହର ଚତୁରଙ୍ଗ, ଗଜପତି ପ୍ରତିପରୁଦ୍ରଦେବଙ୍କ ପ୍ରତାପମାର୍ତ୍ତଣ୍ତ ଓ କୌତୁକ ଚିନ୍ତାମଣି, ଅତିବଡ଼ି ଜଗନ୍ନାଥ ଦାସଙ୍କ ନିତ୍ୟଗୁପ୍ତ ଚିନ୍ତାମଣି, କହ୍ଲାଇ ଖୁଣ୍ଟିଆଙ୍କ ମହାଭାବ ପ୍ରକାଶ, ମହାମହୋପାଧ୍ୟାୟ ଗୋବିନ୍ଦଙ୍କ ପ୍ରଦ୍ୟୁମ୍ନ ସମ୍ଭବ, ଚିନ୍ତାମଣି ମିଶ୍ରଙ୍କ ଶମ୍ବରାରି ଚରିତ, କାଦମ୍ବରୀ ସାର, ସଭା ପ୍ରମୋଦ ଓ କଂସବଧ, ବର୍ଦ୍ଧନ ଆଚାର୍ଯ୍ୟଙ୍କ ଦୁର୍ଗୋତ୍ସବ ଚନ୍ଦ୍ରିକା, କବିରତ୍ନ ପୁରୁଷୋତ୍ତମ ମିଶ୍ରଙ୍କ ରାମଚନ୍ଦ୍ରୋଦୟ, ଗଜପତି ନାରାୟଣଦେବଙ୍କ ବଳଭଦ୍ରୋଦୟ, ନାରାୟଣ ମଙ୍ଗରାଜଙ୍କ ହରିଭକ୍ତି ସୁଧାକର, ରଘୁନାଥ ଦାସଙ୍କ ଉତ୍‌ପାତ ତରଙ୍ଗିଣୀ, ଚନ୍ଦ୍ରଶେଖର ପଟ୍ଟନାୟକଙ୍କ କଂସ-ପ୍ରମୋଦ, ଭକ୍ତ ରାମଦାସଙ୍କ ରାମଭକ୍ତି ରତ୍ନାବଳୀ, ନାରାୟଣ ଭଞ୍ଜଙ୍କ ରୁକ୍ମଣୀ ପରିଣୟ ମହାକାବ୍ୟ, ହରେକୃଷ୍ଣ ପୁରୋହିତଙ୍କ ରାଧାବିଳାସ, କବିଭୂଷଣ ଗୋବିନ୍ଦ ସାମନ୍ତରାୟଙ୍କ ସୂରୀସର୍ବସ୍ୱ; ନରସିଂହ ଦାସଙ୍କ ଗୋଦାତରଙ୍ଗ ବିଳାସ ମହାକାବ୍ୟ ଓ ଅଭିନବ ଜଗନ୍ନାଥ ପ୍ରସ୍ତାବ, ଭୁବନେଶ୍ୱର ରଥଙ୍କ ଲକ୍ଷଣା ପରିଣୟ, ବିଶ୍ୱନାଥ ମହାପାତ୍ରଙ୍କ କାଞ୍ଚବିଜୟ, ସରସ୍ୱତୀ ବିଳାସ ଓ ସାବିତ୍ରୀ ପରିଣୟ, ପଣ୍ତିତ ଯତିରାଜ ଆଚାର୍ଯ୍ୟଙ୍କ ମାଧବ ବିଳାସ, କଳାକର ବିଳାସ ଆଦି ଦଶଖଣ୍ତ କାବ୍ୟ ଓ ବିଶ୍ୱନାଥ ଦେବବର୍ମାଙ୍କ ରୁକ୍ମଣୀ ପରିଣୟ ଇତ୍ୟାଦି କାବ୍ୟମାନଙ୍କ ମଧ୍ୟରୁ ଅଧିକାଂଶ ଅପ୍ରକାଶିତ ଓ କେତେକ ଆଜି ଦୁର୍ଲ୍ଲଭ ।

 

ଏତଦ୍‌ବ୍ୟତୀତ ଐତିହାସିକ କାବ୍ୟଭାବରେ ଆଲୋଚିତ ଗଙ୍ଗାଧର ମିଶ୍ରଙ୍କ କୋଶଳାନନ୍ଦ ମହାକାବ୍ୟ ପରି ଆଉ କେତୋଟି ଐତିହାସିକ କାବ୍ୟ ମଧ୍ୟ ଉପଲବ୍‌ଧ ହୋଇଅଛି । ସେଥିରୁ ମହାମହୋପାଧ୍ୟାୟ ରୁଦ୍ର ମିଶ୍ର ବାଜପେୟୀଙ୍କ କ୍ଷେତ୍ର କଳ୍ପତରୁ, ବୈରାଗୀ ପଟ୍ଟଯୋଶୀଙ୍କ ନାଗସ୍ୟ ଗୋତ୍ର ବଂଶାନୁଚରିତଂ, ପଣ୍ତିତ ରମାନାଥ ନନ୍ଦଙ୍କ ଜୟପୁର ରାଜ୍ୟ ବଂଶାବଳୀ, ପଣ୍ତିତ ବାସୁଦେବ ରଥ ସୋମଯାଜୀଙ୍କ ଗଙ୍ଗବଂଶାନୁଚରିତ ଚମ୍ପୂ, ପଣ୍ତିତ ଚନ୍ଦ୍ରଶେଖର ମିଶ୍ରଙ୍କ ବ୍ରିଟିଶ ବଂଶାନୁଚରିତଂ ଓ ଭୁବନେଶ୍ୱର ବଡ଼ପଣ୍ତାଙ୍କ ବାମଣ୍ତା ରାଜବଂଶର ଚମ୍ପୂ ଇତ୍ୟାଦିର ଐତିହାସିକତା ପରୀକ୍ଷାସାପେକ୍ଷା ।

 

ଉତ୍କଳୀୟମାନଙ୍କଦ୍ୱାରା ରଚିତ ସଂସ୍କୃତ ଗୀତି କାବ୍ୟଗୁଡ଼ିକ ରଚନାର ସୌନ୍ଦର୍ଯ୍ୟ ଓ ଭାବର ମାଧୁର୍ଯ୍ୟ ଦୃଷ୍ଟିରୁ ଆଦୌ ଉପେକ୍ଷଣୀୟ ନୁହେଁ । ବିଶ୍ୱନାଥ କବିରାଜଙ୍କ ଲକ୍ଷ୍ମୀସ୍ତବ, ରାୟ ଦିବାକର ମିଶ୍ରଙ୍କ ଦେବୀଶତକ ଓ ରସମଞ୍ଜରୀ, ନରସିଂହ ମିଶ୍ର ବାଜପେୟୀଙ୍କ ଭକ୍ତି ପ୍ରଦୀପ ଓ ଚୟନ ପ୍ରଦୀପ, ବିଦ୍ୟାକର ପୁରୋହିତଙ୍କ ନାରାୟଣ ଶତକ; କବିରତ୍ନ ପୁରୁଷୋତ୍ତମ ମିଶ୍ରଙ୍କ ନୀଳାଦ୍ରିନାଥ ଶତକଂ, ନିତ୍ୟାନନ୍ଦ କବିଙ୍କ ନୀଳାଦ୍ରିନାଥ ଶତକଂ, ଗଙ୍ଗାଦାସଙ୍କ ଅଚ୍ୟୁତ ଶତକ, ଦୀନେଶ ଶତକ ଓ କଂସାରିଶତକ, ଲକ୍ଷ୍ମଣ ଭଟ୍ଟଙ୍କ ଶ୍ରୀକୃଷ୍ଣ ଲୀଳାମୃତ, କୃଷ୍ଣଶ୍ରୀ ଚନ୍ଦନଙ୍କ ଅବ୍‌ଦ ଦୂତ, ବ୍ରଜସୁନ୍ଦର ପଟ୍ଟନାୟକଙ୍କ ନେତ୍ରଶତକ, ବକ୍ରବାକ୍‌ ଚତ୍ରପାଣିଙ୍କ କଟାକ୍ଷଶତକ, କବିଚନ୍ଦ୍ର ପୀତାମ୍ବର ମିଶ୍ରଙ୍କ ରାମ ବିରୁଦାବଳୀ, ନୀଳକଣ୍ଠ ମହାପାତ୍ରଙ୍କ ଶୃଙ୍ଗାର ବୀଚି ଓ ସମ୍ବୋଧନ ଶତକ କବି ଗଙ୍ଗାଧରଙ୍କ ନୃସିଂହ ଶତକ ଓ ଶିବାଷ୍ଟକ; ପଣ୍ତିତ ରାୟ ନାରାୟଣ ଆଚାର୍ଯ୍ୟଙ୍କ ପାର୍ଥ ସାରଥି ସ୍ତବ ଓ ଦାମୋଦର ସିଂହଙ୍କ ଉତ୍କଣ୍ଠା ମାଳିକା ପ୍ରଭୃତି ଏ କ୍ଷେତ୍ରରେ ଉଲ୍ଲେଖଯୋଗ୍ୟ ।

 

କାବ୍ୟ ମଧ୍ୟରେ ଗଦ୍ୟପଦ୍ୟମୟୀ ଚମ୍ପୂର ଭୂମିକା ବିଶେଷ ଗୁରୁତ୍ୱପୂର୍ଣ୍ଣ । ଏ କ୍ଷେତ୍ରରେ ମଧ୍ୟ ଉତ୍କଳୀୟ କବିମାନେ ଅନଗ୍ରସର ନୁହନ୍ତି । କବିଚନ୍ଦ୍ର ରାୟ ଦିବାକର ମିଶ୍ରଙ୍କ ହରିଚରିତ ଚମ୍ପୂ, ବକ୍ରବାକ୍‌ ଚକ୍ରପାଣିଙ୍କ ଗୁଣ୍ତିଚା ଚମ୍ପୂ, କବିଚନ୍ଦ୍ର ପୀତାମ୍ବର ମିଶ୍ରଙ୍କ ଗୁଣ୍ତିଚା ଚମ୍ପୁ, ନୀଳାମ୍ବର ଆଚାର୍ଯ୍ୟଙ୍କ ଚନ୍ଦନଯାତ୍ରା ଚମ୍ପୂ, ହରିଶର୍ମାଙ୍କ ମାଧବଚରିତ ଚମ୍ପୂ, ଭୁବନେଶ୍ୱର ମିଶ୍ରଙ୍କ ଆନନ୍ଦ ବୃନ୍ଦାବନ ଚମ୍ପୁ, ମହାମହୋପାଧ୍ୟାୟ ସଦାଶିବ କାବ୍ୟକଣ୍ଠଙ୍କ ଚନ୍ଦନ ଚମ୍ପୂ, ରାଜା ବିଶ୍ୱନାଥ ଦେବଙ୍କ କାଳୀୟ ନିଗ୍ରହ ଚମ୍ପୂ, ଭୁବନେଶ୍ୱର ବଡ଼ ପଣ୍ତାଙ୍କ ଆନନ୍ଦ ଦାମୋଦର ଚମ୍ପୂ ଓ ମହାନଦୀ ଚମ୍ପୂ, କବିସୂର୍ଯ୍ୟ ବଳଦେବ ରଥଙ୍କ କିଶୋର ଚନ୍ଦ୍ରାନନ୍ଦ ଚମ୍ପୂ ଇତ୍ୟାଦିର ସାରସ୍ୱତ ଅବଦାନରେ ସଂସ୍କୃତ ସାହିତ୍ୟ ବେଶ୍‌ ରୁଦ୍ଧିମନ୍ତ ହୋଇ ପାରିଛି ।

 

ଏ ପ୍ରସଙ୍ଗରେ ଅନୁପଲବ୍‍ଧ କାବ୍ୟର ପ୍ରସିଦ୍ଧ ପ୍ରଣେତା ଓ ଟୀକାକାରମାନଙ୍କ ଅବଦାନ ମଧ୍ୟ ଅବିସ୍ମରଣୀୟ । ପ୍ରଖ୍ୟାତଯଶା ଭାସ୍କରକବି-କବି ଉମାପତି, କବି ନାରାୟଣ ଦାସ, କବିଚନ୍ଦ ବିଶ୍ୱନାଥ ସାମନ୍ତରାୟ ଓ ତୁକାଦେବୀଙ୍କ କୌଣସି କାବ୍ୟଗ୍ରନ୍ଥ ଆଜି ଉପଲବ୍‌ଧ ନ ହେଉଥିଲେ ମଧ୍ୟ ଏହି ଲବ୍‌ଧପ୍ରତିଷ୍ଠା କାବ୍ୟକାରଗଣ ବହୁ ମୂଲ୍ୟବାନ କାବ୍ୟର ପ୍ରଣେତା ଭାବରେ ସୁପରିଚିତ । ବିଖ୍ୟାତ ଟୀକାକାର ଭାବରେ ବିଦ୍ୟାକର ପୁରୋହିତ, କବିରତ୍ନ ପୁରୁଷୋତ୍ତମ ମିଶ୍ର, କବିରାଜ ଗୋପୀନାଥ ରଥ, ରାମଚନ୍ଦ୍ର ମିଶ୍ର, ରଘୁନାଥ ଦାସ, କବିରତ୍ନ ହରିସେବକ ସାମନ୍ତ ରାୟ ଶ୍ରୀକୃଷ୍ଣ ଚୟନୀ, ଲକ୍ଷ୍ମଣଭଟ୍ଟ, କବିଚନ୍ଦ୍ର ପୀତାମ୍ବର ମିଶ୍ର ଓ ମହାମହୋପାଧ୍ୟାୟ ନରହରି ପଣ୍ତା ଆଦି ନାମ ସଂସ୍କୃତ କାବ୍ୟ ଜଗତରେ ସୁବିଦିତ । ଏହାହିଁ ସଂକ୍ଷେପରେ ଉତ୍କଳୀୟ ସଂସ୍କୃତ କାବ୍ୟଧାରାର ଯତ୍‌ସାମାନ୍ୟ ଦିଗ୍‌ଦର୍ଶନ ।

 

 

ଅଧ୍ୟାପକ ଡକ୍ଟର ବନମାଳୀ ରଥ

ଓଡ଼ିଆ ବିଭାଗ

ଶାନ୍ତି ନିକେତନ

 

***

 

।। ରାଧାକୃଷ୍ଣ ତାମସା : ଏକ ଦୃଷ୍ଟିପାତ୍‌।।

ଡକ୍ଟର ମନୀନ୍ଦ୍ର ମହାନ୍ତି

 

କୌଣସି ଦେଶର ‘ଲୋକନାଟ୍ୟ’ (Folk Drama) ସେହି ଦେଶର ବୈଶିଷ୍ଟ୍ୟର ପ୍ରତୀକ । ଏଣୁ, ଏହାର ଅଧ୍ୟୟନ ପାଇଁ ଆଧୁନିକ ସମାଲୋଚକମାନେ ବିଶେଷ ମନୋନିବେଶ କରିଥାନ୍ତି । ଏହି ସବୁ ଲୋକନାଟ୍ୟ ମଧ୍ୟରେ ସେ ଦେଶର ପରମ୍ପରା, ଚଳଣି, ରୀତିନୀତି, ବିଶ୍ୱାସ ଧର୍ମଧାରଣା ଆଦି ପ୍ରତିଫଳିତ ହୋଇଥାଏ । ଭାରତୀୟ ଲୋକନାଟ୍ୟକୁ ଓଡ଼ିଶାର ଭୂମିକା ଖୁବ୍‌ ଗୁରୁତ୍ୱପୂର୍ଣ୍ଣ, ଓଡ଼ିଶାର ଏହି ‘ଲୋକନାଟ୍ୟ’ ମଧ୍ୟରେ ଭଦ୍ରକ ଅଞ୍ଚଳରେ ସୁପ୍ରଚଳିତ ‘ତାମସା’ର ଅବଦାନକୁ ଅସ୍ୱୀକାର କରି ହେବନାହିଁ । ଓଡ଼ିଶାର କେବଳ ଏହି ଭଦ୍ରକ ଅଞ୍ଚଳରେ ଏହି ଲୋକନାଟ୍ୟର ପ୍ରଚଳନ ରହିଛି । ଏହା ଓଡ଼ିଶାର ଲୋକନାଟ୍ୟର ଏକ ଶକ୍ତିଶାଳୀ ବିଭାଗରୂପେ ନାଟ୍ୟ ସମୀକ୍ଷକମାନେ ସ୍ୱୀକାର କରିଛନ୍ତି (୧) । ଏହି ସବୁ ତାମସାର ସ୍ରଷ୍ଟା ହେଉଛନ୍ତି ସ୍ୱର୍ଗତ ବଂଶୀବଲ୍ଲବ ଗୋସ୍ୱାମୀ । ସେ ଏହି ବିଶେଷଧରଣର ଲୋକନାଟ୍ୟ ରଚନା କରି ତାକୁ ଅଭିନୟ କରାଇ ତାକୁ ସ୍ୱତନ୍ତ୍ର ଲୋକନାଟ୍ୟଶୈଳୀରେ ପ୍ରତିଷ୍ଠିତ କରାଇଥିଲେ ।

 

କବି ବଂଶୀବଲ୍ଲଭ ୧୭୨୮ ମସିହାରେ (୧୧୩୫ ସାଲ) ଭଦ୍ରକ ନିକଟସ୍ଥ ସଙ୍ଗତ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ସେ ପ୍ରଥମେ ମୂର୍ଖ ଥିଲେ, ଏବଂ ଦେବୀଙ୍କ ପ୍ରସାଦରୁ ସେ କବିରେ ପରିଣତ ହୋଇଥିଲେ । ସେ ଯେଉଁ ସାତପ୍ରକାର ତାମସା ରଚନା କରିଥିଲେ ସେ ସମସ୍ତ ଚୈତ୍ର ମାସର ଶେଷ ସାତଦିନ ମହାଦେବଙ୍କ ଘଟଯାତ୍ରାରେ ଅଭିନୀତ ହୁଏ । ବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି ଦିନ ଏହାର ଅଭିନୟ ଅନୁଷ୍ଠିତ ହେଉଥିଲା । ଏହି ସମସ୍ତ ତାମସା ଚୈତ୍ର ମାସରେ ମଞ୍ଚସ୍ଥ ହେଉଥିବାରୁ ଏ ସବୁକୁ ’ଚଇତି ତାମସା’ ବୋଲି ମଧ୍ୟ କୁହାଯାଏ ।

 

(୧) ଓଡ଼ିଆ ନାଟକର ବିକାଶଧାରା (ଆଦିପର୍ବ) -ଡ. ହେମନ୍ତ କୁମାର ଦାସ, ସାଥୀମହଲ କଟକ-୨ ୧ ମ ପ୍ରକାଶ -୧୯୭୬ -ପୃ: ୧୧୨ ।

 

ସଂଗ୍ରହ:

୧୯୬୬ ମସିହାରେ ଡକ୍ଟର କୃଷ୍ଣଚରଣ ବେହେରା ‘ମୋଗଲ ତାମସା’କୁ ବହୁ କଷ୍ଟରେ ସଂଗ୍ରହ କରି ଦୀର୍ଘ ମୁଖବନ୍ଧ ସହ ସଂକଳନ କରିଛନ୍ତି (୨) । ମାତ୍ର ଅନ୍ୟ ଛଅଗୋଟି ତାମସାର ସଂଗ୍ରହ ଓ ତା’ର ସମାଲୋଚନା କରାଯାଇ ପାରିନାହିଁ । ଓଡ଼ିଶାର ଏହି ସାଂସ୍କୃତିକ ସମ୍ପଦର କ୍ରମଶଃ ଲୁପ୍ତ ହୋଇଯାଉଛି । ଏହି ଦିଗରେ ଏହି ଅଞ୍ଚଳର ସଂସ୍କୃତି ସଚେତନ ବ୍ୟକ୍ତିଙ୍କର ଦାୟିତ୍ୱ ସର୍ବାପେକ୍ଷା ଅଧିକ ।

 

ଏହି ଆଲୋଚକ ଏବେ (୧୯୭୯) ରାଧାକୃଷ୍ଣ ତାମାସା’ ଉଦ୍ଧାର କରିଛି । ଓଡ଼ିଶା ବାସୀଙ୍କ ଲୋକଲୋଚନକୁ ଆସିବାପାଇଁ ଏହାର ଆଲୋଚନା ଏଠାରେ କରାଯାଉଛି । ବାକି ପାଞ୍ଚଗୋଟି ତାମସାର ଅନୁସନ୍ଧାନ ଚାଲିଛି । ଏହି ଅନାବିଷ୍କୃତ ପାଞ୍ଚଗୋଟି ତାମସା ହେଲା-ଭିଲ୍‌ତାମସା, ଚଉଡ଼ା (ଚେହୋଡ଼ା ତାମସା, ଯୋଗୀ ତାମସା; ଫକୀର ତାମସା, ଲୋଲିନ୍‌ମଜାବାଇ ତମସା, ଏଥିମଧ୍ୟରୁ ‘ଯୋଗୀତାମସା’ ଓ ଚଉଡ଼ା ତାମସା ଦୁଇଟି ମଧ୍ୟ ଏଥିମଧ୍ୟରେ ଏହି ଆଲୋଚକ ବିଭିନ୍ନ ଲେଖକଙ୍କର ଉଦ୍ଧାର କରିଛି । ଆଶା ନିକଟ ଭବିଷ୍ୟତରେ ଅନ୍ୟ ତାମସା ଗୁଡ଼ିକର ସନ୍ଧାନ ମିଳିଯିବ ।

 

‘ରାଧାକୃଷ୍ଣ ତାମସା’ଟି ୧୯୭୯ ମସିହା (ଅଗଷ୍ଟ ମାସ/୧୨ ତାରିଖ)ରେ ଭଦ୍ରକ ସହର ଉପକଣ୍ଠର ପଶ୍ଚିମଦିଗକୁ ଥିବା ଜାନୁଗଞ୍ଜ ଗ୍ରାମର ଶ୍ରୀ ଶ୍ରୀନାଥ ରାଉଳଙ୍କ ପୁରୁଣାବସ୍ତାନୀରୁ ସଂଗ୍ରହ କରିଛି । ସଂକଳନ ଡକ୍ଟର ବେହେରା ‘ମୋଗଲ ତାମସା’ର ମୁଖବନ୍ଧରେ ସାତପ୍ରକାର ତାମସାର ବିଷୟବସ୍ତୁ ପ୍ରଦାନ କରିଛନ୍ତି । ସେ ‘ରାଧାକୃଷ୍ଣ ତାମସା’ର ‘ମୁରଲୀହରଣ’ ଓ ଏହିପରି ଦୁଇପ୍ରକାରର ଅବତାରଣା କରିଛନ୍ତି । ମାତ୍ର ଏଠାରେ ଯେଉଁ ରାଧାକୃଷ୍ଣ ତାମସାଟି ଆଲୋଚନା କରାଯାଉଛି, ତାହା ଶ୍ରୀକୃଷ୍ଣଙ୍କ ଘାଟସଧା ବା ଶ୍ରୀକୃଷ୍ଣଙ୍କ ଘାଟ ସଉଦା ବିଷୟକୁ କେନ୍ଦ୍ର କରି । ଏହି ବିଷୟଟି ହରିବଂଶରେ ସ୍ଥାନ ପାଇଛି ।

 

ଅଭିନୟ କାଳ ଓ ରଙ୍ଗମଞ୍ଚ :

ଏହି ‘ରାଧାକୃଷ୍ଣ ତାମସାର ଅଭିନୟ କାଳ ଦୀର୍ଘ ନୁହେଁ ଅର୍ଥାତ୍‌, ମାତ୍ର ଦୁଇଘଣ୍ଟା ମଧ୍ୟରେ ସମାପ୍ତ ହୋଇଥାଏ । ତେଣୁ ମୋଗଲ ତାମସାର ଅଭିନୟ ପରେ ପରେ ଅର୍ଥାତ୍‌ ରାତି ପାହିବାକୁ ଦୁଇଘଣ୍ଟା ପୂର୍ବରୁ ଏହା ଅଭିନୀତ ହୁଏ, ଆଜି କାଲିର ଅପେରା ପାର୍ଟିର ଠିକ ନୃତ୍ୟ ନାଟିକା ପରି ବ୍ୟବହୃତ ହୋଉଥିଲା । ‘ନୃତ୍ୟ ନାଟିକା’ ନାଟକ ପୂର୍ବରୁ ଅଭିନୀତ ହେଉଛି, କିନ୍ତୁ ରାଧାକୃଷ୍ଣ ତାମସା ‘ମୋଗଲ ତାମସା’ ଅଭିନୟ ପରେ ଅଭିନୀତ ହୁଏ ।

 

(୨) ମୋଗଲ ତାମସା-ପ୍ରକାଶକ ଶ୍ରୀ ପ୍ରବୋଧାନନ୍ଦ ମହାପାତ୍ର, ଭାଗବତ ପ୍ରେସ୍‌, ଭଦ୍ରକ-୧୯୬୬

 

‘ମୋଗଲ ତାମସା’ ପରେ ପରେ ଏହି ଅଭିନୀତ ହେଉଥିବାରୁ ‘ମୋଗଲ ତାମସା’ ରଙ୍ଗମଞ୍ଚ ଯାହା, ଏହାର ମଧ୍ୟ ରଙ୍ଗମଞ୍ଜ ଠିକ୍‌ ତାହା । ବରଂ, ମୋଗଲ ରାଜସିଂହାସନ ଅଂଶଟି ରାଧାକୃଷ୍ଣ ତାମସାର ଅଭିନୟ ବେଳେ ବ୍ୟବହୃତ ହୁଏନାହିଁ । ଏହାର ରଙ୍ଗମଞ୍ଚ ପ୍ରସଙ୍ଗରେ ଏତିକି କହିଲେ ଯଥେଷ୍ଟ ହେବ ଯେ ଏହା ଚତୁର୍ମୁଖୀ ରଙ୍ଗମଞ୍ଚରେ ଅନୁଷ୍ଠିତ ହୁଏ । ଅର୍ଥାତ୍‌ ଏହାର ଚାରିଦିଗରେ ଦର୍ଶକ ବସି ଦର୍ଶନ କରିପାରିବେ ।ଏହାର ବିଷୟବସ୍ତୁ ସଂକ୍ଷିପ୍ତ ଓ ସ୍ୱଳ୍ପ ଚରିତ୍ର ସ୍ଥାନ ପାଇଥିବାରୁ ଏଥିରେ ବାରମ୍ବାର ପ୍ରବେଶ/ପ୍ରସ୍ଥାନ ନଥାଏ, ତେଣୁ ବେଶବିନ୍ୟାସ ପାଇଁ ଯାହା ପ୍ରଥମରୁ ବେଶବିନ୍ୟାସ ଗୃହର ସାହାଯ୍ୟ ନେବାକୁ ହୋଇଥାଏ ।

 

ରାଧାକୃଷ୍ଣ ତାମସାର ଗଳ୍ପଭାଗ:

ଜାନୁଗଞ୍ଜ ଗ୍ରାମରୁ ଯେଉଁ ‘ରାଧାକୃଷ୍ଣ ତାମସା’ଟି ଉଦ୍ଧାର କରାଯାଇଛି, ସେଥିରେ ବସ୍ତ୍ରହରଣ ବା ମୂରଲୀ ହରଣର ବିଷୟବସ୍ତୁ ସ୍ଥାନ ପାଇନାହିଁ । ଏଥିରେ ହରିବଂଶର ଘାଟସଧା ବା ଘାଟ ସଉଦା ପ୍ରସଙ୍ଗଟି ସ୍ଥାନ ପାଇଛି । ଏହାର ବିଷୟସ୍ତୁ ସ୍ଥୂଳତଃ ଏହିପରି -

 

ଦିନେ ‘ଗୋଧନ’ ବା ଗୋରୁମାନେ କୁଆଡ଼େ ଚାଲି ଯାଇଛନ୍ତି । ତେଣୁ ସେମାନଙ୍କୁ ଖୋଜି ଆଣିବାପାଇଁ ଗୋପାଳବାଳକମାନେ ବାହାରି ଯାଇଛନ୍ତି । ସର୍ବପ୍ରଥମେ ଗୋପାଳବାଳକମାନେ ଏକତ୍ର ହୋଇ ଗୀତ ବୋଲିବେ ଶ୍ରୀକୃଷ୍ଣ କହିବେ -

 

‘‘କାଁରି, ଧବରୀ, ସଓଁରୀ, ଏକଚେରୀ, ଏକସେରୀ, ଗୁନ୍‌କିଘେରି ବଙ୍ଗୋରି, ପାଣ୍ତୋରୀ । ଗୋଧନସବ୍‌ କାହିଁ ବିଛର ଗେଇ ଧୁଣ୍ତାଲୋ ମହାରାଜ ।’’

 

ଗୋପାଳବାଳକମାନେ ବା ଅହିରୀ ଗଉଡ଼ମାନେ ବୃନ୍ଦାବନର କୁଞ୍ଜରେ ଗୋରୁମାନଙ୍କୁ ଖୋଜୁ ଖୋଜୁ ସେହି କୁଞ୍ଜବନର ଶୋଭାବର୍ଣ୍ଣନା କରିଛନ୍ତି-

 

‘‘ଶୀତଲ ସୁଗନ୍ଧ ମନ୍ଦ ମଧୁର ବନ ହେ,

ଷଡ଼ ଋତୁକେ ରିତ ବିତ ଯାତ ଏକ ଛନ ମୋ

ଭାର ଭାର ଲଟ ପଟାତ ଲହ ଲହ ହାତ ଲଡ଼ା ଜାଲ,

ପୁରନ୍‌ଫୁଲ ଫୁଲ ପାତ ବଲ୍ଲବ ତରୁ ଅନ ମୋ

ବୋଲତ ଚଇଓର ମୋର କୋକିଳ ଶୁକ ଶାରୀ

            ସଙ୍ଗନ ସଦା ମଗନ ।

ମଧୁକର ମକରନ୍ଦ ପରାଗନ ସୋ

ବୋଲତ ଶ୍ରୀ ବ୍ରିନ୍ଦାବନ ଶୋଭାବର ନିନ ହୋତ,

ସାରଦାମ ହୋସ ଶେଷ ଚତୁର ମୁଖ ବଳମୋ ।।’’

 

ରାଧାକୃଷ୍ଣ ତାମସା : ଏକ ଦୃଷ୍ଟିପାତ୍‍

ଶ୍ରୀକୃଷ୍ଣ ତାଙ୍କ ସଖା ସୁବଳକୁ ବୃନ୍ଦାବନର ଦ୍ୱାଦଶ ବନ ମଧ୍ୟରୁ ଗିରିଗୋବର୍ଦ୍ଧନରେ ଗୋରୁ ସବୁ ଚରୁଛନ୍ତି । ତେଣୁ ସେମାନଙ୍କୁ ଖୋଜି ଆଣିବାକୁ କହିଲେ ।

 

କୃଷ୍ଣ–

‘‘ଓ ସୁବଲ ମହାରାଜ, ବ୍ରିନ୍ଦାବନମେ ଦ୍ୱାସଶ ବନ, ଉନ୍‌ମେ ଗିରିଗୋବର୍ଦ୍ଧନ ।।

ଗୋଆନ୍‌(ଗୋଧନ) ଖାଏ ତ୍ରୀନ୍‌ ଉନ୍‌ମେ । ଧୁଣ୍ତ୍‌ ଲୋ ମହାରାଜ ।।’’

 

ଏହାଶୁଣି ‘ଅହିରୀ’ମାନେ (ଗୋପାଳ ବାଳକମାନେ ) ପ୍ରଶ୍ନ କରିଛନ୍ତି-ଏହି ଯେଉଁ ଦ୍ୱାଦଶ ବନ କହିଲେ ସେ ସବୁ କଅଣ ? ସେହି ବାର ବନର ନାମ ସବୁ କଅଣ ?

 

କୃଷ୍ଣ କହିଛନ୍ତି-

‘‘ତାଲବନ, ଖେଜୁରିବନ, ଭଣ୍ତାରୀବନ, ଲୌହବନ,

ଆମ୍ବବନ, ଜାମ୍ବବନ, ପଲାଶବନ, ବଉଲାବନ ।

ଶାଲବନ, ଲମାଲବନ, କେଲିବନ, କାମ୍ୟବନ,

ଏସ ହୈ ଦ୍ୱାଦଶବନ ଇନମେ ଧଣ୍ତ୍‌ଲୋ ମହାରାଜ ।’’

 

ତା’ ପରେ ଆହିରୀମାନେ ଯାଇ ବିଭିନ୍ନ ବନରେ ଗୋଧନ ଖୋଜିଛନ୍ତି । ସେମାନଙ୍କ ମୁହଁରେ ଯେଉଁ ସମ୍ମିଳିତ ଗାନ ସ୍ଥାନ ପାଇଛି, ତାହା ଖୁବ୍‌ ବର୍ଣ୍ଣନାତ୍ମକ ହୋଇଛି -

 

‘‘ବହତ ସଧୀର ମଳୟ ପବନ ଲଉଳିତ ଉତନବ କାନନ

ଡାହୁକ, ଶୁକ, କୋଳିଲଗନ, ମଧୁର ଧୁନି ଭୁନ୍‌ମେ ।।

ସାରସ ମୁନିଆ ବସନ୍ତ, ପାଣ୍ତୁକ ଭାରତ ଭୁଜଙ୍ଗ,

ବିବିଧ ପଶୁ ବତକ ହଂସ ମୋର ଅଲିସ୍‌ ଘନମେ ।

ବିବିଧ ବିଧ ଲତାପାତ ତରୁଗନ ପରଯଶ ମୋ ଗାଓତ

ପ୍ରଫୁଲ୍ଲିତ ଓତ ବିବିଧ ଫୁଲ ମାଧବୀ ମାଲତୀ ଚମ୍ପା ବକୁଲ

କୁନ୍ଦ ଗୁନ୍ଦ କେଶର ଗୁଲ ସଉଓତ ତରୁଅନ ମେ ।।

ଚୁତ ପଲାସ ଭାଣ୍ତିର ବନ ପିପିଲ ଶ୍ରୀଫଲ୍‌ ଅର୍ଜୁନ,

କେଲିକାମ୍ୟ ଦ୍ୱାଦଶବନ ଯମୁନାଜୀ କେ ତଟମେ ।

ବିହାର ଓତ ନନ୍ଦଲାଲ ସଙ୍ଗେ ଲିୟେ ଗୁଆଲବାଲ

ବିବିଧ ଭାତ ପୃହତମାଲ ବାଂଶରୀ ସ୍ୱଉତ କରମେ ।।

ବ୍ରିନ୍ଦାବନ ଛବ ବିଲାସ ନିରଖତୁ ବଲ୍ଲଭ ଉଲ୍ଲାସ,

ବାଗ୍‌ଦେବୀ ମୁଖ କଓ ଲମମେ ।

 

ସେମାନେ ବିଭିନ୍ନ ବନରେ ଗୋରୁ ଖୋଜୁ ଖୋଜୁ ଯମୁନାନଦୀ କୂଳରେ ଗୋପାଙ୍ଗନା ଏବଂ ଶ୍ରୀକୃଷ୍ଣଙ୍କୁ ସେମାନେ ଭେଟିଛନ୍ତି । ତା’ପରେ ରାଧା (ରାଧିକା)ଙ୍କ ସହିତ ଗୋପୀମାନେ ଦହି ବିକ୍ରି କରିବାକୁ ଗୋପପୁରରୁ ମଥୁରାହାଟକୁ ବାହାରିଛନ୍ତି । ମୁଣ୍ତରେ ସେମାନଙ୍କର ଦୁଧ ଓ ଦହି ପସରା । ରାଧା ମୁଣ୍ତରେ ଦୁଧପସରା ଧରି ଗୀତ ଗାଇ ଗାଇ ପ୍ରବେଶ କରିଛନ୍ତି-

 

‘‘ଦଧ କେଇ ଲେଓରେ ମାଈ

ହାମ୍‌ ଗୋପ ନଗର ସେ ଆଈ

ମେ ଦଧ ବେଚନେ ଜାତି ବ୍ରିନ୍ଦାବନ

ଗଲି ଗଲି ଫିରେ ଆଇ ।

ଦଧ କେଇ ଲେଓରେ ମାଈ-।।’’

 

କୃଷ୍ଣ ପଚାରିଛନ୍ତି–ତୁମେ କେଉଁଠିକାର ଗଉଡ଼ୁଣୀ ? ତୁମେ ରୁହ ଏବଂ ମୋତେ ଦାନ (ଘାଟ ସଉଦା ) ଦେଇକରି ଯାଅ ।

 

ରାଧିକା କହିଛନ୍ତି–ମୁଁ ବ୍ରଜପୁରର ଗଉଡ଼ୁଣୀ ଏବଂ ବୃନ୍ଦାବନରେ ଦୁଧ ବିକ୍ରି କରୁଛି-‘‘ହାମ୍‌ ବ୍ରଜେ କି ଅହିରନ୍‌, ଯାଚି ଦଧବେଚନ ବ୍ରିନ୍ଦାବନ ମେ -’’ ।

 

ଅହିରୀମାନେ ଦୂରରୁ ଥାଇ କୁଞ୍ଜବନର ଶୋଭା ବର୍ଣ୍ଣନା ସହିତ ଶ୍ରୀକୃଷ୍ଣ ଗଉଡ଼ୁଣୀ ବା ଗୋପୀମାନଙ୍କ ସହିତ କଥୋପକଥନ କରୁଥିବାର ଲକ୍ଷ୍ୟ କରିଛନ୍ତି ।

 

‘‘ତରୁଓନ ପର ଲତା ଛନ୍ଦମାରତ ଶୀତଲ ସୁଗନ୍ଧ

ପୁହୁ ପନଶବ ମନ୍ଦ ମନ୍ଦ ବ୍ରିନ୍ଦାବନ ବିଚହେ ।।

ଆଦିତ୍ୟ ନନ୍ଦନ ଚିର ସଜଲ ଜଲହ ବହତ ଧୀର

କୁସୁମ ସୁରସେ ଭ୍ରମର ପିଜେ ଘନ ନ ଘନନ ବୋଲିହେ ।।

X            X            X            X

 

ଦ୍ୱାଦଶ ବନ ମନ୍ଦ ମନ୍ଦ ଶୋହେତ ପ୍ୟାରୀ ଶ୍ୟାମକୁଣ୍ତ

ଗୁଆଲେ ବାଲ ବୃନ୍ଦେ ନନ୍ଦ ନନ୍ଦନ କଟକା ଛେନି ପୀତବସନ

ଭାଲେ ଭ୍ରୂକୁଟି ଅଗୁର ଚନ୍ଦନ ନଟବର ଛବି ଧାରି ହେ ।।

ଚତୁରାନନ୍ଦ ସନକେ ଦିଆସୟେ କୋନି ତକେ ଆମ,

ବଲ୍ଲଭ କୋହିଦ୍‌ବଲାସ ୟେସି ବ୍ରଜ୍‌କି ଧାମ୍‌ହେ ।।’’

 

ଶ୍ରୀକୃଷ୍ଣ ରାଧାଙ୍କୁ ତାଙ୍କର ପରିଚୟ ଜାଣିବା ପାଇଁ ଗୀତରେ ପଚାରିଛନ୍ତି-

 

‘‘କୋନ୍‌ତୁ କୋନ୍‌ତୁ କେନରେ ଗ୍ୱାଆଲାନା,

ଥାରି ରହୋ କିଥେ ଯାତେ ଚଲିରି ।।

ଶିସେ ତେରି ମଟୁକି କହୋ କାହେକି,

ୟେତେ ବିହନେତେ କିଉଁନିକି ଲିରି ।।

କ୍ୟା କଛୁ ହୈ ମଟୁଳି ବିଚେ ତେରି

ପଶାରା ଉତ୍ତାରେ ଦେଖା ଓ ମୋହେରି ।।

ଆନ୍‌ମିଲି ଅଲି ବେଲିରେ ଗ୍ୱାଲାନା,

ବଲ୍ଲଭ ଆଜ ବେହାନ ଭଲିରି ।।’’

 

ଶ୍ରୀକୃଷ୍ଣଙ୍କ ପ୍ରଶ୍ନରେ ରାଧିକା ଉତ୍ତରରେ କହିଛନ୍ତି–ମୋତେ ଏକୁଟିଆ ପାଇଁ ମୋତେ କାହିଁକି ଅଟକାଉଛି ?

 

‘‘X            X            X

ମୋହେ ଏକଲି କରୋକାହେ ଠାଡ଼ି

କାହେ କିସିସ୍‌ ପସାରା ମୋରିତୁମ

ପୃଚ୍ଛବ କାହା କାହା କାହେ ହୋ ତୁମାରି ।।’’

 

ଶ୍ରୀକୃଷ୍ଣ ତଥାପି ରାଧିକାଙ୍କୁ ବାଟ ଛାଡ଼ିଦେଇ ନାହାନ୍ତି । ପସରା ମୁଣ୍ତରୁ ଉହ୍ଲାଇ ଦୁଧ ଦେବାକୁ ସେ ଅନୁରୋଧ କରିଛନ୍ତି ।

 

କୃଷ୍ଣ-‘‘ଅଲି-ଅଲ ବୋଲି ଗ୍ୱାଲାନା

କାହେ ନା ମୋରି ମୀନ ।।

ବଇଠେ ପସାର ଉତ୍ତାରୋ ମୋହେ

ଦେ ଦଧ ଗୋରସ ଦାନ ।।

 

ଗ୍ୱାଲାନା ଛିପେ ଛିପେ ଯାତେ ନିତେ

ଆଜି ମଲିହେ ଆନ ।।

ଯାନ ପରେଗି ଆଜ ଏସି

ମୋରି ଏସି ଦାନ ।।

ଥାରି ରହୋ ଅହିରନ୍‌,

ଦିନେ ମୋରି ଦାନ ।’’

 

ଶ୍ରୀକୃଷ୍ଣ ଘାଟ ସଉଦା ମାଗିବାରୁ ରାଧିକା ସେହି ଦାନ କଅଣ ବୋଲି ପଚାରିଛନ୍ତି.....

 

ରାଧିକା-

‘‘କହ ମା ଗୋଦାନ ତୁମ୍‌ହୋ, ହୋ ତୁମ୍‌ କୋନ ମୁରାର

କାଦକାଜ ଲିଏ ଦାନି ଭୟେ କେସେ ଦାନ ତୁମାର

ମୋହନ ମୋହେ ଓରେ କାହ୍ନା, ଛିପନ କ୍ୟା କ୍ୟା ହୋତେ

କଧିନ୍‌ ଦେଖିନା ଶୁନି, ଦାନକ ହୋଇଥିଲେ ।।

ମୋହେ ଦଧ ବିଗାରେ ଜାଏଣ ଦେରେ କାହ ।’’

 

ଶ୍ରୀକୃଷ୍ଣ ରାଧିକାଙ୍କର ଏପରି କଥା ଶୁଣି ତାଙ୍କୁ ‘ଗୁମାନୀ ’’ ବୋଲି କହିଛନ୍ତି-

 

‘‘ଯ୍ୟୋରେ ଗୁମାନୀ ଗୁଆଲନ୍‌ ହେରେତୁ

କାନ୍‌କହେ ମୁନକେ କୋନ୍‌ ପାଓେଁ ।।

କ୍ୟା ଦିଲିବିଚେ ଗୁମାନ କରିହେଁ

ଫୁକାର ମେରି ସୁନ୍‌କେ ଚଲିଯାଓେଁ ।।’’

X            X            X

 

‘ଗୁମାନୀ’ କଥା ଶୁଣି ରାଧିକା କ୍ରୋଧ ପ୍ରକାଶ କରିଛନ୍ତି । ମୋ ଗୁମାନୀ ବୋଲି କହିବାକୁ ତୁମେ କିଏ ବୋଲି ପ୍ରଶ୍ନ କରିଛନ୍ତି-

 

ରାଧା-

‘‘ହୋ ତୁମ୍‌ କୋନ ଏହୋ ମୁରଲୀଧର,

କାହେ କହୋ ତୁମା ମୋହେ ଗୁମାନୀ ।

ହେ ନରକା ବରକା ଏସି ବୋଲତ,

ହାମ୍‌ ତୁମାରେ କଛୁ ବାତସେ ହୁନି ।।

ମାଗତୁ ହୋ ଜବଦାନ ହାମେ ତୁମ୍‌,

କୋନ୍‌ କିଆ ହେଇଥେ ତୁମ ଦାନି ।।

ବଲ୍ଲଭ ମେତ ସହି ବହୁ ରୋ ତୁମ,

ବୋଲ ଗିଏ ବହୁଦିଏ ଜଲ୍ଲାନି ।।’’

 

ରାଧାଙ୍କର ଏପରି କଥାରେ ସେ–ସେ ବଡ଼ ‘ହଟେଲି’ ନାରୀ ତାହା ସେ ଜାଣିପାରି ଦାନ ମାଗିଛନ୍ତି –

 

‘‘ଗ୍ୱାଲନ ମୋହେ ଜାନ୍‌ହେ, ବଡ଼େ ହଟେଲି ନାରୀ

ବେଗିଓମାରି ଦାନଦେ, କ୍ୟା କରୋତକରାଲି,

ଗୁଆରନ୍‌ ମୋହେ ଜାନମରି ସହଜେ ନଦେଗି ଦାନ,

ଶୁନେଗି ଗାରି ବୁରି ବୁରି ହୁଏଗଗି ଅପମାନ

ଥାରି ରହୋ ଅହିରନ୍‌ ଦିଜେ ମୋରି ଦାନ ।’’

 

ରାଧା କହିଛନ୍ତି-ମୋତେ ଏକୁଟିଆ ପାଇ ବାଟରେ ତୁମେ ମୋହନ ସାଜି ମୋତେ ହଇରାଣ କରୁଛ-

 

‘‘ମୋହନ ହମାରେ ଜାତ ବୋ, ରୋ ତୁମ ରୋନିକେ ସାହା

ଦେଖା ଏକଲିମେ ଅହିରୀ ! ମାରଗ ବିଚେ ଡରାଙ ।।

ମୋହନ ସାଜି ବାତ୍‌ମେ, କାହେ ଓରସି ଆଓ୍ୱେ,

କହ କହ ଲିଏ ଦାନୀତୁମ, ସେ ମୃଜେ ବତଲା ଓ୍ୱେଁ ।।

ମୋହେ ଦଧ ବିଗାରେ ଜାଣାବେରେ କାହ୍ନା ।।’’

 

ଶ୍ରୀକୃଷ୍ଣ ମଧ୍ୟ ଟିକେ ବିରକ୍ତ ହୋଇ ଉଠି ପସରା ଛଡ଼ାଇ ରଖିବାକୁ ପ୍ରସ୍ତୁତ ହୋଇଯାଇଛନ୍ତି–

 

‘‘ଛୋଡ଼୍‌ ପସାରୋ ଗୁଆହୋରି ଗ୍ୱାରନ,

କେତେ ଗୁମାନ କି ବାତ କରିଲେ ।।

ମାନ ଗୁମାନ ଗରୋରି ଇଆ ଅବ,

କାହାଁ ଘର ସବଯାନ ପରି ହୋ,

ଦେତିନ ଦାନ ନିଦାନସି ବୋଲତ ।।

ଯୋରଯବାର ଝୁରେ ଝରାରେ

ବଲ୍ଲଭ ୟା ବଦକା ବସି ଭାବକି

ଯାନ ପରେ ନଖରେ ଟକରେ ।।’’

 

ରାଧା କହିଲେ ମୋର ଗୋଟେ କଥା ଶୁଣ, ତୁମେ ଯଦି ଏଠି ଘାଟରେ ଦାନ (ଘାଟ ସଉଦା) ଗ୍ରହଣ କରିବ, ତେବେ ନନ୍ଦର ଗୋରୁ କିଏ ଆଉ ଚରାଇବ ? ତୁମେ ବାମନ ହୋଇ ଚାନ୍ଦକୁ କାହିଁକି ହାତ ବଢ଼ାଉଛ ?

 

ରାଧା-

‘‘ଶ୍ୟାମ ଶୁନୋ ଏକ ବାତ୍‌ମୋରି କହତେ,

ମୁଁ ସେକାନ ମୋରି ମୁଖେ ଆଓେଁ ।

ଦାନୀ ଭୟେ ତୁମ ତୋ ରହେ ଘାଟ ମୋ

ନନ୍ଦିକି ଗୋଧନ କୋନ ଚରାଓେଁ ।

ଦାନକିଆ ହୋଇଥେ ତୁମ ଯୋ କୋଉ,

ବାଓରସେ ବିଜୟା ରସ ଖାଙେଁ ।।

ବଲ୍ଲଭ ଏସିନ ଦେଖିନା ଶୁନି,

ବାଓେଁନ ଚାନ୍ଦ୍‌କେ ହାତ ବତାଓେଁ ।।’’

 

ଶ୍ରୀକୃଷ୍ଣ ରାଧାଙ୍କର ଏପରି କଟୂକ୍ତିରେ କହିଲେ-ହେ ଗଉଡ଼ୁଣୀ, ତୁ ଦୁଷ୍ଟାମି ଛାଡ଼ିଦେ, ତୁ ନିଜକୁ ମୋତେ ଦାନ କର ।

 

‘‘ଗୁଆରନ୍‌ ନଖରା ଛାଡ଼ଦେ, ଦେମୋରି ନିଜଦାନ

ମୁହଜ କଲେ ସୁଖାରି ଲାଗେ, ଅଖର ଅବଲାଜତ ।।

ତୋହଡ଼ ରାଓନ ବାଧା କିଆ, ଶୁନ୍‌ରେ ବାଓରା ନାରୀ

ଦାନ ହାମାଦେ ଯାଚଲି, ଯିନକରେ ବଏର ବିଗାର

ଥାରିରହୋ ଅହିରନ୍‌

ଦିଜେ ମୋରି ଦାନ ।।’’

 

ରାଧା ଶେଷକୁ ହାରିଛନ୍ତି ଓ କହିଛନ୍ତି–ତୁମର ଯାହା ଇଚ୍ଛା ତାହା କର ।

 

‘‘କାହେ ଗାରି ଦେସଗା ମୋହନ ହୋ ତୁମ କୋନ,

ଶ୍ରୀ ହେମେଗାରି ଦିଜିଏ ହୋଇୟେ ଧୀଟୋ ଧୀଟୋନ,

ଯୋମନ୍‌ ମାଠନ ସୋକହେ, ଶୁନ, ନନ୍ଦସୁତ କହ୍ନା

କାହା କରସେ ଦେଖିଏ କୈସେ ଲିଯୋଦାନ,

ମୋଦେ ଦଧ ବିଗାର ଜାଣାଦେରେ କହ୍ନା ।’’

 

ଶ୍ରୀକୃଷ୍ଣ ଏହାର ଉତ୍ତରରେ କହିଛନ୍ତି –

 

‘‘ଏକହିବାତ୍‌ କହିରେ ଅହିରନ୍‌ ,

ଦାନ ଦିଏ ଦିନ ଯାନ ନ ପାଓେଁ

କିନେ ଅନେକ ଅନେକ ଛମା ଓ ରଛମା ।

କିଛୁ କିଛୁ କାମ ନ ଆଓେ ।।

ତୁଟେଗି ମାନ ନ ଛୁଟେଗି ଦାନ,

ଦାନ କାହାସୁନ୍‌ କାନା ବତାଓେଁ,

ବଲ୍ଲଭ ୟା ନିଶି ଦାନ କି କାରନ୍‌

ଲାଖନ୍‌ କିସନ୍‌ ମାନ୍‌ ଗଓ୍ୟା ଓେଁ ।।’’

 

ଶେଷରେ ଶ୍ରୀକୃଷ୍ଣ ଘାଟସଧା ନ ଦେଲେ ପସରା ରଖିବାକୁ କହିଲେ-

 

‘‘ଛୋଡ଼ ପସାରୋରି ଗ୍ୱାରୋରି ଗୁଆଲନ୍‌

ୟା ଚଲି ଦେଖ ତେରି ସାଜନାହିଁ ।

ଛଅବକା ଲୁଟ ଭରେ ସଖି

ଦ୍ୱାହି ଦିଏ ଯବ କଂସ ରାଜଇ ।।’’

 

ରାଧା ଏଥିରେ ଅତିବ୍ୟସ୍ତ ହୋଇ ପଡ଼ିଛନ୍ତି-

 

‘‘ଦ୍ୱାହିଏ ଦ୍ୱାହିଏ ଦ୍ୱାହିଏ ଛବନା ମେରୋ ପସାରୋ ଉତ୍ତାରେ କହ୍ନାଇ;

ବଲ୍ଲଭ ଯାକୁ ଦ୍ୱାହିଦିଏ କାହା କରେ ଦ୍ୱାହି କଂସ ରଜାଇ ।’’

 

ଶ୍ରୀକୃଷ୍ଣ ଦୁଧ ଦାନ କରିବାକୁ କହିଛନ୍ତି । ଦୁଧ ପାନ କରିବାକୁ ଦେଲେ ସେ ତାଙ୍କୁ ତା’ପରିବର୍ତ୍ତେ ବଂଶୀର ସୁମଧୁର ଧ୍ୱନି ଶୁଣାଇବେ ।

 

‘‘ଗୁଆଲନ୍‌ ମୋହେ ଦଧ ଦାନନେ, ବଂଶୀ ଶୁନାଓେଁ ତୋହେ

କେମିକି ତେରି ଯୌବନ ଟୁକୁ, ମାଖନ ମୋହେ ଦେ ।।’’

 

ସେ ନିଜେ ରାଧାଙ୍କ ଦାସ ବୋଲି ସ୍ୱୀକାର କରିଛନ୍ତି-

 

‘‘ଶୁନେ ରାଧିକେ ସୁନ୍ଦରୀ             ଶ୍ୟାମ ତୋମାରି ଦାସ

ଥାରି ରହୋ ଅହିରାନ୍‌ ଦିଜେ ମୋର ଦାନ ।।’’

 

ରାଧା ଶ୍ରୀକୃଷ୍ଣଙ୍କର ଏହି କଥାରେ ମୋହିତା ହୋଇ ପଡ଼ିଛନ୍ତି ତେଣୁ, ସେ ଦୁଧଦାନ କରିବାକୁ ସମ୍ମତି ହେବା ସଙ୍ଗେ ସଙ୍ଗେ ନିଜକୁ ଦାନ କରିବାକୁ ମଧ୍ୟ ରାଜି ହୋଇଛନ୍ତି । ସେ ନିଜେ ଶ୍ରୀକୃଷ୍ଣଙ୍କ ଚରଣରେ ଜନ୍ମ ଜନ୍ମାନ୍ତରେ ଦାସୀ ବୋଲି ନିଜକୁ ଉତ୍ସର୍ଗ କରିଛନ୍ତି-

 

‘‘ଯତକ ତୁମାରି ଦଧ ଦାନହୋ; ସେ ତୁମଲି ଯୋ କାନ ।

ଜିନ୍‌ଛୁଏଣି ତନ୍‌ମେରି, ଗାରି ଦେବୋନି ଦାନ;

ଚରନ୍‌ପହକି ନାଗହୋ, ଲେଓ ଗୋରସ ଖାଓଁ,

ଯୋରସ ହରି ତୁମ୍‌ ଚାହିଁହୋ, ଓରସ ଇଥେ କାହା ପାଓେଁ ।

ଲେଓ ଲାଲାଧି ରଜୋଧରୋ, ଜିନେ ବଂଶୀ ଅକୁଲାନ ।

ରାଧା ତୋମାରି ଦାସ ପରି, ସୋକି ଖୋଜ ଝାଓେଁ ।।

ଯୋରସ୍‌ ଚାଓେଁ ଓରସ ଲେଓ, ଶୁନ୍‌ନନ୍ଦସୁତ କାହ୍ନା ।

ଜନମ ବନମକ୍‌ ଦାସ ତୋମାରି ତୁମ୍‌ହୋ ମୋରି ପ୍ରାନ୍‌।

ମୋହେ ଦଧ ବିଗାର ଜାଣା ଦେରେ କାହ୍ନା ।।’’

 

ପରିଶେଷରେ ରାଧାକୃଷ୍ଣଙ୍କର ମିଳନ ଘଟିଛି ଓ ଅହିରୀମାନେ ସମ୍ମିଳିତ ଗାନ କରିଛନ୍ତି ।

 

‘‘କଟକା ଛେନି ବିରାନେ ତାପର ପଟୁକସା ଯେ ମୁରଲି ଅଧର ଓ୍ୟାମେ

ଶିର ମୟୁର ପୁଚ୍ଛଧାରୀ ମଥୁରାକି ଗୟଲ ଥାରି ।

ଦେଖତ କଉଗୁନ ଓ୍ୟାରୀ ବଧ ହୋକ ଘାଟ ଯାଗ ଅରିକର ଫୁକାରି

ବୃକ୍ଷଭାନୁ ଯାଚକ ଆଗେ ଯଉବନ ଗାଓ ମାଝେ

ଦଧଲେ ତ ବୁର ଯୁରାରି ବଲ୍ଲଭି ତ୍ରିପାକି ସାଗର

ରସଖାନ ରସ ଉଜାରର ମନ ମୋହନ ନଟ ନାଗର

ଘଟ ଓ୍ୟାର କୋ ବେଲେ ହାରୀ ।।’’

 

ପୁଣି ସେମାନେ ବୋଲିଛନ୍ତି –

 

‘‘ଧୀଟୋ ଯମୁନାକୋ ତୀରେ । ସୁନ୍ଦର ପିକ ଭ୍ରମର ପିରେ

ଅଟବୀ ଓଜର କୈସେ ଦୀର କୋଟ ମୁରସା ଯୋ

ରାମାନୁଜ ନନ୍ଦଲାଲ କଣ୍ଠେ ବୈଜୟନ୍ତି ମାଲ

ମୁରଲୀ ମୁଖ ଅତି ରସାଲ ରାଧେ ଧ୍ୱନି ବାଜେ

ସରସିଜ ଘନ ଓ ଓଜର ରଙ୍ଗ ଅମଲ ନିନ୍ଦେ ଚରନ ଯୁଗ୍ମମନୁ ପରାରବ ।

ଯୁବତୀ ଭଗ ମୋହନ ଚିଗାଯେ -’’

 

ଚରିତ୍ର:

ଲୋକନାଟ୍ୟରେ ବହୁସଂଖ୍ୟକ ଚରିତ୍ରର ସ୍ଥାନ ନାହିଁ । କାରଣ ବହୁସଂଖ୍ୟକ ଚରିତ୍ର ହେଲେ ଲୋକମାନଙ୍କୁ ଚିହ୍ନିବାକୁ କଠିନ ହୋଇଥାଏ (୩) । ଏହିପରି ସ୍ୱଳ୍ପ ଚରିତ୍ର ବିଶିଷ୍ଟ ଲୋକ-ନାଟ୍ୟ ଏହି ରାଧାକୃଷ୍ଣ ତାମସା (ଘାଟ ସଉଦା)। ଏଥିରେ ଅତି କମ୍‌ରେ ଚାରିଜଣ ବ୍ୟକ୍ତି ଆବଶ୍ୟକ-। ସେମାନେ ହେଲେ ରାଧା, କୃଷ୍ଣ ଏବଂ ଦୁଇଜଣ ବା ଅଧିକ ଗୋପାଳ ବାଳକ । ରାଧା ଭୂମିକାରେ ପୁରୁଷ ଅଭିନୟ କରିଥାଏ । ମଝିରେ ମଝିରେ ଅହିରୀ ବା ଗୋପାଳ ବାଳକମାନେ ଆସି କୁଞ୍ଜବନର ଶୋଭା ଓ ଶ୍ରୀକୃଷ୍ଣଙ୍କ ରୂପ ବର୍ଣ୍ଣନା କରିଛନ୍ତି । ଗୋଟିଏ ଦୃଶ୍ୟ ସଂଯୋଜନାରେ ରାଧା ଓ ଶ୍ରୀକୃଷ୍ଣଙ୍କର କଥୋପକଥନ ମଧ୍ୟରେ ସମାପ୍ତ ହୋଇଥିଲେ ମଧ୍ୟ ଅହିରୀମାନଙ୍କର ଗୀତଗୁଡ଼ିକ ଏହାକୁ କେତୋଟି ଦୃଶ୍ୟରେ ବିଭକ୍ତ କଲାପରି ମନେ ହେବ ।

 

(୩) ‘‘ଲୋକ ନାଟ୍ୟୟୋଁ ମେଁ ଅନେକ ପାତ୍ର ଏକ୍‌ସାଥ ରଙ୍ଗମଞ୍ଚ ପରନହିଁ ଆତେ, କ୍ୟୋକ ଉନ୍‌କୀ ପହିଚାନ୍‌ ଦର୍ଶକୋଁକେ ଲିୟେ କଠିନ୍‌ ହୋ ଜାତିହୈ ।’’–ଲୋକଧର୍ମୀ ପ୍ରଦର୍ଶନକାରୀ କଲାଏ–ଡ: ଦେବୀଲାଲ ସାମର–ଭାରତୀୟ ଲୋକକଲା ମଣ୍ତଲ-ଉଦୟପୁର-୧୯୬୮-ପୃ: ୨୪୪ ।

 

ଏପରି ନାଟରେ ଅଧିକ ଚରିତ୍ର ବୃଦ୍ଧି କରିବାକୁ ଇଚ୍ଛା କଲେ ଗୋପୀ ଏବଂ ଅହିରୀମାନଙ୍କର ସଂଖ୍ୟା ବୃଦ୍ଧି କରାଯାଇ ପାରେ ।

 

ସଂଳାପ:

ଏହାର ସଂଳାପ ହେଲା–ସଂଗୀତ । କେବଳ ଚରିତ୍ର ମଝିରେ ମଝିରେ ଗୀତ ପୂର୍ବରୁ ବା ପରେ ସେହି ଗୀତର ମର୍ମକୁ ଗଦ୍ୟରେ ପ୍ରକାଶ କରିଥାଏ । ତଥାପି କେତେକ ସ୍ଥାନରେ ଗଦ୍ୟ ସଂଳାପ ଦେଖିବାକୁ ମିଳେ । ଯଥା–

 

ଶ୍ରୀକୃଷ୍ଣ–‘‘ତୁମ କାହିଁକି ଗୁଆଲନ୍‌ । ଥାରି ରହୋ ଅହିରନ୍‌

ଦିଜ୍‌ ମୋରି ଦାନ ।’’

 

ରାଧିକା–‘‘ହାମ୍‌ ବ୍ରଜେକି ଅହିରନ୍‌, ଯାଚି ଦଧବେଚନ

ବ୍ରିନ୍ଦାବନ୍‌ମେ ।’’

 

କବିତ୍ୱ :

କବି ସ୍ୱର୍ଗତ ବଂଶୀବଲ୍ଲଭ ଗୋସ୍ୱାମୀଙ୍କ କବିତ୍ୱ ପ୍ରକାଶ ପାଇଛି ଅହିରୀ ବା ଗୋପାଳ ବାଳକମାନଙ୍କ ପଦ୍ୟାବଳୀରେ । ରାଧା ଏବଂ ଶ୍ରୀକୃଷ୍ଣଙ୍କ ଗୀତରେ କେବଳ ବିଷୟବସ୍ତୁର ପ୍ରବାହମାନତା ପରିଲକ୍ଷିତ ହୋଇଥାଏ ।

 

ପୁରାତନ କାବ୍ୟ–କବିତାରେ କବିଙ୍କର ରୂପ ବର୍ଣ୍ଣନା, ଋତୁ ବର୍ଣ୍ଣନା, ବନ ବା ଉପବନ ବର୍ଣ୍ଣନା ଯେପରି ପ୍ରକାଶ ପାଇଥାଏ, ଠିକ୍‌ ସେମିତି ଅହିରୀମାନଙ୍କ ଗୀତରେ ଏହି କାବ୍ୟିକ ଉପାଦାନ ପରିଦୃଷ୍ଟ ହୁଏ । ସେମାନେ ଶ୍ରୀକୃଷ୍ଣଙ୍କ ରୂପ ବର୍ଣ୍ଣନା କରିଛନ୍ତି -

 

‘‘      X            X            X

କହୁକଟି ସଜନୀ ପୀତ ତ୍ରିରଙ୍ଗ ଅପାର ଉଧାରହି ଭକ୍ତ ଉଧାରି

ସାଗର କାରନ ଗୋରଖ ଉଓ୍ୟାରନ୍‌ ଗୋପିନୀ ଚିତ୍ତ ନୟନ ବିହାରୀ

ଶିରେ ଶୋହତ ମୟୁର ପଖାଉଜ କାନ ଅନଖ ବାଁ ମୋରିଧାରୀ

ବଲ୍ଲଭ ରାଧା ମାଧବ କଷ୍ଟା ନିକଷ୍ଟ ନିବାରୀ ।।’’

 

ପୁଣି ଅନ୍ୟ ଏକ ସ୍ଥାନରେ –

 

‘‘ମାଥେପର ମୟୂର ମୁକୁଟ, ଚନ୍ଦ୍ରିକାକୁ ୟେସି ଝଟକ,

ଝଟକତ ସବ୍‌ ପୁହର ଲଟକ ସଟପତ ମଧୁ ପିଜିହେ ।

ମନି ମର୍କତ ଚୁନି ଯତନ ଲାଗିହେ ସବ୍‌ ଅଷ୍ଟରତନ,

ହାଲ ମୋତି ପୁଞ୍ଜ ପୁଞ୍ଜ ଗୋପିନୀ ମନ ମୋହିଲେ ।।

ଝଲକ ଝଲ ନୀଲ୍‌ ବରନ୍‌ ମୟୁର ପୁଚ୍ଛ ନିନ୍ଦିତ ଘନ,

ଚନ୍ଦ୍ରିକା ଚିଚେୟେସି ଯତନ ରାଧେ ଜି କୋ ନାମ ହୈ ।

ଲଟପଟି ଶୋହେ ଲାଲ ପାଗ ନିନ୍ଦତୁ ବିନ୍ଦୁ ଝଲମ୍‌ ।

ଲାଗ ଧନ୍ୟ ଧନ୍ୟ ନନ୍ଦଲାଲ ତେରୋ ଛବି ନ୍ୟାରୋ ହୈ ।।’’

X            X            X

 

ଅନ୍ୟତ୍ର ପୁଣି ଅଛି–

 

‘‘ଶିରେ ଶୋହତ ମୟୂର ମୁକୁଟ କଟେଗୀତ ଝଘାଓ ଇୟାରିହେ,

ସୁନ୍ଦର ମୂରତି ଶ୍ୟାମ ବରନ ଚନ୍ଦନ ଖୋର କରାରିହେ ।।

ଓର ବନମାଲା ବିଶାଲ ଲାଲ ତ୍ରପକର ମୁରଲୀ ଧ୍ୱନି ପ୍ୟାରିହୈ ।

 

ବଲ୍ଲଭ କହତ କାହା ବରନ କାହା ବରନ ଉଚ୍ଛବ ନନ୍ଦଲାଲକି ନ୍ୟାର ହେ ।’’ ଋତୁ ବର୍ଣ୍ଣନାର ଚିତ୍ର-

 

X            X            X

ବିକଶିତ ସଉରିତ ସହିତ, ନିଜ ନିଜ ରିଜେ ପ୍ରତୀତ

ବସନ୍ତ ଗ୍ରୀଷମ ଶୀତଲରିତ, ଶୋହେ, ତେ ମୋ ଶିଶିର ତେ ।

ପୁରିତ ଶ୍ରୀ ବୃନ୍ଦାବନ, ଯାହାଁ ବିରାଜେ ନିଲିନ ନୟନ,

ବଲ୍ଲଭ ବ୍ରଜ ଯଉଓନ ନନ୍ଦ ଲାଲା ଯାହା ବିରାଜେ ତୋ ।।’’

 

କୁଞ୍ଜବନ ବର୍ଣ୍ଣନା -

(କ) ଫୁଲ, ଲତା ଓ ବୃକ୍ଷର ବର୍ଣ୍ଣନା–

 

‘‘ ବିବିଧ ବିଧଲତା ପାତ ତରୁଗନ, ପରଯଶ ମୋ ଗାଓ ତ,

ପ୍ରଫୁଲ୍ଲିତ ଓତ ବିବିଧ ଫୁଲ ମାଧବୀ ମାଲତୀ ଚମ୍ପା ବକୁଲ ।

କୁନ୍ଦଗୁନ୍ଦ କେଶର ଗୁଲ ସଉଓତ ତରୁଅନ ମେ

କରବୀ କେତକ ଅନାର ସେବତୀ ଚମ୍ପା ଚିନାର

ବେଲ ଚାମେଲୀ ଯୁଇ ଗୋଲାପ ବିକଶିତ ନିଧୁବନ ମେ ।’’

 

ଅନ୍ୟ ଏକ ସ୍ଥଳରେ –

 

‘‘ଗହ ଗହ ବନଭୟେ ବିକାଶ, ଲହ ଲହ ଲତା ପ୍ରକାଶ

ରହେ ରହେ ରହେ ମାରତ ସୁବାସ

ବିବିଧ ଫୁଲ ଫୁଲ ତେ, ଘନ ନ ନରବ ଭ୍ରମତ ଭ୍ରମର

ଝପକତ ସବ ପୁହୁସନ ପର, କୁସୁମ କୋ ବିଚେ କ୍ରିଡ଼େ ଅଧର

ମକରନ୍ଦ ନନ୍ଦ ବିଚତେ ।।

X            X            X            X

 

ଗୁଲୁମ ଲତା ତଲବିଭୋର ବିବିଧଫୁଲ ଶୋହତେ

ଲଟକତ୍‌ ସହବୀର ଶ୍ରୀଫଲ୍‌, ନାରଙ୍ଗ ପୁତି ନିରଲ

ପିହୁ ରାଇ ଯାମ୍ୟ ବକୁଲ ବିବିଧ ସେଓ୍ୟା ଯାତତେ ।।’’

 

(ଖ) ପଶୁ/ପକ୍ଷୀର ବର୍ଣ୍ଣନା-

ସାରସ ମୁନିଆଁ ବସନ୍ତ, ପାଣ୍ତୁକ ଭାରତ ଭୁଜଙ୍ଗ

ବିବିଧ ପଶୁ ବତକ ହଂସ ମୋର ଅହିସ ଘନମେ ।।’’

 

ଅନ୍ୟ ଏକ ଗୀତରେ –

 

‘‘କୁହୁକୁହୁକୁହୁ କୋକିଲ ରବ ଡାହୁକ ହୁକ କୁହୁ କନ ନନ

ମୋର ମୋର କର ଅଜବ ସୁତ ତନୟା ତୀରତେ ।।

କବ କବ କବ ବାଦୁରଗନ, ଶାରୀ ଶୁକବଲେ ଯତନ,

ବିବିଧ ପକ୍ଷୀ ଜଲଚରଗନ କୁଞ୍ଜ ଭୋନ ଗୋନତେ ।।

ଶାର୍ଦ୍ଦୁଳ ସନ୍ୟାର କୁରଙ୍ଗ କେଶରୀ କରିବର ବିହଙ୍ଗ,

ଗୋଆଲନ୍‌ ସବ୍‌ ଅଙ୍ଗସଙ୍ଗ ବ୍ରିନ୍ଦାବନ ବିଚତେ ।।’’

 

ଏହି ତାମସାରେ କବିତ୍ୱ ପ୍ରକାଶ ପାଇଛି କେବଳ ଶ୍ରୀକୃଷ୍ଣଙ୍କ ରୂପବର୍ଣ୍ଣନା/କୁଞ୍ଜବନ ବର୍ଣ୍ଣନାରେ । ଏହି ବର୍ଣ୍ଣନାରେ ସେପରି କିଛି ବୈଚିତ୍ର୍ୟ ଥିବା ପରି ମନେ ହୁଏନା । ପାରମ୍ପରିକ ବର୍ଣ୍ଣନାଦ୍ୱାରା ଏହି ତାମସାଟି ରଚିତ ।

 

ଭାଷା ଦିଗରୁ ବିଚାର କଲେ ଓଡ଼ିଆ, ବଙ୍ଗଳା, ହିନ୍ଦୀ ଓ ଉର୍ଦ୍ଦୁ ଆଦି ଶବ୍ଦଗୁଡ଼ିକ ଏକ ତାମସାର ବିଭିନ୍ନ ପଦରେ ସ୍ଥାନ ପାଇଛି । ଏହାର ବିଭିନ୍ନ ଦୃଷ୍ଟାନ୍ତରେ ଏହା ସୁସ୍ପଷ୍ଟ ହୋଇଯାଇଛି । ଏଣୁ ସ୍ୱତନ୍ତ୍ର ଭାବରେ ଏ ସବୁର ଉଦାହରଣ ପ୍ରଦାନ କରିବା ନିଷ୍ପ୍ରୟୋଜନ । ଅର୍ଥାତ୍‌, କବି ବଂଶୀବଲ୍ଲଭ ଏହି ସବୁ ଭାଷାରେ ସେ ପାଣ୍ତିତ୍ୟ ଅର୍ଜ୍ଜନ କରିଥିଲେ ବୋଲି ସ୍ପଷ୍ଟ ପ୍ରମାଣ ମିଳେ । ଭାଷାଦିଗରୁ ଏହି ତାମସାଗୁଡ଼ିକର ଭୂମିକା କିପରି ଗୁରୁତ୍ୱପୂର୍ଣ୍ଣ, ତାହା ‘ମୋଗଲ ତାମସା’ର ପ୍ରାରମ୍ଭରେ ପତ୍ରସ୍ଥ ଡକ୍ଟର ହରେକୃଷ୍ଣ ମହତାବ, ଡକ୍ଟର କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ ଓ ଅଧ୍ୟାପକ ପ୍ରହ୍ଲାଦ ପ୍ରଧାନଙ୍କ ମତାମତରୁ ସୂଚନା ମିଳେ ।

 

‘ହରିବଂଶ’ର ‘ଘାଟସଧା ବା ‘ଘାଟ-ସଉଦା’ ଅଂଶଟି ଏଥିରେ ଯେପରି କଥିତ ବିଷୟ, ଠିକ୍‌ ସେହିପରି ଓଡ଼ିଶାର ଅନ୍ୟ ଏକ ଲୋକନାଟ୍ୟ ‘ଦଧିନାଟ’ରେ ମଧ୍ୟ ଏହିପରି ବିଷୟବସ୍ତୁ (କିଞ୍ଚିତ୍‌ ଅନ୍ୟ ରୂପରେ) ପରିଲକ୍ଷିତ ହୁଏ (୪) । ଓଡ଼ିଶାର ବୈଷ୍ଣବମାନଙ୍କ ଏକ ଶାଖାର ଏହା ଏକ କୌଳିକ ଲୋକନାଟ୍ୟ ମୃତାହକ୍ରିୟାର ବାରଦିନରେ ରାଧାକୃଷ୍ଣଙ୍କର ଅଭିନୟ ଅନୁଷ୍ଠିତ ହୁଏ । କଂସ ରାଜା ନନ୍ଦଙ୍କଠାରୁ ନଅ ଲକ୍ଷ ଟଙ୍କା କର ସ୍ୱରୂପ ଆଦାୟ କରନ୍ତି । ଏହି ଟଙ୍କା ଆଦାୟ କରିବାପାଇଁ ଶ୍ରୀକୃଷ୍ଣ ବୁଢ଼ା ନାଉରୀ ବେଶରେ (‘ଦୁଃଖା’ ନାମରେ ) ଯମୁନା ଘାଟରେ ଜଗି ବସିଛନ୍ତି-। ଗୋପୀମାନେ ରାଧାଙ୍କ ସହିତ ମଥୁରା ହାଟକୁ ମୁଣ୍ତରେ ଦଧି ଓ ଦୁଧ ପସରା ନେଇ ଯମୁନା ଘାଟରେ ପାରି ହେବାକୁ ପହଞ୍ଚନ୍ତି । ଅକାଳରେ ଯମୁନାରେ ବନ୍ୟା ଦେଖି ସେମାନେ ତଟସ୍ଥ ହୋଇଗଲେ । ଶ୍ରୀକୃଷ୍ଣ ମାୟାରେ ଯମୁନା ନଦୀରେ ବନ୍ୟା ସୃଷ୍ଟି କରିଥିଲେ । ତା’ପରେ ଶ୍ରୀକୃଷ୍ଣ ଜଣକ ପରେ ଜଣଙ୍କୁ ନୌକାରେ ଯମୁନା ନଦୀ ପାରି କରି ଦେବାକୁ ସମ୍ମତ ହୋଇଛନ୍ତି । କାରଣ ନାଆଟି ଦଦରା ଥିଲା । ରାଧାଙ୍କୁ ନେଇ ନୌକାରେ ମଝି ନଈରେ ପହଞ୍ଚିବାରୁ ଶ୍ରୀକୃଷ୍ଣ ତାଙ୍କୁ ଦେହଦାନ କରିବାକୁ କହିଛନ୍ତି । ନାନା ପ୍ରଶ୍ନୋତ୍ତର ପରେ ରାଧା ଦୁଃଖାର ପ୍ରକୃତ ପରିଚୟ ପାଇଛନ୍ତି । ଶ୍ରୀକୃଷ୍ଣ ମାୟାରେ କୁହୁଡ଼ି ସୃଷ୍ଟି କରି ରାଧାଙ୍କର ଦେହକୁ ଗ୍ରହଣ କଲେ । ସ୍ଥୂଳତଃ, ଏହି ବିଷୟବସ୍ତୁ କିଛି ଅଂଶର ପ୍ରତିଫଳନ ‘ରାଧାକୃଷ୍ଣ ତାମସା’ରେ ପତିତ ହୋଇଥିବାର ଲକ୍ଷ୍ୟ କରାଯାଏ । ଯେତେଦୂର ସମ୍ଭବ, ହରିବଂଶ ଏବଂ ବୈଷ୍ଣବମାନଙ୍କ କୌଳିକ ଲୋକନାଟ୍ୟ ‘ଦଧିନାଟ’ (‘‘ଶ୍ରୀକୃଷ୍ଣଙ୍କ ଘାଟସଧା’)ର ବିଷୟବସ୍ତୁ କବି ସ୍ୱର୍ଗତ ବଂଶୀବଲ୍ଲଭଙ୍କୁ ଏପରି ତାମସା ରଚନା କରିବାକୁ ଖୋରାକ ଯୋଗାଇଥିଲା ।

 

(୪) ମୋ ରଚିତ ‘ଦଧିନାଟ’ ଆଲୋଚନାଟି ଏହି ପ୍ରସଙ୍ଗରେ ଦ୍ରଷ୍ଟବ୍ୟ ।

 

‘ମୋଗଲ ତାମସା’ର ଅଭିନୟ ପରେ ଏହି ‘ରାଧାକୃଷ୍ଣ ତାମସା’ ଅଭିନୀତ ହୋଇଥାଏ । ପୁନଶ୍ଚ ଏହି ‘ମୋଗଲ ତାମସା’ ଶେଷଦିନ ମଞ୍ଚସ୍ଥ ହେଉଥିବାରୁ ଏହା ଦ୍ୱୈତ ନୃତ୍ୟ (Duet Dance) ପରି ମଧ୍ୟ କାର୍ଯ୍ୟ କରିଥାଏ । କେବଳ ଅହିରୀ ବା ଗୋପବାଳକମାନଙ୍କୁ (ଏବଂ ଗୋପୀମାନଙ୍କୁ ଛାଡ଼ିଦେଲେ) ଛାଡ଼ିଦେଲେ ଏହା ଦ୍ୱୈତ ନୃତ୍ୟ ପରି ମନେହେବ । ରାଧା ଓ ଶ୍ରୀକୃଷ୍ଣ ଦୁହେଁ ପ୍ରଶ୍ନୋତ୍ତର ଛଳରେ କଥୋପକଥନ କରିଛନ୍ତି ।

 

ଗୀତିନାଟ୍ୟ ପରି ବହୁ ଗୀତର ଶେଷ ପଦରେ ବଂଶୀବଲ୍ଲଭ ‘ବଲ୍ଲଭ’ ନାମର ଭଣିତା ଦେଖିବାକୁ ମିଳେ ।

 

‘ଜାତୀୟ-ସାହିତ୍ୟ’ର ଅଧ୍ୟୟନ ପାଇଁ ଏହିପରି ସବୁ ଦୃଷ୍ଟି ଅନ୍ତରାଳରେ ରହିଯାଇଥିବା ଅନାବିଷ୍କୃତ ଲୋକନାଟ୍ୟ କୃତିର ଅବଦାନ ସବୁଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ । କାରଣ, ଏହିସବୁ ମଧ୍ୟଦେଇ ଜାତିର ପ୍ରାଣସ୍ପନ୍ଦନ ପ୍ରକାଶ ପାଇଥାଏ, ଜାତିର ପ୍ରକୃତ ଭାଷା ଉଚ୍ଚାରିତ ହୋଇଥାଏ, ଜାତିର ପ୍ରକୃତ ସ୍ୱରୂପ ପ୍ରକାଶ ପାଇ ଯାଇଥାଏ । ଗୋଟିଏ ଜାତିର ସ୍ୱତଃସ୍ଫୁର୍ତ୍ତ ପ୍ରକାଶ ଘଟିଥାଏ ଏହିପରି ଲୋକନାଟ୍ୟରେ । ଏଣୁ, ଏହିସବୁ ତାମସାଗୁଡ଼ିକର ଉଦ୍ଧାର, ତାହାର ଶୃଙ୍ଖଳିତ ସଂକଳନ ଏବଂ ଆଲୋଚନା ଏକାନ୍ତ ଆବଶ୍ୟକ ।

 

ଆଶା କରାଯାଏ, ନିକଟ ଭବିଷ୍ୟତରେ ଅନ୍ୟ ତାମସାଗୁଡ଼ିକ ଉପରେ ପରିଚୟାତ୍ମକ ଆଲୋଚନା ବିଭିନ୍ନ ପତ୍ର/ପତ୍ରିକାରେ ପ୍ରକାଶ ପାଇବ । ଏହି ଦିଗରେ ‘ଉତ୍ତର ଓଡ଼ିଶା ସାହିତ୍ୟ ସଂସ୍କୃତି ସମ୍ମେଳନ’ ଭଦ୍ରକ ସହର ତଥା ତା’ର ନିକଟବର୍ତ୍ତୀ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ତରଫରୁ ଗବେଷଣାତ୍ମକ ଅନୁସନ୍ଧାନ କାର୍ଯ୍ୟମାନ ଚାଲିବ ବୋଲି ଆଶା କରାଯାଏ । ଭଦ୍ରକରେ ୧୯୬୩ ମସିହାରେ ପ୍ରତିଷ୍ଠିତ ‘ଭଦ୍ରକ’ ରବିବାସରୀୟ ସାହିତ୍ୟ ଚକ୍ର’ ଆନୁକୂଲ୍ୟରେ ଅନ୍ୟ କେତୋଟି ତାମସାର ଅନୁସନ୍ଧାନ ଚାଲିଛି । ଏଣୁ ଖୁବ୍‌ ଅଳ୍ପଦିନ ମଧ୍ୟରେ ସବୁ ତାମସା ଆବିଷ୍କୃତ ହୋଇଯିବାର ଅନେକ ଆଶା ରହିଛି ।

 

* ଭଦ୍ରକ ନିକଟସ୍ଥ ଜାନୁଗଞ୍ଜ ଗ୍ରାମର ବୟୋବୃଦ୍ଧ ତାମସାନୁରାଗୀ ଶ୍ରଯୁକ୍ତ ଶ୍ରୀନାଥ ରାଉଳ ‘ରାଧାକୃଷ୍ଣ ତାମସା’ର ପାଣ୍ତୁଲିପି ଓ ବିଭିନ୍ନ ତଥ୍ୟ ମୋତେ ଯୋଗାଇ ଦେଇଥିବାରୁ ମୁଁ କୃତଜ୍ଞତା ଜଣାଉଛି ।

 

–ମନୀନ୍ଦ୍ର ମହାନ୍ତି

***

 

ପୃଥିବୀ, ମୋତେ କର ହେ କ୍ଷମା !

।। ରବି ସିଂ ।।

 

ପୃଥିବୀ ମୋତେ କର ହେ କ୍ଷମା

      ଜନମି ଥିଲି ତୁମରି କୋଳେ

କଲିଣି ବହୁ ପ୍ରାଶ୍ଚିତ ମୁଁ

      ରାତ୍ରିଦିବା ଯୁଦ୍ଧାନଳେ ।

 

ପାଇନି ଦିନେ ବିଶ୍ରାମ ତ

      ଜଳୁଛି ପୁଣି ଜାଳୁଛି ନିତି

ମାରୁଛି ଆଛ ମରୁଛି ସଦା

      ଲେଖୁଛି ବସି ସମର ଗୀତି ।

 

ସମ୍ମୁଖରେ ପାହାଡ଼ ଧସେ

      ଚରଣ ତଳେ ଭୁ-କଂପନ

ଊର୍ଧ୍ୱେ -ଝଡ଼-ବାଦଲ ରାତି

      ଲଢ଼ାଇ ମୋର ମରଣପଣ ।

 

ସୂର୍ଯ୍ୟ ଉଠେ, ସୂର୍ଯ୍ୟ ବୁଡ଼େ

      ଦିବସ ଯାଏ, ଆସଇ ରାତି

ସତ୍ୟ, ନ୍ୟାୟ ନୈତିକତା

      ସୈନ୍ୟ ମୋର ସମର ସାଥୀ ।

 

ଦୈନ୍ୟ ମୋର ସଂବଳ ତ

      ମୁକୁଟ ମୋର ଅହଂକାର

ତୃଷ୍ଣା ମୋର ପାନୀୟ ଜଳ

      କୃଷ୍ଣା ରାତି ଅସ୍ତ୍ରାଗାର ।

 

ଆସି ତ ଥିଲି ଅରୁଣ ବେଶେ

      କରୁଣେ ଶେଷେ ବିଦାୟ ନେବି

ଜଳୁଛି ‘ରବି’ ମଧ୍ୟାକାଶେ

      ଜାଳୁଛି କୋଟି ରାହୁର ଛବି ।

 

ପୃଥିବୀ, ମୋର ଦୁଃଖ ନାହିଁ

      ହୃଦୟ ମୋର ସ୍ପଂଦମାନ

ମଣିଷ ପାଇଁ ଲଢ଼ି ମୁଁ ଗଲି

      ଗାଇ ତ ଗଲି ଜୀବନ ଗାନ ।

 

ମୁଂଡ଼ ମୋର ପାରିନି ବିକି

      ଅସ୍ତ୍ର କେବେ ଥୋଇନି ତଳେ

ଅନ୍ୟାୟର ଜବାବ ସଦା

      ଦେଇଛି କବି ଅସ୍ତ୍ର ଧାରେ !

 

ଅନାଇ ନାହିଁ ପଛକୁ ଫେରି

      ଘନାୟମାନ ଅଂଧକାର

ଆଗକୁ ସଦା ପଡ଼ିଛି କୁଦି

      ସତ୍ୟ-ଶିବ-ସୁଂଦରର ।

 

ମୂଲ୍ୟବୋଧ ପାଇଁ କି କବି

      ବିଧାତା ସମ ନିର୍ମମ ମୁଁ

ବିଚ୍ୟୁତି ମୋ ଘଟିନି କେବେ

      ସତ୍ୟ ଆଉ ମାନବ ପ୍ରେମୁଁ ।

 

ପୃଥିବୀ ଆହେ ଗଲି ମୁଁ ଛାଡ଼ି

      ପଛରେ ଯେଉଁ ଚରଣରେଖା

ସାଲିସ‍‍‍ ନୁହେଁ, ସଂଗ୍ରାମର

      ଝଂଡ଼ା ଚିର ରକ୍ତମଖା ।

 

ଏଇ ତ ହେବ ଆଗାମୀ ପାଇଁ

      ପାଥେୟ ଆଉ ପୁଂଜି ପରେ

ଦିନକୁ ଦିନ ବର୍ଦ୍ଧିତ ସେ

      ହୋଇବ ତାହା ତୁମରି କୋଳେ ।

 

ଜୀବନ ସାରା ରକ୍ତଝରା

      ଆଘାତ କଲି ଅସତ୍ୟକୁ

ପାଇଲି ବହୁ ଦୁର୍ଦ୍ଦଶା ହେ

      ନୀରବେ ତୁମେ ଦେଖିଲ ତାକୁ ।

 

କହିଲ ନାହିଁ ପଦିଏ କଥା

      ହୋଇଲ ନାହିଁ ଦଣ୍ଡେ ଠିଆ

ଘୂରିଲ ସଦା କକ୍ଷ ପଥେ

      ବକ୍ଷେ ଧରି ସୃଷ୍ଟି ମହା ।

 

କଳଙ୍କିତ କୃଷ୍ଟି, କଳା

      ପୁଞ୍ଜିବାଦ, ଶୋଷଣ କ୍ଷତ,

ଅନୀତି ଆଉ ଅତ୍ୟାଚାର

      ଯୁଦ୍ଧ ପୁଣି ରକ୍ତପାତ ।

 

ବିରାଟ ଏକ ପାପର ଭାଟି

      ପଶୁତ୍ୱର ଅଂଧକାର

ବନାନୀ ପୁଣି ପାହାଡ଼ମାଳା

      ଗଭୀର ସାତ ସାଗରଜଳ ।

 

ଲୁପ୍ତ ବହୁ ସଭ୍ୟତାର

      ଶବକୁ ନିଜ କାଂଧେ ବହି

ପାଗଳ ପରି ଘୂରୁଛ ତୁମେ

      କେଉଁଥିପାଇଁ କହିଲ ନାହିଁ ।

 

ଫିଂଗ ଆଜି ପୃଥିବୀ, ଥରେ

      ବହିଛି ଯେତେ ପାପର ଭାରା

ଲଂଘୁ କୂଳ ସାଗର ଜଳ

      ଚୂର୍ଣ୍ଣ ହେଉ ପାହାଡ଼ ମାଳା ।

 

ସୃଷ୍ଟି ପାପେ ବିଧାତା କରୁ

      କରୁଣେ ତା’ର ଆର୍ତ୍ତନାଦ

ନିଃସ୍ୱ ହେଉ ଈଶ୍ୱରଟା

      ପାଲଟି ଯାଅ ବାଷ୍ପ ହ୍ରଦ ।

 

ପୃଥିବୀ, ଥରେ ବଂଦକର

      ଆହ୍ନିକ ସେ ତମରି ଗତି

ଘୃର୍ଣ୍ଣନର ପ୍ରଣବ ନାଦ

      ସ୍ତବଧ୍‌ହୁଅ ମୌନାବତୀ ।

 

ଥରଟେ ଖାଲି ଶୁଣାଅ ଧରା,

      ଶୁଣାଅ ତବ କଣ୍ଠବାଣୀ

ପଚାରେ ଚିର ବିଦ୍ରୋହୀ ମୁଁ

      ବକ୍ଷେ ତବ ଆଘାତ ହାଣି ।

 

ପାଷାଣୀ ମୂଳ ଅହଲ୍ୟା ଗୋ

      ଆଦିମ ଚିର ମୌନାବତୀ

ବିଦାୟ ବେଳେ ଡାକେ ମୁଁ କବି

      ଆସ ଗୋ ଅଭିଶପ୍ତା ଅତି ।

 

ସ୍ପର୍ଶେ ମୋର ମୁକ୍ତି ଲାଭ

      ଫିଟାଇ କହ ଆଦିମ ଭାଷା

କାହିଁକି ତବ ବକ୍ଷେ ଏତେ

      ଅଂଧକାର ଦୁଃଖ ନିଶା ?

 

ପୃଥିବୀ, ଯଦି ନ କୁହ ମୋତେ

      ନ ଆସି ପାଖେ ସତ୍ୟ କଥା

ତା’ହେଲେ ତବ ମୁକ୍ତି ନାହିଁ

      ଘୂରୁତ ଥିବ ଘୂରାଇ ମଥା ।

 

ଆହୁରି ଦେବି ମୁଁ ଅଭିଶାପ

      ବିଦାୟବେଳେ କୋଳରୁ ତୋର

ସତ୍ତାରୁ ମୋ ଜନ୍ମ ନେବେ

      ବିଦ୍ରୋହୀର ବଂଶଧର ।

 

ଆଣିବେ ଝଡ଼, ଭୁ-କମ୍ପନ

      ଅଶାନ୍ତିର ଜାଳିବେ ହୁଳା

ଲକ୍ଷ କୋଟି କ୍ରାନ୍ତିକାରୀ

      ଧରଣୀ, ତବ ଧରିବେ ଗଳା ।

 

ଯାଉଛି ମୁହଁ ପଶ୍ଚିମକୁ

      ଆସିବି ପୁଣି ପୂର୍ବେ କାଲି

ସଙ୍ଗେ ନେଇ ମରଣ ଜୟୀ

      ଅରୁଣ ଥାଟ ରକ୍ତ ନାଲି ।

 

ଜାଳିବି ନିଆଁ ଦୁନିଆ ସାରା

      ଆଣିବି ମହା ଆନ୍ଦୋଳନ

ଶ୍ରବଣେ ତୋର ଘଟାଇ ନିତି

      କୋଟିଏ ବୋମା ବିସ୍ଫୋରଣ ।

 

ଶାନ୍ତିରେ ମୁଁ ରଖାଇ କେବେ

      ଦେବି ତ ନାହିଁ, ରୋଧିବି ଗତି

ବୁଝିବ ସେବେ ପୃଥିବୀ, ତୁମେ

      ମୌନତାର କି ପରିଣତି ।

 

***

 

Unknown

ଖାଲି ଚଉକି

ସୌରୀନ୍ଦ୍ର ବାରିକ

 

ଖାଲି ଚଉକିଟେ

କିଏ ଯେମିତି ବସିଥିଲା

ଏଇ ଉଠି ଯାଇଛି

ଖାଲି ଚା’ କପ୍‌ ଆଉ ସିଗାରେଟ୍‌ ଖଣ୍ତରେ

ଏବେ ବି ତା’ ଦେହର ଉଷ୍ଣତା

 

କିଏ ଯେମିତି ଆସିବ

ଅପରିଚିତ ଚିହ୍ନା ମୁହଁଟିରେ ଉଦାସ ହସଟିଏ ଧରି

ଏଇ ପହଞ୍ଚିବ

ରୁମାଲ୍‌ରେ ମୁହଁ ପୋଛୁଁ ପୋଛୁଁ

ବଢ଼ାଇ ଦେବ ସକାଳ ପରି ଛଳ ଛଳ ତା’ ଭେଟି

 

ଖାଲି ଚଉକିଟେ

ସେଇମିତି ପଡ଼ି ରହିଥିବ

ନା କାହାରି ଆସିବାକୁ

ନା କାହାରି ଯିବାକୁ ପୁଞ୍ଜିକରି

ଖାଲି ପଡ଼ିଥିବ ।

***

 

।। ସ୍ଥିତି ।।

ଫନୀ ମହାନ୍ତି

 

କେତେ ନିକଟରେ ଆମେ

କେତେ ବା ଦୂରରେ ?

କେତେ ଅବା ବ୍ୟବଧାନ ଆମ

ଦୁହିଁଙ୍କର । ପୃଥିବୀରୁ ଆକାଶ

ଓ ଆକାଶରୁ ପୃଥିବୀ ପର୍ଯ୍ୟନ୍ତ

ସବୁଆଡ଼ ଉଦାସ ଅନ୍ଧାର

ଓ ଯନ୍ତ୍ରଣାର ନୀଳ ବାଲୁବନ୍ତ ।

ତୁ ସ୍ତ୍ରୀ, ମୁଁ ସ୍ୱାମୀ

ମୁଁ ତୋ ପ୍ରମତ୍ତ ଈଶ୍ୱର ।

ଆମ ପ୍ରେମ, ଆମ ସ୍ମୃତି

ଦିଆନିଆ ପ୍ରତିଶ୍ରୁତି, ଭିନ୍ନ ଏକ

ଶତାବ୍ଦୀର ଦୁର୍ଲଭ ନଜର ।।

ତୁ ମୋତେ ଭର୍ତ୍ସନା କରୁ ସମ୍ପର୍କର

ବାଲିବନ୍ଧ ଗଢ଼ି । ମୁଁ ତୋତେ ସର୍ଜନା କରେ ।

ବିଶ୍ୱାସର ନଈରେ ପହଁରି ।

କେତେ ବା’ ଦୂରରେ ?

କିଏ ଜାଣେ, କାହାର ଠିକଣା ?

ସ୍ୱପ୍ନରେ ସ୍ୱପ୍ନରେ ଯଦି ଆକସ୍ମାତ୍‌ ସୃଷ୍ଟି ହୁଏ

ଭୁଲ୍‌ ବୁଝାମଣା ।

ଆମେ ଦୁହେଁ ହଜିଯିବା ଆମରି ଭିତରେ,

ସବୁ ଦୁଃଖ ମେଣ୍ଟି ଯିବ ଆମେ ଆଉ ନଥିବା

ପୃଥ୍ୱୀରେ । ନଥିବ ବି ଚିହ୍ନବର୍ଣ୍ଣ ଈର୍ଷାର

ପ୍ରାଚୀର । ଧୂସର ଓ ଧୂମାଳ ବନରେ

ବେସାହାରା ମୃତ କବି ମୃତ ଶତାବ୍ଦୀର ।।

କେତେ ନିକଟରେ ଆମେ କେତେ ବା’ ଦୂରରେ

ଆମେ ଅଛୁଁ, ଆମେ ନାହୁଁ, ସମୟର ନିବୀ ବନ୍ଧନରେ ।।

 

***

 

ଝଡ଼

ଶ୍ରୀ ବିଜୟଭୂଷଣ ଷଡ଼ଙ୍ଗୀ

 

ସଖୀ ! ଝଡ଼ ଦେବ ତୁମକୁ ଗୋ ମୋର ପରିଚୟ,

ଧରାର ମୃତ୍ତିକା ସାଥେ ଗଢ଼ିବାର ଭୁମିକା ଅକ୍ଷୟ ।

ଜନ୍ମି ପୁଣି ଲିଭିଯାଏ ଥରି ଥରି ଲକ୍ଷ ମୃତ ଆଶା,

ଶତାବ୍ଦୀ-ଗହ୍ୱର ଆଜି ମାଗେ ପୁଣି ମୂକ,ମୌନ ଭାଷା ।

କେବେ ପୁଣି ଲିଭିଯିବ ଝଟିକାର ରୁଦ୍ର ଅହଂକାର

ଉଟଜ ଦୁଆରେ ତୁମେ ପାଇବନି ବାର୍ତ୍ତା ବାରବାର ।

ରାତ୍ରିର ତମିସ୍ରା ସାଥେ ବଢ଼ିଯାଏ ଛାତିର ସ୍ପନ୍ଦନ,

କେବେ ପୁଣି ହଜିଯିବ ତୋଳିବାର ଅମୋଘ ଆହ୍ୱାନ ?

ନାହିଁ କିଛି ବାଧାର ବନ୍ଧନ,

ଯାହା ସାଥେ ମରିଯିବ ପରାଣର ନୀରବ କ୍ରନ୍ଦନ ।

ସକଳ ଅଶୁଭ ସାଥେ ଆସେ ଆଜି ରାତ୍ରିର ପ୍ରେମିକ,

ସତେ କିବା ସ୍ଥାନ ନେବ ଅଧିକୃତ ଅଜଣା ଆତଙ୍କ ?

ଜଗତର ହ୍ରେ ଷାରବ, ଯା ଅସଭ୍ୟ, ଯା ଅସମାପିକା

ତାକୁ ନେଇ ଆସେ ଆଜି ଥରି ଥରି ରାତ୍ରିର ଝଟିକା ।

ସତେ ଝଡ଼ ଲିଭିଯିବ ଜଳି ଉଠି କ୍ଷଣକ ସକାଶେ,

ସାର୍ଥକ କରିବ ଆଜି ନାମ ତା’ର ମନ ଉପହାସେ ।

ସତେ ଝଡ଼ ନେବ ଆଜି ସେଠାରେ ଜନମ,

ଯାହାକୁ ବରଣ କରେ ଜୀବନର ଶିଖା ପ୍ରିୟତମ ।

ଶୁଣଇ ଯା’ର ବାଣୀ,

ଶୀତଳ ଶିରାରେ ମୋର ଅପୂର୍ବ ଆହ୍ୱାନୀ ।

ନଭ-ସୀମା ଛୁଇଁଯିବ ଅମାବାସ୍ୟା-ରୁଗ୍‌ଣ -ବିଭା ଦେହ,

ସବୁ ସାଥେ ଲିଭିଯାଇ ଆଜିର ଏ ମିଳିତ କଳହ ।

ରାତ୍ରି ଅଭିସାର କର ଝଡ଼; ବକ୍ଷେ ଯାର ପ୍ରଣୟର ଜ୍ୱାଳା

ସକଳ ଅସଭ୍ୟ ଓ ଅଶୁଭ ଗଳେ ଆଜି ଦିଏ ବରମାଳା ।

ଏହା କି ସେ ଏ ଝଡ଼ର ଶେଷ ଦୀପାୟନ,

ସବୁ ସହ ଛିଡ଼ିଯାଉ ଆଜିର ଏ ବାଧାର ବନ୍ଧନ ।

ତୁହାଇ ତୁହାଇ ଡାକେ ଶତାବ୍ଦୀର ସେ ରକ୍ତ-ଯୌବନ,

ରାତ୍ରିର ଝଡ଼ ସାଥେ ମାଡ଼ି ଆସେ ଝଡ଼ର ସଇନ ।

ସରିଯାଉ ସୃଷ୍ଟିର ଭୂମିକା,

ତା ସାଥିରେ ସରିଯାଉ ରଜନୀର ଲୁପ୍ତ ପାଦଟୀକା ।

ଝଡ଼ ଆଜି ଗାଇଯାଏ ପୌର୍ଣ୍ଣମାସୀ ସୁଦୀର୍ଘ ଗୌରବ,

ସଖୀ ! ଆଜି ତୁମେ ଗାଇଯାଅ ତା’ର ମୁଗ୍‌ଧ, ମୌନ ସ୍ତବ ।

ଝଡ଼ ଆଜି ସଜାଇଛି ବନାନୀର ସୁଦୀର୍ଘ ସଇନ,

ବନାନୀର ଲତାୟିତ ଯୌବନର ଚାରୁ ପଦ୍ମବନ ।

ପ୍ରତ୍ୟୁଷ ଓ ପ୍ରଦୋଷର ତୀରେ ଚଳାଅ ସେ ଖର ଘୂର୍ଣ୍ଣ ରଥ,

ଆଜିର ମଣିଷ ଯେହୁ ଭୁଲିଯାଏ ସତ୍ୟ-ଶିବ-ସୁନ୍ଦରର ପଥ ।

ହେ ଝଟିକା ! ଆଜି ହୁଅ ତୁମେ ତୁମ ବିଚାରକ,

ଜୀବନର ସ୍ମୃତି ସାଥେ ରଖିଯାଅ ଅକ୍ଷୟ ସ୍ମାରକ ।

ମରିଗଲା ଗୋଟିଏ ଫାଲ୍‌ଗୁନି,

ଯାହାର ସେ ଅଗ୍ନି-ସ୍କନ୍ଧେ ଥିଲା ଅଗ୍ନି-ତୂଣୀ ।

 

***

 

ଅଧା ସ୍ୱପ୍ନର ବାସ୍ନା

ଶ୍ରୀ ସୁରେଶ ପରିଡ଼ା

(ଏକ)

ସମୟ ଆସିବ, ଯେଉଁ ପକ୍ଷୀକୁ

ଜାଲରେ ଧରିଛ ତାକୁ ପୁନର୍ବାର ମୁକ୍ତିଦେବ

ଯାହାକୁ ପ୍ରତ୍ୟାଖ୍ୟାନ କରିଚ

ହୁଏତ ତାକୁ ପୁଣି ଭିକ୍ଷା କରିବ ।।

ଏ ତୁମର କେଉଁ ଅବସ୍ଥା

ସ୍ୱପ୍ନ କଳ୍ପ

ନା ସ୍ମୃତି କଳ୍ପ ?

କବି, କ’ଣ ତୁମ ପାଇଁ ଦୁର୍ଲ୍ଲଭ

ଏ ଲୋକ ନା ପରଲୋକ

ଏ ଜନ୍ମ ନା ପରଜନ୍ମ ?

କୁହ, ଅଚିନ୍ତନୀୟ କିଏ

ସମ୍ଭାବନା ନା ନିଶ୍ଚିତତା

ପାପ ନା ପୁଣ୍ୟ ? କିଏ ?

ଦଦରା ଛାତିର ମାନଚିତ୍ର ଦେଖିଚ ?

ଦେଖିଚ କବି, ଜୀବନର ସ୍ଳେଜଗାଡ଼ି ଘୋଷାରି ଘୋଷାରି

କେମିତି ଧକେଇ ହେଉଛନ୍ତି ମଣିଷମାନେ ?

ପଢ଼ିଚ ଗାଲର ହନୁହାଡ଼ରେ

ଝୁଲୁଥିବା ବଜାର ଦରର ତାଲିକା ?

ନାଇଡ଼ୁର ପେଟ ମାରେ ତ

ଛିଣ୍ତା ଟାୟାର୍‌ ଜାଳି ନିଶ୍ୱନ ରାତିଯାକ

ନିଆଁ ପୋଇଁହୁଏ, ଆଉ କାରଖାନା ଦୁର୍ଘଟଣାରେ

ଦୁଇଗୋଡ଼ ହରେଇଥିବା ଶିବନାଥ ଆଖିରୁ

ଯୁବତୀ ଭାରିଯା ତା’ର ଲୁହ ପୋଛିଦିଏ ।।

ଧେତ୍‌ ସବୁ ମିଛ

ନିୟମ ପ୍ରଣୟନଠାରୁ ନିରାପତ୍ତା ପର୍ଯ୍ୟନ୍ତ

ବିବାଦମୁକ୍ତ ଯୁକ୍ତିଠାରୁ ପ୍ରତିକ୍ରିୟା ପର୍ଯ୍ୟନ୍ତ ।

କେବଳ ସେହିଁ ସମୁତ୍ତୀର୍ଣ୍ଣ

ପ୍ରଲୋଭନର ଆକର୍ଷଣରୁ

ଚେତନାର ଆବେଷ୍ଟନୀରୁ

କ୍ଲାନ୍ତିରୁ ଓ କାରୁଣ୍ୟରୁ ।

ସେ ହିଁ ସତ୍ୟ, ସେ ହିଁ ସାର୍ବଭୌମ

ତିନି ପୁରୁଷାର୍ଥରେ

ଅଖିଳ ବ୍ରହ୍ମାଣ୍ତରେ ।।

 

(ଦୁଇ)

କବି, କି’ଏ କାହାର କିଙ୍କର ?

ଅଧର ତ ପାଗଳ ଅଧର ପାଇଁ

ବାହୁ ଯୁଗଳ ଆଶ୍ଳେଷ ପାଇଁ ଅଧୀର

ଥରେ ଉପଲବ୍‌ଧି କର ପ୍ରାଂଶୁ ଶରୀର

ଓ କେଶଗୁଚ୍ଛର କୋମଳତା ।

ହୃଦୟରେ ନ ହେଲା ନାହିଁ ନେତ୍ର ପ୍ରାନ୍ତରେ

ରହିବାକୁ ଦିଅ କାହାକୁ, ଅନ୍ତତଃ

ସବୁଯାକ ନ ହେଲା ନାହିଁ ଗୋଟିଏ ମାତ୍ର

ତନ୍ତୁ ଦୋହଲିଯାଉ ହୃଦୟର,

ମୃହୂର୍ତ୍ତେ ପାଇଁ ହେଉପଛେ ଦୁଇ ପାପୁଲିରେ

ସଂପୁଟିତ କରିନିଅ କାହାର ଆରକ୍ତ ମୁଖମଣ୍ତଳ ।।

ବିଶ୍ୱାସ ଅବିଶ୍ୱାସ କ୍ରୟ ବିକ୍ରୟରେ

ହୃଦୟ ଅଦେୟ, ଅପେୟ ଓ ଅଗ୍ରାହ୍ୟ ।

ବଞ୍ଚିବା ଯେମିତି ଏକ ମହୋତ୍ସବ

ଓ ନିଜର ଜୀବନ ନିଜ ପାଇଁ ଏକ ଉଦ୍‌ବୋଧନ ।

ଯାହା ସତ୍ୟାନୂଭୁତି ତାହା କ’ଣ ଋତମାର୍ଗ ?

ନା ପୃଥିବୀରେ କେବଳ ଗୁଡ଼ାଏ ପରମ୍ପରାର

ଶୁଦ୍ଧିକ୍ରିୟା ସମ୍ପାଦିତ ହୁଏ ?

ଦେଖ, ଶୀର୍ଷ ସ୍ଥାନରେ ଥିବା ମଧ୍ୟାହ୍ନର

ମାର୍ତ୍ତଣ୍ତ ମଧ୍ୟ ଅସ୍ତମିତ ହୋଇଯିବ ଚାହୁଁ ଚାହୁଁ ।

ଚିହ୍ନିନିଅ ଥରେ ନିଜ ଭିତରର ଐଶୀଶକ୍ତିକୁ

ମାୟାରେ ବଶୀଭୁତ ପିଣ୍ତକୁ

ମଣ୍ତଳାନ୍ତରର ମୂଳ କାରଣକୁ

ସର୍ବ ବ୍ୟାପକକୁ, ସର୍ବ ପ୍ରଥିତକୁ ।।

ପୃଥିବୀରେ କି’ଏ ଅପ୍ରତିଦ୍ୱନ୍ଦ୍ୱୀ ?

କି’ଏ ଜୟ କରିଛି କ୍ରମଶଃ ଜୀର୍ଣ୍ଣ କରୁଥିବା

ବୟସକୁ’ ସମତାଳରେ ନିଜ ସହ

ଦୌଡ଼ୁ ଦୌଡ଼ୁ ହଠାତ୍‌ ଆଗକୁ ଟପି ଯାଉଥିବା

ମୃତ୍ୟୁକୁ ? କି’ଏ ? ଖାଲି ହିସାବ କରୁଥାଅ

ସଞ୍ଚୟର, ଅପଚୟର

ସଂଯୋଗର, ବିୟୋଗର

ଅଥଚ ପ୍ରତି ଋତୁର ବିବର୍ତ୍ତନରେ

ସୀମିତ ହୋଇ ଯାଉଥିବ ଜୀବନର ରଙ୍ଗୀନ ପରିସର ।।

 

(ତିନି)

ବିଅର୍‌ର ଆକର୍ଷଣ ପରି

ପ୍ରେମର ପ୍ରବଣତା

ବାଃ, କବି ! କେବଳ

ଗୋଟେ ପେଗ୍‌ରେ ଆଉଟ୍‌ ହେଇଗଲ !!

 

କଲେଜ ରୋଡ଼

ଆନନ୍ଦପୁର -୭୫୮୦୨୧

କେନ୍ଦୁଝର ।।

 

***

 

ଶତାବ୍ଦୀର ବ୍ୟବଚ୍ଛେଦ

ଶ୍ରୀ ଶକ୍ତି ପ୍ରସନ୍ନ ମିଶ୍ର

 

କେବେ ଦିନେ ସହରର ଦୋଛକି ରାସ୍ତାରେ

ଠିଆ ହୋଇ ପଚାରିଲି–ହେ ଆକାଶ

ବସନ୍ତକୁ କାହିଁକି ତୁ ଛାଡ଼ୁ

ସହରର ବଗିଚା ମଧ୍ୟକୁ

ଅନେକ ଯନ୍ତ୍ରଣା ଭରା ଓଠ ସବୁ ଏଠି

କୃତ୍ରିମ ସୁଖର ଲିପ୍‌ଷ୍ଟିକ ବୋଳିହୋଇ

ଆଭିଜାତ୍ୟର ମହାକାଳ ଫଳ ପରେ

ଚୁମ୍ବନର ଝଡ଼ ବୁହାଇ ଦିଅନ୍ତି

ସକାଳେ ଓ ସଞ୍ଜରେ

ସୂର୍ଯ୍ୟର ଜ୍ୱଳନ

ଚନ୍ଦ୍ର ଦେହେ ଭରିଦିଏ ଫର୍ଣ୍ଣେସର ତାତି

ଏ ମାର୍କେଟରେ ରୂପର ସଉଦା ହୁଏ

ଦର୍ଶନ ରହିଯାଏ କାଚ ଆଲମିରାରେ ନଗ୍ନହୋଇ

ମିନତିର ମଉନତା

ଜୁଲୀର ଜୁଏଲ-ଝରା-ହସ

ଭାବକୁ ନିକଟ । ଅଭାବେ ! ! !

ସାମାରେ କ୍ୟାଲେଣ୍ତର ଗଣୁଥାଏ

ଡିସେମ୍ବର ପରେ ପୁଣି ଜାନୁଆରୀ ।

X      X      X

ଶତାବ୍ଦୀର ରାଜରାସ୍ତା ପରେ

ବୀରାଙ୍ଗନା ଲକ୍ଷ୍ମୀବାଈଠାରୁ ବାରାଙ୍ଗନା ବାଈଜୀ ପର୍ଯ୍ୟନ୍ତ

କେଉଁଠି ବା ପାର୍ଥକ୍ୟ ରହିଲା ।

ଦୁହେଁତ ବିଜୟୀ ଧନ ଓ ମନର

ତେଣୁ ରେ ବସନ୍ତ ତୋପାଇଁ ତ ଶତାବ୍ଦୀର ସିଂହହାର ବନ୍ଦ

ଏ ଦେବତା ପୂଜାପାଏ ପ୍ଲାଷ୍ଟିକ ଫୁଲରେ

ଏ ମନ–ବୃନ୍ଦାବନ ଯାଏ ମାରୀର ସ୍ପର୍ଶରେ

ନଗ୍ନ ଉର୍ବଶୀର ନାମ ଲଜ୍ଜାବତୀ ହୁଏ

ଶିଳ୍ପୀ ନୁହେଁ ଶିଳ୍ପପତି ଏଠି ପୂଜାପାଏ

ରକ୍ତ ଦେଇ ଏଠି ହୁଏ ରୁଟିର ସଉଦା

ଏ ଶ୍ମଶାନେ ରୋମିଓମାନେ ଜଳୁଥାନ୍ତି

ଚାରିଶ ବିଶ୍‌ ଶାଗୁଣାସବୁ ‘ରୋହିତ ଶବ’ ପାରିଧି କରନ୍ତି

ସଙ୍ଗୀନ ମନରେ ଉଠେ ସଙ୍ଗୀତର ମୂର୍ଚ୍ଛନା ।

X            X            X

ବସନ୍ତ ତୁ ଫେରିଯାଅ ସମୟର ବାରିପଟ ଦେଇ

ଏକ, ଦଶ, ଶତ ଓ ଅୟୁତ ବର୍ଷର ତିନିଗାର ଡ଼େଇଁ

ରାମ ଓ ଲକ୍ଷ୍ମଣ ରାଜ୍ୟକୁ

କୃଷ୍ଣ ଓ ରାଧାର ଯୁଗକୁ

ଯଶୋଦା ଓ ଦେବକୀ କୋଳକୁ

ବିଜୟୀ ହୋଇଛି, ହେଉଛି, ହୋଇବ ଏଠି

କଳିଯୁଗ ଏକାଦଶ ।

 

 

ଗୋପୀନାଥପୁର,

ପୁରୀ ।

***

 

ଲୁହ

ଶ୍ରୀ ରଘୁନାଥ ସାମଲ

 

ଲୁହ ଏମିତି ଏକ ଲତା ଯେ ଯାହାର ମଥାଟେକିବା ପାଇଁ

ବତା ଦରକାର ନାହିଁ । ସିଏ ଏମିତି ଫଳର ମଞ୍ଜିଯେ

ଯେଉଁଫଳ ଉପୁଜାଇବାର ଗଛ ଇ ନାହିଁ

(କ’ଣ ଦରକାର ଯେ !)

 

* ବିଚରା ଦୁଃଖୀ ଦୁଃଖଟି କେଡ଼େ କାକୁସ୍ଥ ହୋଇ

ବସିଥାଏ ବିପର୍ଯ୍ୟୟର ଭଙ୍ଗାଥାଳ ପାଖରେ !

ଲୁହର ଚାଉଳ ବିଚରା ବିଂଚି ହୋଇଯାଏ । ଆହା ! ଚିରା ପାଇଲିରେ ଯାହା

ଖାଲି ସାଉଁଟୁଥାଏ ଚାଉଳ ଓ ଚାଉଳ ଭାବି ଗୋଡ଼ି

 

* ବାଘ ଆଖିର ଲୁହ ନା ବୁଝେ ରିଂମାଷ୍ଟର ନା ମାଲିକ

ନା ତାଳିମାରୁଥିବା ଦର୍ଶକ । ଶୁଖିଲା ନୋଟ୍‌ର ବ୍ଲଟିଂ

ପରଳ ଭଳି ମାଡ଼ିଯାଏ, ମଡ଼େଇ ଦିଆଯାଏ ଲୁହର ଆଖିରେ

ବିଚରା ନିରୀହ ଲୁହର କେତେ ବା’ ଶକ୍ତି

ଖାଲି ଯା’ ଫୁଲିଉଠେ ଲୁହର ପତା ମଲା ସାପପେଟ ଭଳି

 

* ଲୁହର ଦୀପରେ ଲୁହ ହିଁ ବଳିତା ହେଇ ଜଳେ

ଲୁହର ଗଛରେ ଲୁହର ଫୁଲ ହିଁ ମଉଳେ, ବଉଳେ

 

* ଲୁହର ଚିର ପ୍ରବାହମାନେ ଗଙ୍ଗାଧାରଟି

ବହି ଚାଲିଥାଏ କେବଳ

ବିଷ୍ଣୁ ନଖକୋଣରୁ ଶିବଜଟାଯାଏ

ଶିବଜଟାରୁ ଅଗସ୍ତି ଚଳୁଯାଏ

ଭଗୀରଥର ତପସ୍ୟାରେ କଅଁଳି ଉଠେ

ଜଳା ବଂଶବୃକ୍ଷ, ଶାଖାମେଲେ । ମଳୟ ବହେ

କୋଇଲି ପଞ୍ଚମ ତାନରେ ରାଗିଣୀ ତୋଳେ

ହେଲେ ଶିବକଣ୍ଠ ଭଳି ଗଙ୍ଗାର ଲୁହ କେତେ ପାପରେ

କେତେ ନୀଳ ହେଇଯାଏ ସେକଥା କିଏ ବୁଝେ !

 

* ଜୀବନର ପାଲଟଣା ବୋଇତ ଭାସୁଥାଏ ଲୁହର ସୁନାବ୍ୟା ନଈରେ

ଲବଙ୍ଗ ଅଳେଇଚ ଦ୍ୱୀପର ସୁଖ ଦୁଃଖ ହସକାଂଦର ମଣି ମୁକ୍ତାରେ

ଭରା ବୋଇତରେ ଆଶା ଆଶଙ୍କାର କମକୂଟ, କର୍ତ୍ତବ୍ୟର କାତ

ଧୈର୍ଯ୍ୟର ଆହୁଲା, ସାହସର ଅଝାଲ ଉଡ଼େଇ ବଂଧନର ପବନ

ପାଣିସୁଅକୁ କାଟି ଏମିତି ଚାଲି ଥାଏ ଯେ ବୋଇତ ଏକମୁଖୀ

ଭୁଲିଯାଏ କା’ ହାତରେ ମଙ୍ଗ-ମନ ନା ବିବେକ

ଲୁହର ନଈରେ ଶୋକର ପର୍ବତ

ହତବାକ୍‌, ଚାରିକଡ଼େ ଯେ ଯନ୍ତ୍ରଣାର ଯୋକ !

 

* ଏଇନେ ବୋଧହୁଏ ଶ୍ରୀଧରର ପୂଜା ଖଡ଼୍‌ଗ ବାହାରିବା ବେଳ

ନହେଲେ କେମିତି ଶୁଖିବ ଖୁଲଣା ଲୁହ

ବନ୍ଦହେବ କୁଟାହେବା ଲୁହାର ଚାଉଳ

 

 

ଇଞ୍ଜିନିୟର,

ବାଲିଆ, ବାଲେଶ୍ୱର

୭୫୬୦୦୧

 

 

***

 

କୁଳ ବୁଡ଼ିଲା ବେଳକୁ

ଶ୍ରୀ ଜୟନ୍ତ କୁମାର ପଟ୍ଟନାୟକ

 

କଳା ମଚ୍‌ ମଚ୍‌ ହୋଇ ମାଡ୍ରାସରୁ କଲିକତା ପର୍ଯ୍ୟନ୍ତ ଅଜଗର ସାପ ଭଳି ନିର୍ଜୀବ ଭାବରେ ଲମ୍ବି ଯାଇଥିବା ଜାତୀୟ ରାଜପଥ ଧାରରେ ସେହି ଚାଳ ଘରଟା, ଠିକ୍‌ କେବେ ଆରମ୍ଭ ହୋଇଥିଲା ସେ କଥା ଜଣା ନ ଥିଲେ ମଧ୍ୟ ଏଇଟା ଖୁବ୍‌ ପୁରୁଣା । ଶୁଣାଯାଏ, ସେତେବେଳେ ଏଇ ସହରର ଦୁଧଗାଲ ଆହୁରି ଭାଙ୍ଗି ନଥିଲା । ସେଇ ସମୟରେ ଆଜି ଯାହା ହେଲେ ବି ସୁପରିଚିତ ‘‘ପିଆଜି କବାଟ’’ ଏଇ ଦୋକାନଟି (ଚାଳଘର) ଆରମ୍ଭ କରିଥିଲେ । ଦୋକାନ ବୋଇଲେ ଚାରି ଛ’ଟା ଶାଳୁଆ ଖୁଣ୍ଟି ଚାରିପଟେ କେତେଖଣ୍ତ ପୁରୁଣା ଧତଡ଼ା ଚାଞ୍ଚରା । ଉଇ ଖାଇ ସେଥିରୁ ପ୍ରାୟ ତିନି ଭାଗ ଚାଲିଗଲା ପରେ ଏବେ କେତେ ବର୍ଷ ହେଲା ଚାଞ୍ଚରା ଜାଗାରେ ମାଟି ଶୋଭା ପାଉଛି; ତା ଉପରେ କେତେଖଣ୍ତ ବାଉଁଶ ଓ କଣି ପଡ଼ି କିଛିଟା ନଡ଼ିଆ ଚାଞ୍ଚ ଓ କିଛିଟା ନଡ଼ା ପଡ଼ି ଯାହିତାହି ଖଣ୍ତେ ଛପର । ବର୍ଷାଦିନେ ବେଳେ ବେଳେ ବାହାରେ ନ ପଡ଼ୁଣୁ ଭିତରେ ପଡ଼ୁଥିବା, ଠାକୁରାଣୀ ଯାତ୍ରାରୁ କିଣା ଯାଇଥିବା ଶସ୍ତା କାଠର ମଇଳା ବସି ବସି କଳା ପଡ଼ି ଯାଇଥିବା ଟେବୁଲ ବେଞ୍ଚ ଉପରେ ପାଣି ପଡ଼େ । ଚାଳରେ ଠାଏ ଠାଏ ବାହାଡ଼ା ଦାନ୍ତ ବା ହନୁହାଡ଼ ପରି, ବାଉଁଶ, ନଡ଼ା ଛୁଆଣି ଠେଲି ସଗର୍ବରେ ବାହାରକୁ ଦେଖାଯାଉଛି । ଦୋକାନର ପଛଆଡ଼େ ହାତ ଧୋଇବା ପାଇଁ ଯେଉଁ ସ୍ଥାନଟି ତସ୍ୟ ପୁତ୍ର (ଦୋକାନ ମାଲିକଙ୍କ ପୁଅ) ଶ୍ରୀହରିଙ୍କଦ୍ୱାରା କେଇ ବର୍ଷ ହେଲା ତୀର ଚିହ୍ନିତ, ସେ ସ୍ଥାନଟି ମ୍ୟୁନିସି‍‍ପାଲିଟି ନର୍ଦ୍ଦମା ଭଳି ଏକ ‘ମଶକ ଉତ୍ପାଦନ କେନ୍ଦ୍ର-।’ ସେଠାରେ ହାତ ଧୋଇଲେ ପାଣି ତଳେ ପଡ଼ିବା ମାତ୍ରେ ପ୍ରତିଫଳନ ପୂର୍ବକ ସଂପୃକ୍ତ ବ୍ୟକ୍ତିଙ୍କ ଉପରେ ପଡ଼େ । କହିଲେ, ପିଆଜି କବାଟ ତାଙ୍କର କଳାପଡ଼ିଯାଇଥିବା, ସବୁ ବତିଶଟାରୁ ବର୍ତ୍ତମାନ ଜୀବିତ ଥିବା କୋଡ଼ିଏଟି ପର୍ଯ୍ୟନ୍ତ ଦାନ୍ତ ଦେଖାଇ ତାଙ୍କର ବହୁ ମୂଲ୍ୟବାନ ହସରୁ ଟିକିଏ ଝରାଇ ଦିଅନ୍ତି । ସେତିକି ଭାଗ୍ୟରେ ଥିଲେ ଦୋକାନୀ ପିଆଜ କବାଟଙ୍କ ମୁହଁରେ ଟିକିଏ ହସ ଦେଖାଯାଏ; ନଚେତ୍‌ ସବୁବେଳେ ପିଆଜ କବାଟ ଗମ୍ଭୀର ନ ହେଲେ ନୀରସ ଅର୍ଥାତ୍‌ ଶୁଖିଲା ମୁହଁ । କ’ଣ ତାଙ୍କର ଶୁଷ୍କ ମୁଖର କାରଣ, କ’ଣ ତାଙ୍କର ଦୁଃଖ, କାହାକୁ ହେଲେ ମୁହଁ ଖୋଲି କହନ୍ତି ନାହିଁ । ଅବଶ୍ୟ କବାଟ ବାବୁ ଯେ ମୋଟେ ମିଶାଣ ନୁହଁ, ଏମନ୍ତ କହିଲେ ସତ୍ୟର ଅପଳାପ ହେବ । (ପାଠକ ମହାଶୟ ! ମୁଁ ହଲପ୍‌ କରି କହିପାରେ ପିଆଜି କବାଟ ଜଣେ ଉତ୍ତମ ମେଳାପୀ ଭଦ୍ରଲୋକ । ନଚେତ୍‌ ସିଏ କିପରି ଏତେଦିନ ହେଲା ଏଇ ସହରରେ ଦୋକାନ ଚଳାଇବା ସଙ୍ଗେ ସଙ୍ଗେ ପିତୃଦତ୍ତ ରଣଧୀର ଉତ୍ତର କବାଟରୁ ପିଆଜି କବାଟ ଭାବରେ ବିଖ୍ୟାତ ହୋଇଥାନ୍ତେ ?)

 

ଦୋକାନ ମୁହଁରେ ପାସେଞ୍ଜର ଗାଡ଼ିର ଇଞ୍ଜିନ୍‍ ପରି ସବୁବେଳେ ଇଟାତିଆରି ଏକ ଚୁଲି ପ୍ରାୟ ଅଠର ଘଣ୍ଟାରୁ ଅଧିକ ସମୟ ଦିନରେ କାର୍ଯ୍ୟରତ ଥାଏ । ପାଚିଲା ଆମ୍ବ ପରି ସବୁବେଳେ ସେଥିରେ ଲାଲ ଟହ ଟହ ନିଆଁର ସ୍ରୋତ । ସତେ ଯେମିତି ଷ୍ଟିଲ ପ୍ଲାଣ୍ଟ ବ୍ଲାଷ୍ଟ ଫର୍ଣ୍ଣେସର ଏକ ମଡ଼େଲ ! ଶୀତଦିନେ ରାତି ବାରଟା ପର୍ଯ୍ୟନ୍ତ ବି ଚୁଲି ପାଖରେ ଠିଆ ହୋଇ ଲୋକ ଦେହରୁ ଥଣ୍ଡା ଛଡ଼ଉଥିବାର ଦେଖାଯାଏ । ଲୋକେ କହନ୍ତି, ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳେ ଯେତେବେଳେ ଦେଶସାରା, ବ୍ଲାକ୍ ଆଉଟ୍ ହୋଇଥିଲା ସହରଟା ଯେତେବେଳେ ମୃତପ୍ରାୟ ପଡ଼ିଥିଲା, ଚାଞ୍ଜରା-ସନ୍ଧିରେ ଆସୁଥିବା ଡିବି ଆଲୁଅ ଛଡ଼ା ଏଇ ଚୁଲିହିଁ ସେତେବେଳେ ଜନସାଧାରଣଙ୍କୁ ଖାଦ୍ୟ, ଉତ୍ତାପ ଓ ଆଲୋକ ଯୋଗାଇଥିଲା । କୋଉ ପ୍ରତ୍ୟୁଷରୁ ପିଆଜି ଭାଇନା ଉଠାନ୍ତି ଓ କେତେବେଳେ ବିଛଣାକୁ ଯାଆନ୍ତି ସେକଥା କହିବା ମୁଷ୍କିଲ । ପିଆଜି କବାଟ ‘ପିଆଜି ଭାଇନା’ ନାମରେ ମଧ୍ୟ କେତେକଙ୍କ ମଧ୍ୟରେ ପରିଚିତ । ବଡ଼ କର୍ମଠ ପିଆଜି ଭାଇନା । କେତେବେଳେ ତାଙ୍କ ସଂସାର କଥା ବୁଝନ୍ତି, କେତେବେଳେ ବିଶ୍ରାମ ନିଅନ୍ତି ସିଏ ଏକ ରହସ୍ୟ । କିନ୍ତୁ କେତେବେଳେ ହେଲେ ବିରକ୍ତି ନାହିଁ । ‘ଏକ ଈଶ୍ୱର, ଦ୍ୱିତୀୟେ ନାସ୍ତି, ଭଳି ଯେମିତି ତାଙ୍କର ସଂସାରରେ ଏଇ ଦୋକାନଟି ଛଡ଼ା ଆଉ କିଛି ନାହିଁ । ଦୋକାନଟିହିଁ ସବୁକିଛି । ତଥାପି ତାଙ୍କର ଏକ ନାତି ବୃହତ୍ ସଂସାର ଅଛି ଏବଂ ଏହି ସଂସାରଟିର କର୍ଣ୍ଣଧାର ଭାବରେ ସବୁ ଟିକିନିଖି ସିଏ ବୁଝନ୍ତି । ସକାଳ ହେବାଠୁ ରାତି ଗଭୀରତର ହେଲା ପର୍ଯ୍ୟନ୍ତ ଦେଖାଯାଏ ପିଆଜି କବାଟ ଚୁଲି ପାଖରେ ଠିଆ ହୋଇ ପିଆଜି ଛାଣୁଥାଆନ୍ତି ଗରାଖ-ଭଗବାନମାନଙ୍କର ହୁକୁମ ତାମିଲ କରୁଥାନ୍ତି । କେତେବେଳେ କେମିତି ତାଙ୍କର ଗୋଟିଏ ପୁଅ ଓ ଝିଅ ଛଡ଼ା ଦୋକାନରେ ତାଙ୍କର ଧରାବନ୍ଧା ସହକର୍ମୀ କେହି ନଥାନ୍ତି । ସବୁ ସେ ନିଜେ ଚଳାନ୍ତି । ସେତେବେଳେ ଦିନ ଥିଲା, ସେମିତି ବଡ଼ଲୋକ ନ ହେଲେ ସମସ୍ତେ ହାତରେ ନିଜ ନିଜର ପତ୍ର ଉଠାଇ ନେଉଥିଲେ । କିନ୍ତୁ ଆଜିକାଲି ଏଇ ହାତୀଖୋଜିଆ ବାଳବାଳୁଆ, ଜାତିର ଭବିଷ୍ୟତ କର୍ଣ୍ଣଧାରମାନେ ସେତକ ନିଜ ହାତରେ ଉଠାଇବାକୁ ବହୁତ ବଡ଼ ଅପମାନ ବୋଲି ମନେ କରୁଛନ୍ତି । ତେଣୁ ପିଆଜି କବାଟ ଆଜିକାଲି ଗରାଖଙ୍କୁ ଖାଇବାକୁ ଦେବାଠୁ ଆରମ୍ଭ କରି ଅଇଁଠା ପତ୍ର କାଢ଼ିବା ଏବଂ ସକାଳୁ ଦୋକାନ ସଫା କରି ଜିନିଷ ତିଆରି କରିବାଠୁ ରାତିପର୍ଯ୍ୟନ୍ତ ପଇସାପତ୍ର ହିସାବ ରଖିବାସବୁ ନିଜେ ଚଳେଇ ନିଅନ୍ତି-

 

ପିଆଜି କବାଟଙ୍କର କେଉଁ ପିୃତପୁରୁଷ କେବେ ଉତ୍କଳର ଗଜପତିଙ୍କ ସପକ୍ଷରେ ପାଇକ ବାହିନୀରେ ଯୋଗ ଦେଇ ସମ୍ମୁଖ ସମରର ଲଢ଼ିଥିଲେ । ସେଇଦିନୁ ‘ଉତ୍ତରକବାଟ’ ଉପାଧି ପାଇଥିଲେ ତାଙ୍କର ପୂର୍ବପୁରୁଷମାନେ । ଏଇ ‘ଉତ୍ତରକବାଟ’ ନାମ ସ୍ମରଣ ମାତ୍ରେଇ ତେଲ କରେଇରେ କିଛି ପଡ଼ିବା ମାତ୍ର ଆଜିକାଲିର ମିଶା ତେଲ ଯୋଗୁ ନଈବଢ଼ିର ଫେଣ ଭଳି ମାଡ଼ିଆସୁଥିବା ଫେଣ ସଦୃଶ, ପିଆଜି କବାଟଙ୍କ ଧମନୀରେ ଯୋଦ୍ଧାରକ୍ତ ଚମକି ଆସେ । ସେ କଥା ଆଜି ହଜିଲା ସପନ । ପାଇକ ହିସାବରେ ଉତ୍ତର କବାଟ ବଂଶଧର ପାଇଥିଲେ କେତେମାଣ ନିଷ୍କର ଜାଗିରି । କିନ୍ତୁ ନିଆଁଲଗା ଇଂରେଜ ସରକାର ଆସିଲା ଯେ ସେତକ ଗଲା । ଗଜପତି ପୁରୁଷୋତ୍ତମଦେବ ଚୈତନ୍ୟ ମହାପ୍ରଭୁଙ୍କ ନିତେଇ ଗୌର ସମ୍ପ୍ରଦାୟରେ ଯୋଗଦେବା ଦିନୁ ଉତ୍ତରକବାଟ ବଂଶଧରମାନେ ଖଣ୍ଡା ଛାଡ଼ି ଲଙ୍ଗଳର ଆଶ୍ରୟ ନେଇଥିଲେ । ବିଜୟଟୀକା ଛାଡ଼ି ତିଳକ ଧାରଣ କରିଥିଲେ । ଲଙ୍କାଜୟୀ ରାମଚନ୍ଦ୍ରଙ୍କର ପୂଜା ଆରାଧନା ଛାଡ଼ି ହଳଧର ବଳଭଦ୍ରଙ୍କର ପୂଜାର୍ଚ୍ଚନା କରୁଥିଲେ ! ଧମନୀର ଉଷ୍ମ ତେଜା ରକ୍ତ ଧୀରେ ଧୀରେ ଶିଥିଳ ଓ ଶୀତଳ ହୋଇ ଆସିଥିଲା । ସାତସମୁଦ୍ର ସେପାରି ନିଆଁଗିଳା ଇଂରେଜଙ୍କୁ ଆଉ ବାଧା ଦେଇଥାନ୍ତେ କିପରି-? କବାଟଙ୍କ ବାପା ବହୁତ କଷ୍ଟରେ ଟାଣିଓଟାରି ସଂସାର ଚଳାଇଥିଲେ । ପିଆଜି କବାଟ ମଧ୍ୟ ଦିନାକେତେ ଆପ୍ରାଣ ଚେଷ୍ଟା କରିଥିଲେ ପିତୃପୁରୁଷଙ୍କର ଭିଟାମାଟି କାମୁଡ଼ି ପଡ଼ିରହିବା ପାଇଁ-। କିନ୍ତୁ ହୋଇପାରିଲାନି । କେତେ ଆଉ ଭିଡ଼ିଓଟାରି ହେବେ । ମଣିଷ ତ । ରବର ବା ଇଲାଷ୍ଟିକ୍ ହୋଇଛନ୍ତି ଯେ ଟାଣିଦେଲେ ବଡ଼ ହୋଇଯିବେ ? ଦିନେ ସ୍ତ୍ରୀଙ୍କୁ ଧରି ଚାଲିଆସିଥିଲେ ଏଇ ସହରକୁ ଅନ୍ନସଂସ୍ଥାନର ସନ୍ଧାନରେ । ସେ ଭିତରେ ଉଇ ଧରି ଯାଇଥିବା ‘ଉତ୍ତର କବାଟ’ ଉପାଧିଟାକୁ କେବେଠୁ ସେ ଛାଡ଼ି ଦେଇଥିଲେ । ଉଇଖିଆରୁ ଅବଶେଷ ରହିଯାଇଥିଲା, କେବଳ ‘କବାଟ ।‘ ବାପ ମା’ଙ୍କର କୋଡ଼ପୋଛା ପୁଅ ରଣଧୀର ଉତ୍ତର କବାଟ କେବଳ ‘ରଣଧୀର କବାଟ’ ନାମରେ ଆସି ପ୍ରତିଷ୍ଠା କରିଥିଲେ ଏଇ ଚାଳଖଣ୍ଡିକ । ପିଆଜି, ବରା, ଘୁଗୁନି ଓ ଚା’ କରନ୍ତି । ଏତିକି ଜିନିଷରେହିଁ ତାଙ୍କ ଦୋକାନ ଭଲ ଚାଲିଥିଲା । ତଟକା ଜିନିଷ ଦିଅନ୍ତି ରଣଧୀର, ବ୍ୟବହାର ବହୁତ ଭଲ, କେବେ କାହାକୁ ଠକନ୍ତି ନାହିଁ, ଏମିତି ଭାବରେ ଦୋକାନର ଗରାଖ ସଂଖ୍ୟା ଦିନକୁ ଦିନ ବଢ଼ିଥିଲା । ଯେତେ ଜିନିଷ କରନ୍ତୁ ନା କାହିଁକି, ପିଆଜିହିଁ ତାଙ୍କର ନାଁ ଡାକ ଏଇ ସହରରେ । ଏମିତି ମୁସ୍‌ମୁସ୍, ସ୍ୱାଦିଷ୍ଟ, ତଟକା, ପୁଷ୍ଟିକାରକ ପିଆଜି କେହି କରିପାରନ୍ତି ନାହିଁ । ବହୁତ ଶସ୍ତାରେ ପୁଣି ଏଡ଼େ ସୁନ୍ଦର ପିଆଜି ଆଉ କୋଉଠି ମିଳେନା, ସହରର ଏ ମୁଣ୍ଡୁ ସେ ମୁଣ୍ଡ ବୁଲିଗଲେ ମଧ୍ୟ । ସେଇଥିପାଇଁ କେବେଠୁ କେଜାଣି ଲୋକ ମୁଖରେ ‘ପିଆଜି କବାଟ’ ଭାବରେ ସୁପରିଚିତ । ସ୍ୱନକ୍ଷତ୍ରରେ ଶୁଭବେଳାରେ ଦିଆଯାଇଥିବା ରଣଧୀର ନାମ ତାଙ୍କର ରହିଯାଇଥିଲା ଅତୀତର ଅନ୍ଧାରି ଗହ୍ୱରରେ । ଉତ୍ତର କବାଟରୁ ‘ଉତ୍ତର’କୁ ସିଏ ନିଜେ ଖାଇଥିଲେ । ଆଉ ପୂରା ନାଁଟାରୁ ରଣଧୀରକୁ ତାଙ୍କ ନିଜ, ଆଦରର ପିଆଜି ଖାଇଦେଲା । ‘କବାଟ’ ଏଇତକହିଁ ପିତାମାତାଙ୍କର ଶେଷସ୍କୃତି । କେବେ ସିନା ଆପେ ‘ଉତ୍ତର’ କାଟି ଦେଇ ଥିଲେ ନାଁରୁ । ଆଜି କିନ୍ତୁ ଏଇ କବାଟ ଶବ୍ଦଟାକୁ ମୋଟେ ହାତଛଡ଼ା କରିବାକୁ ଇଚ୍ଛା ହୁଏନି; ଜାବୁଡ଼ି ଧରିଥାନ୍ତି । ଏଇଆକୁ ମନେ ପକାଇ ଆଜିକାଲି ବେଳେ ବେଳେ ସ୍ୱର୍ଗତ ପିତାମାତାଙ୍କର ଉଦ୍ଦେଶ୍ୟରେ ସୂତା ବନ୍ଧା ହୋଇଥିବା ଚଷମା କୋଣରୁ ଦୁଇଟୋପା ଲୁହ ଢାଳିଦିଅନ୍ତି ।

 

କିନ୍ତୁ ଏଇ ‘କବାଟ’କୁ ନେଇ ଯେତେ ସବୁ ଅସୁବିଧାର ସମ୍ମୁଖୀନ ହୋଇଥିଲା ସ୍କୁଲରେ ଶ୍ରୀହରି କବାଟ, ରଣଧୀର କବାଟଙ୍କ ଜ୍ୟେଷ୍ଠପୁତ୍ର । ଜନ୍ମାଷ୍ଟମୀ ଦିନ ଜନ୍ମ ହୋଇଥିବା ଜ୍ୟେଷ୍ଠ ସନ୍ତାନର ନାମ ଦେଇଥିଲେ ପିତାମାତା ‘ଶ୍ରୀହରି’ । ଦୁଇ ହୋଇ ଏଇ ସହରକୁ ଆସିଥିବା ପିଆଜି କବାଟ ଦୁଇପୁତ୍ର ଓ ତିନି ଝିଅ ସହିତ ସାତଜଣଙ୍କର ଏକ ନାତିବୃହତ୍ ପରିବାର ଚଳାଇଥିଲେ, ଏଇ ପିଆଜି ଦୋକାନରୁ ଏଇ ତାଙ୍କର ଜମିବାଡ଼ି, ଏଇ ତାଙ୍କର ଚାକିରି, ଏଇ ତାଙ୍କର ଶେଷ ସମ୍ବଳ । ବହୁତ କଷ୍ଟରେ କେତେବର୍ଷ ହେଲା ବଡ଼ଝିଅଟିକୁ ବାହା କରାଇ ଦେଇଥିଲେ । ବଡ଼ପୁଅ ଶ୍ରୀହରିକୁ ଛାଡ଼ିଦେଲେ ଆଉ ସମସ୍ତେ ସାନ । କାହାର ହେଲେ ମୁଣ୍ଡକୁ ହାତ ପାଇନି । ସେଥିରେ ଗୋଟିଏ ଝିଅ ଘରଯୋଗ୍ୟ ହୋଇଗଲାଣି । ଏଇ ବର୍ଷେ ଦୁଇବର୍ଷ ଭିତରେ ବାହାଘର କରିବାକୁ ହେବ । ଆଜିକାଲି ଝିଅଗୁଡ଼ାକ ତିରିଶି ପଇଁତିରିଶ ପର୍ଯ୍ୟନ୍ତ ବାହା ହେଉନାହାନ୍ତି, କିନ୍ତୁ ରଣଧୀରଙ୍କୁ ଏଗୁଡ଼ା କିପରି ମାଛ ମାର୍କେଟର ଗନ୍ଧପରି ଗନ୍ଧାଏ । ଯୋଉ ଗୋଟିଏ ସ୍କୁଲ, କେତୋଟି ମଟର ଗ୍ୟାରେଜ, ଗୋଟିଏ ପାନ ଦୋକାନ ଓ ନିକଟସ୍ଥ ଅଳ୍ପ କେତୋଟି ଘରକୁ ନେଇ ସିଏ ତାଙ୍କ ବେପାରର ଶୁଭ ଦେଇଥିଲେ, ବହୁତ କଷ୍ଟରେ କୁହାପୋଛା କରି ଶ୍ରୀହରିକୁ ସେଇ ସ୍କୁଲରେ ପୂରାଇ ଦେଇଥିଲେ । ସ୍କୁଲର ବହୁତ ଶିକ୍ଷକ, କିରାଣି, କର୍ମଚାରୀ ଆସନ୍ତି ତାଙ୍କ ଦୋକାନକୁ । ସେଇମାନଙ୍କୁ କୁହାପୋଛା କରି, ଗୋଡ଼ହାତ ଧରି ଦରମା ଛାଡ଼ି କରାଇଥିଲେ, ବହିପତ୍ର ମଧ୍ୟ ମିଳିବାର ସୁବିଧା କରି ଦେଇଥିଲେ । ଏଇଥିପାଇଁ କାହା କାହା ଘରକୁ ବେଳେ ବେଳେ ତାଙ୍କର ସୁବିଖ୍ୟାତ ପିଆଜି ପଠାଇବାକୁ ହୋଇଛି । ଏଇ ବୟସରେ ବି ସିଏ ନିଜେ ନେଇ କରି ଯାଆନ୍ତି । ପୁଅଟା ହାତରେ ଦିଅନ୍ତେ ଯେ କିଛି ବିଶ୍ୱାସ ନାହିଁ । ଥରେ ଦି’ଥର ଦଗା ପାଇଛନ୍ତି । କ’ଣ ସିଏ କରେ କେଜାଣି ସେଥିରେ !

 

ବହୁ ଦିନରୁ ପିଆଜି କବାଟଙ୍କର ଏକ ଗୋପନ ଅଭିଳାଷ ଥିଲା । ହୃଦୟର ଏକ ନିଭୃତ କୋଣରେ ସିଏ ଏଇ କଳ୍ପଦ୍ରୁମଟିକୁ ପାଣି, ସାରି ଦେଇ ଅତି ଯତ୍ନର ସହିତ ପାଳି ଆସିଥିଲେ । କଅଁଳ ଛନ ଛନ ପତ୍ର ସେଥିରେ କଅଁଳି ଆସିଥିଲା । କିନ୍ତୁ ହାୟ ! କୋଉ ଅପଦେବତାର ଅଭିଶାପ ପଡ଼ିଲା ସେଥିରେ ! ଏତେ ଯତ୍ନରେ ପାଳିଥିବା ଗଛଟିରୁ ଯେ ଆମ୍ବ ନ ଫଳି ଆମ୍ବଡ଼ା ଫଳିବ ଏକଥା କେବେ କେମିତି ସୂଚନା ପାଇଥିଲେ ବି ଏତେଟା ଚିନ୍ତା କରି ନ ଥିଲେ ରଣଧୀରେ । ତାଙ୍କର ଇଚ୍ଛା, ପୁଅଟି କେମିତି ବଡ଼ ହେଉ, ଦି’ ଅକ୍ଷର ଲେଖି ପଢ଼ି ଶିଖି ସମାଜରେ ଜଣେ ହେଉ, ଚାକିରି ବାକିରି ଖଣ୍ଡେ କରୁ । ଇଏ ହେଲେ ପୂର୍ବ ପୁରୁଷର ନାଁ ଫେରାଇ ଆଣିବ ! ନିଜେ ତ ଚୁଲି ପାଖରେ ଠିଆ ହୋଇ ବେସନ ଓ କଞ୍ଚା ପିଆଜଗେଳାକୁ ହାତରେ ଏପଟ ସେପଟ କରି କରେଇରେ ସେଁ ସେଁ କରି ଗରାଖଙ୍କ ହୁକୁମ ତାମିଲ କରିବାରେ ଜୀବନ ଆସି ତିନି ପଣ ଅଧେ ହେଲା, ତାଙ୍କର ଆଉ କେତେ ଦିନ ! ପାଚିଲା ବେଲ ସେ ! କୋଉଦିନ ଡାକରା ଆସିଯିବ ଟଳି ପଡ଼ିବେ । ପୁଅଟା ହେଲେ ଯୋଗ୍ୟ ହେଇଥିଲେ ସଂସାରର ବୋଝ ମୁଣ୍ଡକୁ ନେବ । ତାଙ୍କୁ ଟିକିଏ ହାଲୁକା କରିଦବ । ପୁଣି ସେଇ ଜମିବାଡ଼ି, ଉପାଧି ସବୁ ଫେରି ଆସିବ । ବେଳେ ବେଳେ ଆଖି ଉଜ୍ଜ୍ୱଳି ଉଠେ ରଣଧୀରଙ୍କର । କେତେଦିନ ହେଲା ଏଇ କଥା ଭାବି ଭାବି, ଦିନେ ନ ଦେଖିଥିବା ପର୍ବ ପୁରୁଷର ସେ ବୈଭବ କଥା ଚିନ୍ତା କରୁ କରୁ ଆଖିରେ ପାଣି ଚାଲିଆସେ । କିନ୍ତୁ ଶ୍ରୀହରି ସ୍କୁଲରେ ପାଠ ଶିଖିଲାନି, ଶିଖିଲା ଶାଠ । ସ୍କୁଲରେ ବହିପତ୍ର ଫୋପାଡ଼ି ଦେଇ ଶ୍ରୀହରି ଚାଲିଯାଏ ଆମ୍ବ ତୋଟାକୁ ଆମ୍ବ ଚୋରି କରିବାକୁ ବା ବୋହୂଚୋରି ଖେଳିବାକୁ, ଆଜି କାହା ସାଙ୍ଗରେ କଳି ତ କାଲି କାହାର ବହି ଚିରି ଦେଲାଣି । ଧୀରେ ଧୀରେ ସ୍କୁଲରେ ଦେଉଳ ତୋଳିବାରେ ନ ହେଉ ପଛେ ବାଟରେ ଝାଡ଼ା ଫେରିବାରେ ଶ୍ରୀହରି ଏକ ନମ୍ବର ଭାବରେ ପ୍ରସିଦ୍ଧି ଲାଭ କଲା । ନିତି ନିତି ତା ନାଁରେ ଅନେକ ଅଭିଯୋଗ ଆସେ ରଣଧୀରଙ୍କ ପାଖକୁ । ଦିନେ ଦିନେ ଶ୍ରୀହରି ଦୋକାନକୁ ଆସିଲେ ତାକୁ ଖୁବ୍ ପିଟନ୍ତି । ତା ପରେ ବହୁତ ମନ ବ୍ୟସ୍ତ କରନ୍ତି ଦିନଯାକ । ଦେଖନ୍ତି ସ୍ୱପ୍ନର ପଦ୍ମ ତାଙ୍କର ଘୁଞ୍ଚି ଘୁଞ୍ଚି ଯାଉଛି, ହାତ ବଢ଼ାଇଲେ ପାଉନି । ବହୁତ କୁହାପୋଛା କରି ଜଣେ ମାଷ୍ଟଙ୍କ ଘରେ ମାହାଳିଆରେ ଶ୍ରୀହରି ଟିଉସନ ହେବାର ଯୋଗାଡ଼ କରିଥିଲେ । ଦିନେ ଜଣେ ଭଦ୍ରବ୍ୟକ୍ତି ଶ୍ରୀହରିକୁ ଧରି ଟିଉସନ ଆରମ୍ଭ ସମୟର ଟିକିଏ ପରେ ପହଞ୍ଚିଲେ । କଥା ହେଲା ହରି ବାଟରେ ତାଙ୍କ ପୁଅର ଲଣ୍ଠନ କାଚ ଭାଙ୍ଗି ଦେଇଛି ଓ ମନଇଚ୍ଛା ବାଡ଼େଇଛି । ସେଇଦିନଠୁ ଟିଉସନ ବନ୍ଦ । ବହୁତ କଷ୍ଟରେ, ଅନେକ କୁହାବୋଲା କରି, ଅନେକ ହାତଗୁଞ୍ଜ, ବାରିଆଡ଼ିଆ କାରବାର କରି ପୁଅକୁ ଦଶମ ପାହାଚ ଡିଆଁଇ ଦେଲେ । ସେତିକିରେ ଭାଗବତ ଇତିଶ୍ରୀ ହୋଇଗଲା । ଶ୍ରୀହରି ଆଉ ମାଟିକରୂପୀ ହରିଙ୍କ ଦର୍ଶନ ପାଇଲେ ନାହିଁ । ପାଞ୍ଚ ସାତ ଚେଷ୍ଟା କରିବା ପରେ ରଣଧୀର କବାଟ କାନମୁଣ୍ଡା ଆଉଁସି ତୁନି ରହିଲେ ।

 

ସ୍କୁଳରେ ପଢ଼ୁଥିଲା ବେଳେ ଶ୍ରୀହରି କେତେବେଳେ କେମିତି ଦୋକାନକୁ ଆସୁଥିଲା । ବାପାର ବାଧ୍ୟବାଧକତାରେ ଦୋକାନରେ କିଛି କାମ କରିବା କଥା ଛାଡ଼, ଦୋକାନରୁ ପଇସା ନେଇ ବାହାରେ ଆଇସ୍କ୍ରିମ ପ୍ରଭୃତି ଅନ୍ୟ କିଛି ଖାଇବା, ପଇସା ଚୋରାଇବା ଏବଂ ବାପା ନ ଥିବା ବେଳେ ସବୁଧା ଦେଖି ସାଙ୍ଗପିଲାଙ୍କୁ ଡାକି ଖୁଆଇବା ଥିଲା ହରିର କାମ । ତୁଳସୀ ଦୁଇ ପତ୍ରରୁ ବାସେ । ଧୀରେ ଧୀରେ ଯେତେ ପାହାଚ ଉପରକୁ ଉଠୁଥାଏ ହରି ଦୋକାନକୁ ସେତେ ଭୁଲି ଯାଉଥାଏ । ବାପା ଯେମିତି ହେଲେ ଦୋକାନ ଚଳେଇ ପଇସା ଦେଉଛି ତ ! କେହି ପଚାରିଲେ କହେ, ‘‘ଦୋକାନ ଭଲ ଚାଲୁନି । ବାପା ତ ଅଛି ମୁଁ ଆଉ କ’ଣ କରିବି ? ଜଣେ ଲୋକ ଯଥେଷ୍ଟ-।’’ ମାଟ୍ରିକ ଶେଷ ପାହାଚରେ ପାଦ ଦେଲା ବେଳକୁ ବାପାକୁ ଲଗେଇ, ଜବରଦସ୍ତ କରି, ଦରକାର ହେଲେ ଦୋକାନରୁ ପଇସା ଚୋରେଇ ଆହୁରି ହାତୀଖୋଜିଆ ପ୍ୟାଣ୍ଟ ସାର୍ଟ ହଳେ ଦି’ ହଳ ଯୋଗାଡ଼ କରିଦେଇଥିଲା । ସେଥିରେ ଆବକ୍ଷବିସ୍ତୃତ କେଶରାଶି ନାଟ୍ୟଦଳର ଭ୍ରମ ଜନ୍ମାଉଥିଲା । କୋଇଲି, ଗୋପୀଭାଷା, ମଥୁରାମଙ୍ଗଳ ପଢ଼ିଥିବା ବାପାଠାରୁ ଯେ ସେ ଆହୁରି ବହୁତ ବେଶି ପଢ଼ିଛି ଏକଥା ସବୁବେଳେ ଶ୍ରୀହରିର ମନରେ ଥାଏ । ତେଣୁ ବାପା ଯାହା କହିଲେ ସିଏ ଆଉ ଖାତିର କରୁ ନଥିଲା । ତେଣିକି ଦେଖାଗଲା କଠଉ ଜାତୀୟ ହଳେ ଯୋତା, ପ୍ୟାଣ୍ଟ ସାର୍ଟ ପିନ୍ଧି, ପାଓ୍ୱାରଲେସ ଚଷମା ଲଗେଇ ଧତଡ଼ା ସାଇକେଲ ଖଣ୍ଡେ ଧରି ଖାଇବା ସମୟ ବ୍ୟତୀତ ଆଉ ସବୁବେଳେ ଶ୍ରୀହରି ଚକ୍‌କର ମାରୁଥାନ୍ତି । ଅନେକ ଅଭିଯୋଗ ଆସେ, ବାଳିକା ବିଦ୍ୟାଳୟ ସାମ୍ନାରେ ଠିଆ ହୋଇ ଶ୍ରୀହରି ହୁଇସିଲ ମାରୁଛି, ଆଖି ମାରୁଛି ଇତ୍ୟାଦି । ମହିଳା କଲେଜକୁ ଯାଉଥିବା ଝିଅମାନଙ୍କ ପଛରେ ସାଇକେଲ ଚଳେଇଥିବା ଅପରାଧରେ ଥରେ ସମଗୋତ୍ରୀୟ ଅନେକଙ୍କ ସଙ୍ଗରେ ଶ୍ରୀହରିଙ୍କୁ ମାମୁଁ, ଥାନାବାବୁ ନେଇ ଯାଇଥିଲେ । ବହୁତ କୁହାପୋଛା ପରେ ଛାଡ଼ି ଦେଲେ । ଶ୍ରୀହରି ଆଉ ଦୋକାନକୁ ପ୍ରାୟ ଆସୁ ନ ଥିଲା । ବେଳ କେତେବେଳେ ଆସିବାକୁ-! କିନ୍ତୁ ପଇସା ଯେବେ ଦରକାର ପଡ଼େ ଦୋକାନକୁ ଆସେ ଏବଂ ବାପା କହିବା ପୂର୍ବରୁ କ’ଣ ହେଲେ କାମ ଗୋଟେ କରିଦିଏ । ସେଥିରେ ପୁଣି ଅନ୍ଧ ପାଣି ବୋହିଲେ ପାଁ ଜଣ ପଡ଼ିଆ । ଏଣିକି ତାଙ୍କର ଗୋଟେ ଦୋକାନ ଅଛି, ସିଏ ଜଣେ ସାଧାରଣ ପିଆଜି ଦୋକାନୀର ପୁଅ ବୋଲି ତଥାକଥିତ ବଡ଼ଲୋକ ବନ୍ଧୁମାନଙ୍କ ନିକଟରେ ପରିଚୟ ଦେବାକୁ ଶ୍ରୀହରିକୁ ଖରାପ ଲାଗେ । ଆମର ଦୋକାନ ଭାଙ୍ଗି ଗଲାଣି ବୋଲି କହିଦିଏ । ବହୁତ ସନ୍ତର୍ପଣରେ ଦୋକାନକୁ ଯାଏ ଦରକାର ସମୟରେ ।

 

ଅଳ୍ପ କେତେ ବର୍ଷ ହେଲା ନୂଆ କରି ସେହି ସହର ବିଜ୍ଞାପିତ ଅଞ୍ଚଳ ପରିଷଦ ଭାବରେ ଘୋଷିତ ହୋଇଥାଏ । ସେହି ଏନ୍‌:ଏ:ସି:ର ଅନେକ କର୍ମକର୍ତ୍ତା ରଣଧୀରଙ୍କ ଚିହ୍ନା, ପୁରୁଣା ଗରାଖ-। ଜାଣ ପୂର୍ବର ପଞ୍ଚାୟତ ସମିତି ଉପରେ ଗୋଟେ ନୂଆ, ଚକଚକିଆ ବଡ଼ ଖୋଳ ଲଗାଯାଇ ଏନ୍:ଏ:ସି ଲେବୁଲ ମାରି ଦିଆଯାଇଛି । ପ୍ରାୟ ସମସ୍ତ କର୍ମଚାରୀ ଓ ନିର୍ବାଚିତ ପ୍ରତିନିଧି ସେଇ ସହରର, ପିଆଜି କବାଟଙ୍କର ପୁରୁଣା, ନିଜର ଲୋକ । ପାଠଶାଠ ନ ହେଲା ନାହିଁ, ଶ୍ରୀହରିକୁ କେମିତି ଗୋଟେ କୌଣସି ଧନ୍ଦାରେ ପୁରାଇ ଦେବେ ଏଇଦେଲା ରଣଧୀରଙ୍କର ସର୍ବଶେଷ ଓ ସର୍ବଶ୍ରେଷ୍ଠ ଚିନ୍ତା । ହେଲେ ଆଜିକାଲି ତ ବେକାର ହାଟରେ ସବୁ ଫ୍ରି ସେଲ୍, କଣ୍ଟ୍ରୋଲକୁ ପଚାରୁଛି କିଏ ! କେତେ ଏମ:ଏ, ବି:ଏ ଦାଣ୍ଡରେ ପଡ଼ି ହାଟରେ ଗଡ଼ଗଡ଼ଉଛନ୍ତି, ମାଟ୍ରିକକୁ କିଏ ପଚାରୁଛି । ଶ୍ରୀହରି ପୁଣି ମାଟ୍ରିକ ବି ନୁହେଁ । ଯାହାହେଉ ପିଆଜି କବାଟଙ୍କ ବିଖ୍ୟାତ ପିଆଜିର ସୁସ୍ୱାଦୁରେ ହେଉ, ତାଙ୍କର ମନକିଣା ବ୍ୟବହାରରେ ହେଉ ବା ପ୍ରତ୍ୟହ ଏନ୍‌:ଏ:ସି କର୍ମକର୍ତ୍ତାକୁ ତେଲ-ମାଲିସରେ ହେଉ, କିପରି ହେଉ ଶ୍ରୀହରି ପାଇଁ ରଣଧୀର କବାଟ ଏନ୍‌:ଏ:ସି:ରେ ଟ୍ୟାକ୍‌ସ କଲେକ୍ଟର ଚାକିରି ଖଣ୍ଡେ ଯୋଗାଡ଼ କରି ପାରିଥିଲେ । ଶ୍ରୀହରିଙ୍କର କିନ୍ତୁ ଏପରି ଚାରିଦଉଡ଼ି କଟା, ମହାଦେବଙ୍କ ଷଣ୍ଢପରି, ଫ୍ରି ସର୍ଭିସ ଛାଡ଼ି ଏନ୍:ଏ:ସି ଗୁହାଳରେ ବନ୍ଧା ହେବାକୁ ଜମା ମନ ନ ଥିଲା-। ସିଏ ଯାହାହେଉ ଶ୍ରୀହରି ଚାକିରିରେ ଯୋଗ ଦେଲେ । ଦରମା ମାସକୁ ୨୫୦ଟଙ୍କା ।

 

ରଣଧୀର ମହାଖୁସି । ଶ୍ରୀହରି ଚାକିରି ପାଇବା ଦିନ କେତେ ଲୋକଙ୍କୁ, କେତେ ପିଲାଙ୍କୁ ଡାକି ମନ ଖୁସିରେ ପିଆଜି, ବରା, ଚା’ ବାଣ୍ଟିଛନ୍ତି କିଛି ଠିକ ନାହିଁ । ସେଦିନ ସମସ୍ତଙ୍କ ପାଇଁ ଦୋକାନ ଦୁଆର ମେଲା ଥିଲା, ବିନା ପଇସାରେ । ରଣଧୀରଙ୍କ ମନ ସେଦିନ ଖୁସିରେ ଘର ଧରି ନ ଥିଲା । ଆଶ୍ଚର୍ଯ୍ୟ କଥା ଦେଖା ଯାଇଥିଲା । ଦୋକାନର ପଇସା ବାକ୍‌ସ ପାଖରେ ଥିବା ଧୂଆଁରେ କଳା ପଡ଼ି ଯାଇଥିବା ଜଗତ୍‌ପତିଙ୍କ ଫଟକୁ ଚାହିଁ ସେଦିନ ଲୁହ ଢାଳିଥିଲେ ରଣଧୀର । ଆନନ୍ଦର, ଲକ୍ଷ୍ୟ ପୂରଣର, ମନସ୍କାମନା ପୂର୍ଣ୍ଣର ଲୁହ ସେ । ସେଦିନ ରାତିରେ ଖୁସି ହୋଇ ଦୋକାନ ନିକଟରେ ଏକତ୍ରିନାଥ ମେଳା କରାଇଥିଲେ । ବାଟ, ଭିକାରୀ, ଯାତ୍ରୀ, ଭଦ୍ରଲୋକ ଯାହାକୁ ପାଇଲେ ସମସ୍ତଙ୍କୁ ପ୍ରସାଦ ବାଣ୍ଟିଥିଲେ । ଅନେକ ରାତି ପର୍ଯ୍ୟନ୍ତ ଶ୍ରୀହରିର ସୁଖ ଆନନ୍ଦ ମନାସି ଭକ୍ତଗଣଙ୍କ ସହିତ ମହା ଖୁସିରେ ଗଞ୍ଜେଇ ସେବନ କରିଥିଲେ ପିଆଜି କବାଟ । ସେଇ ଗଞ୍ଜେଇ ମେଳା ଭିତରେ ବି ମନେ ମନେ କେତେ କ’ଣ ଚିନ୍ତା କରି ଯାଉଥିଲେ ରଣଧୀର । ମନରେ ତାଙ୍କର ବିରାଟ ଏକ ଅଲିଖିତ ତାଲିକା ।

 

‘‘ପୁଅ ଚାକିରି କଲାଣି, ଆଉ ଦି’ଖଣ୍ଡ ଭଲ ପ୍ୟାଣ୍ଟ ସାର୍ଟ ପିନ୍ଧିବା ଦରକାର । ମଝିଆ ଝିଅ ଓ ସ୍ତ୍ରୀ ପାଇଁ ଦି’ ଖଣ୍ଡ ଲୁଗା କିଣିବା ଦରକାର । ସାନଝିଅ ପାଇଁ ଫ୍ରକ୍ ଓ ବହିପତ୍ର କିଣା ହେବ । ସାନପୁଅ ୭ମ ଶ୍ରେଣୀ ବୋର୍ଡ଼ ପରୀକ୍ଷା ଦେବ, ସେଥିପାଇଁ ୫୦ଟଙ୍କା ଦରକାର । ତା’ର ମଧ୍ୟ ବହିପତ୍ର ଓ ପ୍ୟାଣ୍ଟ ସାର୍ଟ କିଣା ହେବ । ଧତଡ଼ା ସାଇକଲଟା ଥାଉ, ଆଉ ଗୋଟେ ଭଲ ସାଇକଲ କରିବାକୁ ହେବ । ପୁଅ କେତେ ମାସ ଚାକିରି କଲେ କିଛି ଟଙ୍କା ରଖି, କିଛି ଋଣ ଆଣି, ଦୋକାନରୁ କିଛି ପଇସା ରଖି ଦ୍ୱିତୀୟ ଝିଅଟିକୁ ଉଠାଇ ଦେବେ । ପୁଅର ଚାକିରି ଟିକେ ପୁରୁଣା ହୋଇଗଲେ ଏନ୍‌:ଏ:ସି ବିକୁଥିବା ଘର ଖଣ୍ଡେ କିଣିବା ତାଙ୍କର ବହୁଦିନର ଅକୁହା କଥା....ଏମିତି କେତେ କ’ଣ-।’’ ବେଶି ବେଶି ଭାବିଲେ ତାଲିକାଟା ଲମ୍ବିଯାଏ ବର୍ଷାଦିନିଆ ନଦୀଭଳି । ତାଙ୍କର କିଛି ଦରକାର ନାହିଁ । କ’ଣ ଆଉ ଜିନିଷ କରିବେ ସେ ? ଏଇ ମଇଳା ସାର୍ଟ ଓ ପାଇଜାମା ପିନ୍ଧି ପିନ୍ଧି ଦିହକ ଗଲାଣି ଆଉ କେତେଦିନ ଯେ ! ଜଗତ୍‌ପତି ଯେବେ ଦୟା କରିବେ ଏମିତି ପୁଅଝିଅଙ୍କ ଆଗରେ ଆଖି ବୁଜି ଦେବେ ସେ ! ପରିପୂର୍ଣ୍ଣ ସଂସାର ତାଙ୍କର, କ’ଣ ଆଉ ଦରକାର ?

 

ଶ୍ରୀହରି ବାବୁଙ୍କୁ ଦରମା ପଇସା ଅଣ୍ଟେନି । କେତେ ଆଉ ଦରମା ? ମାତ୍ର ୫୦ଟଙ୍କା; ୨ଖଣ୍ଡ ଶହେ ଟଙ୍କିଆ, ଖଣ୍ଡେ ପଚାଶ ଟଙ୍କିଆ । ୟା’ଠୁ କେତେ ଅଧିକା ଟଙ୍କା ଖାଁ ବାବୁଙ୍କ ପୁଅ ପେଟ୍ରୋଲ ଜାଳି ସାରିଦିଏ ! ଚାରିଅଙ୍କ ବିଶିଷ୍ଟ ନ ହେଲେ ସିଏ ଗୋଟେ ଦରମାରେ ଲେଖା ! ଶ୍ରୀହରିକୁ ପଇସା ଅଣ୍ଟେନି । ସେମିତି ପୂର୍ବଭଳି ବାପାକୁ ମାଗେ । ପ୍ୟାଣ୍ଟ ସାର୍ଟ, ବଜାର ଜଳଖିଆ, ଚା’, ପାନ ସିଗ୍ରେଟ ଓ ବନ୍ଧୁମାନଙ୍କ ସହିତ ସିନେମା ଦେଖିବାରେ ତ ପଇସା ଶେଷ । ପୁଅ ମାଗୁଛି, ପାଖରେ ଥିଲେ କୋଉ ବାପ ବା ସମ୍ଭାଳି ରହିପାରେ ? ରଣଧୀର ଦେଇ ଦିଅନ୍ତି, ପଛରେ ସ୍ତ୍ରୀ ଓ ଅନ୍ୟ ପିଲାଙ୍କଠୁ ଗାଳି ଖାଆନ୍ତି । ହଉ ପୁଅ ତ । ‘ପୁତ ନାମକ ନର୍ମରୁ ଯିଏ ଉଦ୍ଧାର କରିବ, ମରିଗଲେ ମୁହଁରେ ନିଆଁ ଦେବ ।’ ସେଥିରେ ପୁଣି ଜ୍ୟେଷ୍ଠପୁତ୍ର ।

 

ଚାକିରି ପାଇବା ପରେ ଶ୍ରୀହରି ଆଉ ଜମା ଦୋକାନ ମୁହଁ ମାଡ଼େନି, ଘରକୁ ସେମିତି ସବୁବେଳେ ଆସେନି । କେବେ କେମିତି ଆସେ । ଦୋକାନୀ ପୁଅ ବୋଲି ପରିଚୟ ଦେବାକୁ ତାକୁ ଯେମିତି କିଛି ଲାଜ୍ଜ ମାଡ଼ିପଡ଼େ । କିଏ ପଚାରିଲେ କୁହେ ନାହିଁ ସେଇଟା ଆମର ଦୋକାନ ନୁହେଁ, ଜଣେ ସଂପର୍କୀୟଙ୍କର । ଦିନେ ଦିନେ ଯାଉ ଯାଉ ଦୈବାତ୍ ଯଦି ଦୋକାନ ବାଟେ ଭୁଲରେ ସାଇକେଲ ଗଡ଼ିଯାଇଥାଏ ତା’ହେଲେ ହଠାତ୍ ସ୍କୁଲ ପଛବାଟ ଦେଇ ରାସ୍ତାଭାଙ୍ଗି ଚାଲିଯାଏ । ଗୋଟେ ଛା’ର ପିଆଜି ଦୋକାନୀ ପୁଅ ଏନ.ଏ.ସି. ର ଟିକସ ଆଦାୟକାରୀ, ଶ୍ରୀହରି କବାଟ, ୟା’ଠୁ ଲଜ୍ଜାର କଥା ଯେମିତି କିଛି ନାହିଁ । ଏମିତି ବଞ୍ଚିବାଠୁ ମରିଯିବାହିଁ ଭଲ । ଯଦି କେବେ କୌଣସି ଉପରିସ୍ଥ ହାକିମ, ଦୋକାନ ତଥା ବାପା କଥା ପଚାରନ୍ତି ତା’ହେଲେ ଶ୍ରୀହରି କୌଶଳକ୍ରମେ ଏଡ଼େଇ ଯାଆନ୍ତି । ତଥାପି ଶ୍ରୀହରିର ସେ ପୂର୍ବର ଅଭ୍ୟାସ ରହିଯାଇଥିଲା । ସମୟ ସୁବିଧା ଦେଖି ଦୋକାନରୁ ପଇସା ଚୋରି କରେ । ସହରର ନାନା କୁଖ୍ୟାତ ସ୍ଥାନକୁ ଯିବାକୁ ହେଲେ ଦରମାର କେତେ ଗୁଣ ପଇସା ଦରକାର । ସେ କଥା କ’ଣ କିଏ ବୁଝେ ? ପୁଅ ତ ଚାକିରି କରୁଛି, ଘରକୁ ନ ଦେଲା ନାହିଁ । ଦୋକାନ ଓ ଘର ଟିକସ ଦରମାରୁ ଏକାଥରେ ଅଫିସରେ ଦେଇ ଦେଉଥିବ ବୋଲି ରଣଧୀର ଥରେ ଦି’ଥର କହିଥିଲେ । ଶ୍ରୀହରି କିନ୍ତୁ ରସିଦ କେବେ ଦେଖାଏନି । ଦୁଇ ଚାରିମାସ ପରେ ପୁଅର ପଇସା ହେଉ ନ ଥିବ ଭାବି ରଣଧୀର ଟିକସ ଆଦାୟକାରୀ ପୁଅ ଶ୍ରୀହରିକୁ ଟିକସ ବାନ୍ଧିବାକୁ ପଇସା ଦେଇଥିଲେ । ତା’ ବି ନଈବଢ଼ିରେ କୁଆଡ଼େ ଚାଲିଗଲା ।

 

ଏ ଭିତରେ ଶ୍ରୀହରି ବାବୁଙ୍କର ପ୍ରମୋସନ ହୋଇଗଲାଣି । ଏନ୍.ଏ.ସି. ଟିକସ ଆଦାୟକାରୀରୁ ସିଏ ବର୍ତ୍ତମାନ ଜଣେ କିରାଣୀ । ଏ ଦେଶର ଅନେକ ନାଲିଫିତା ଭାଗ୍ୟନିୟନ୍ତାଙ୍କ ଭଳି ସିଏ ଜଣେ । ଏକଥା ଯାହା ଯୋଗୁ, ଯିଏ କହିବା ଯୋଗୁ ସମ୍ଭବ ସେହି ପିଆଜି କବାଟ ତସ୍ୟପୁତ୍ର ଶ୍ରୀହରିଙ୍କ ଶ୍ରୀମୁଖରୁ ଶୁଣି ନ ଥିଲେ । କେତେ ଦିନ ପରେ ଅନ୍ୟ ଜଣକଠାରୁ ଶୁଣିଥିଲେ-। ସେଦିନ ବି ଅନେକ ଖୁସି ହୋଇଥିଲେ ପୁଅର ଉନ୍ନତିରେ । ଆଜିକାଲି ଶୁଣାଯାଏ ଶ୍ରୀହରି କୁଆଡ଼େ ଗୋଟେ ମାଇକିନା ପାଖକୁ ଯିବା ଆସିବା କରୁଛି । ଅଫିସର ଲୋକ ସବୁ କୁହାକୋହି ହୁଅନ୍ତି । କେତେ ପ୍ରକାର ଜିନିଷ ଦେଇ ଦେଉଛି ତା’ ପାଖରେ । କଥାଟା କ୍ରମେ ପିଆଜି କବାଟଙ୍କ କର୍ଣ୍ଣଗୋଚର ମଧ୍ୟ ହେଲା । କିନ୍ତୁ କିଛି କହିପାରୁ ନ ଥାନ୍ତି ପୁଅକୁ ! ଅଜାଗା ଘା’ ସିଏ, ଦେଖି ହୁଏନି କି ଦେଖାଇ ହୁଏନି । ଥରେ ତା’ର ଜଣେ ସାଙ୍ଗ ମୁହଁରୁ ଶୁଣିଥିଲେ, ‘‘ଶ୍ରୀହରିଙ୍କ ସଂସାର କରିବା ବୟସ ହେଲାଣି, ବାପ ମା’ କ’ଣ ଏକଥା ଜାଣୁନାହାନ୍ତି ?’’ ରଣଧୀର ଜାଣନ୍ତି ପୁଅର ବୟସ ବହୁତ ଗଡ଼ି ଗଲାଣି । କ’ଣ କରିବେ ? ଝିଅଟି ମଧ୍ୟ କେବେଠାରୁ ବିବାହ ଯୋଗ୍ୟ ହୋଇ ବସିଛି । ପଇସା ଅଭାବରୁ ହୋଇପାରୁନି । ପୁଅ ଯଦି ଏକଥା ବୁଝୁ ଥାଆନ୍ତା, ଆଜି ଏକଥା ତାଙ୍କୁ ଶୁଣିବାକୁ ହୋଇ ନ ଥାନ୍ତା । ଏଣେ ମାଇଲେ ବ୍ରହ୍ମହତ୍ୟା, ତେଣେ ମାଇଲେ ଗୋହତ୍ୟା । ଏକଥା ଶୁଣିଲାବେଳେ ରଣଧୀରଙ୍କର ମୁଣ୍ଡ ବୁଲାଇ ଦେଇଥିଲା, ଅସଂଖ୍ୟ ସାପ ଛୁଆ ଯେମିତି ତାଙ୍କ ମୁଣ୍ଡ ଭିତରେ ପଶିଯାଇଥିଲେ ! ଥରେ ୬ମାସର ବାକି ଟିକସ ଦେବା ପାଇଁ ରଣଧୀରଙ୍କ ପାଖକୁ ନୋଟିସ ଆସିଥିଲା । ଆଶ୍ଚର୍ଯ୍ୟ ହୋଇଥିଲେ, ସବୁ ଟିକସ ସିଏ ମାସକୁ ମାସ ଶ୍ରୀହରି ହାତରେ ଦେଇ ଦେଇଥିଲେ ବା ତାକୁ କହିଥିଲେ ଦେଇଦବାକୁ । ଶ୍ରୀହରିକୁ ପଚାରନ୍ତେ ଉତ୍ତର ମିଳିଲା କିଏ ଭୁଲରେ ଏମିତି କରି ଦେଇଥିବ, ମୁଁ ଠିକ କରିଦେବି । ଏଇକଥା ସବୁବେଳେ ଭାବି ଭାବି ରଣଧୀରଙ୍କର ରକ୍ତଚାପ ବାହାରି ପଡ଼ିଲାଣି । ହଠାତ୍ କ’ଣ ହୋଇଯାଏ, ସବୁଆଡ଼ ଅନ୍ଧାର ଦେଖାଯାଏ, କିଛି କରି ପାରନ୍ତି ନାହିଁ । ତା’ ସାଙ୍ଗକୁ ଆଜିକାଲି ଶ୍ୱାସଟା ବି ବଡ଼ କଷ୍ଟ ଦେଉଛି ସମୟେ ସମୟେ ।

 

ଯଦି କେବେ ଦୋକାନଆଡ଼େ କିମ୍ବା ଘରଆଡ଼େ ଟିକସ ଆଦାୟ ଶ୍ରୀହରିଙ୍କ ଉପରେ ପଡ଼େ, ତେବେ ତାଙ୍କ ଦାୟିତ୍ୱକୁ ସିଏ ଅନ୍ୟ ସ୍ଥାନକୁ ବଦଳେଇ ଦିଅନ୍ତି । ଥରେ ଦି’ଥର ପ୍ରକାରାନ୍ତରେ ବାପାଙ୍କୁ ଦୋକାନ ବନ୍ଦ କରିଦେବା ନିମନ୍ତେ ଶ୍ରୀହରି ସଦୁପଦେଶ ଦେଇ ସାରିଥାନ୍ତି-। କିନ୍ତୁ ଏତେ ଦିନର, ଏତେ ବିଖ୍ୟାତ ପିଆଜି ଦୋକାନ ବନ୍ଦ କରିଦେବା ନିମନ୍ତେ ରଣଧୀର ପୂରା ନାରାଜ । ଶ୍ରୀହରି ଭଳି ଦୋକାନ ଯେ ତାଙ୍କର ଆଉ ଏକ ରୋଜଗାରିଆ ପୁଅ । ଦୁଇ ଦୁଇଟା ରୋଜଗାରିଆ ପୁଅ ଥାଉ ଥାଉ ଜଣେ ତ ଦେଉନି, ଆଉ ଜଣେ ଦେଉଛି ଯେ ସେଇଟା ବନ୍ଦ ହୋଇଗଲେ ଚଳିବେ କେମିତି ? ତଥାପି ବେଳେ ବେଳେ ଦୋକାନ ଭାଙ୍ଗିଦେବାପାଇଁ ଶ୍ରୀହରିବାବୁ ବାପାଙ୍କ ଉପରେ ଚାପ ପକାନ୍ତି । ଜରୁରୀ ପରିସ୍ଥିତି ସମୟରେ ରାସ୍ତା ଚଉଡ଼ା କରିବାକୁ ରାସ୍ତାକର ଦୋକାନ ତଥା ଘରଗୁଡ଼ିକ ଭାଙ୍ଗିବା ନିମନ୍ତେ ଏନ୍‌:ଏ:ସିକୁ ନିର୍ଦ୍ଦେଶ ଆସିଥିଲା । ଯଥା ସମୟରେ ସୁପୁତ୍ର ଶ୍ରୀହରିବାବୁ ଏକଥା ବାପାଙ୍କ କାନ କରି ଦେଇଥିଲେ-। କିନ୍ତୁ ଏତେ ଦିନର ପୁରୁଣା ଲୋକ ହୋଇ ଏତେ ଚିହ୍ନାପରିଚୟ ଥାଇ ଏଇତକ କ’ଣ ସିଏ ସମ୍ଭାଳି ପାରିବେ ନାହିଁ, ଏଇ ଭରସାରେ ରଣଧୀର ଚୁପ୍ ରହିଯାଇଥିଲେ । ଭିତରେ ଭିତରେ ଚେଷ୍ଟା ଚଳାଇଥିଲେ । ଚେୟାରମ୍ୟାନଙ୍କୁ ଦରଖାସ୍ତ ଖଣ୍ଡିଏ ଦେଇଥିଲେ ଦୋକାନରେ ବସିଥିବାବେଳେ । ତାଙ୍କ କଥା ବିଚାର କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ଚେୟାରମ୍ୟାନ୍ ।

 

ସେଦିନ ଏନ୍‌.ଏ.ସି ଅଫିସର ସବୁ କର୍ମକର୍ତ୍ତାଙ୍କ ତତ୍ତ୍ୱାବଧାନରେ କିଛି କିଛି ଲୋକ ଅନେକ ସ୍ଥାନକୁ ଘର ଭାଙ୍ଗିବାକୁ ଯାଉଥାନ୍ତି । ଶ୍ରୀହରିବାବୁଙ୍କ ପାଳି ପଡ଼ିଥାଏ ତାଙ୍କ ଦୋକାନ ଏରିଆରେ । ଅନ୍ୟ କାହାକୁ ସେଇ ଏରିଆକୁ ପଠାଇ ଦେବାକୁ ଖୋଜିଲେ କିନ୍ତୁ ସମସ୍ତେ ଚାଲି ଯାଇଥିଲେ । ଅଗତ୍ୟା ନିଜେ ବାଧ୍ୟ ହୋଇ ଗଲେ ଶ୍ରୀହରି କବାଟ । ନିଜେ ଦୂରରେ ଗୋଟେ ଦୋକାନ ପାଖରେ ଠିଆ ହୋଇ ଗୋଟିଏ ଲୋକଙ୍କୁ ତାଙ୍କ ଦୋକାନକୁ ପଠାଇଲେ । ସେ ଲୋକ ପଚାରିଲା, ଆଜ୍ଞା ସେଇଟା ପରା ଆପଣଙ୍କ ଦୋକାନ ? ଶ୍ରୀହରିବାବୁ ଚିହିଁକି ଉଠିଲେ, ‘‘କିଏ କହିଲା ଆମ ଦୋକାନ, ବୋଲି ଆମର ଦୋକାନ କିଛି ନାହିଁ, ସେଇଟା ଜଣେ ସମ୍ପର୍କୀୟଙ୍କର, ଦୂର ସମ୍ପର୍କୀୟଙ୍କର ।’’ ରଣଧୀର, ତାଙ୍କ ବାବୁଙ୍କୁ ଡାକି ଦବାକୁ ସେ ଲୋକକୁ କହିଲେ, ଶ୍ରୀହରି ଗଲେ ନାହିଁ । ବାପାଙ୍କୁ ସାମ୍ନା କରିବାକୁ ତାଙ୍କର ସାହସ ନଥିଲା । କୌଣସି ବାଟ ନ ପାଇ ଶ୍ରୀହରି ଆଦେଶ ଦେଲେ, ସେ ଲୋକକୁ ଯାଇ କୁହ ଦୋକାନରୁ ବାହାରିଯାନ୍ତୁ, ଘର ଭଙ୍ଗାଯିବ । ନଚେତ ଆମ ଲୋକ ଯାଇ ଜବରଦସ୍ତ କାଢ଼ିଦେବେ । ରଣଧୀର କିଛି ଶୁଣିଲେ ନାହିଁ । ଚେୟାରମ୍ୟାନଙ୍କ ପ୍ରତିଶ୍ରୁତି ଉପରେ ତାଙ୍କର ଗଭୀର ବିଶ୍ୱାସ ଥିଲା । ତାଙ୍କର ମନେ ପଡ଼ୁଥିଲା ଭାଗବତର ସେହି ଅମର ବାଣୀ, ‘‘ସେବା କାର୍ପଣ୍ୟ ପୁଣ୍ୟ ବଳେ, କିବା ଅସାଧ୍ୟ ମହୀତଳେ ।’’ ବାଧ୍ୟ ହୋଇ ଶ୍ରୀହରି ଲୋକଙ୍କୁ ପଠାଇଥିଲେ ରଣଧୀରଙ୍କୁ ଦୋକାନ ଭିତରୁ ଟାଣି ଆଣିବାକୁ । ‘ପିଆଜି’ କବାଟ, ଶ୍ରୀହରିବାବୁଙ୍କ ବାପା’ ଖବରଟା ସେତେବେଳକୁ ଲୋକଙ୍କ ଭିତରେ ପ୍ରଚାର ହୋଇ ସାରିଥାଏ । ସମସ୍ତେ ରଣଧୀରଙ୍କୁ ଦୋକାନରୁ ଟାଣି ଆଣିବାକୁ ପଛଘୁଞ୍ଚା ଦେଲେ । ସେତେବେଳକୁ ଖରାରେ ଠିଆ ହୋଇ ଶ୍ରୀହରିବାବୁଙ୍କ ମୁହଁ କଳା ପଡ଼ି ଯାଇଥାଏ । ଅପଦାର୍ଥ ଲୋକଗୁଡ଼ାକ ଉପରେ ଖୁବ୍ ରାଗିଯାଇ ଦୋକାନ ଭିତରେ ପଶିଗଲେ, ରାଗରେ ଦେହ ଥରୁଥାଏ । ଗରାଖ କେହି ନଥାନ୍ତି, ବାପା କେବଳ ଚୁଲି ପାଖରେ ଠିଆହୋଇ ପିଆଜି ଛାଣୁଥାନ୍ତି । ତଥାପି ଶ୍ରୀହରି ପ୍ରଥମେ ରଣଧୀରଙ୍କୁ ଦୋକାନ ଖାଲି କରିଦେବା ପାଇଁ ବୁଝାଇଲେ । ଆଗେ ଅନ୍ୟଗୁଡ଼ାକ ଭାଙ୍ଗିସାର, ପଛେ ଦେଖିବା, ଚେୟାରମ୍ୟାନଙ୍କୁ ମୁଁ କହିଛି ଏବଂ ସିଏ ବୁଝିବେ କହିଛନ୍ତି’ ବୋଲି ଶାନ୍ତ ଭାବରେ ରଣଧୀର ଉତ୍ତର ଦିଅନ୍ତେ ଶ୍ରୀହରିବାବୁ କିଛି ଶୁଣିଲେ ନାହିଁ । ଚେୟାରମ୍ୟାନ ଆସିବେ, ସିଏ କିଛି କାମ କରିନାହାନ୍ତି ଦେଖିବେ ଭାବି ଶ୍ରୀହରିବାବୁଙ୍କ ମୁଣ୍ଡରେ ପିତ୍ତ ଚଢ଼ିଗଲା । ବୁଢ଼ା ବାପକୁ ଚୁଲି ପାଖରୁ ଜୋରରେ ଝିଙ୍କିଆଣି ପଦାକୁ ଛାଟିଦେଲେ ଏବଂ ଲୋକମାନଙ୍କୁ ଘର ଭାଙ୍ଗିବା ନିମନ୍ତେ ଆଦେଶ ଦେଲେ । ଆଗପଛ ହୋଇ ଲୋକମାନେ ଘରଭଙ୍ଗା ଆରମ୍ଭ କରିଦେଲେ ।

 

ବୁଢ଼ା ପିଆଜି କବାଟ ବାହାରେ ପଡ଼ି ଧକଉଥାନ୍ତି । ଏକଲୟରେ ଦୋକାନକୁ ଅନାଇଁଥାଆନ୍ତି । ପୁରୁଣା ଶ୍ୱାସ ବେମାରୀଟା ବାହାରି ପଡ଼ିଥିଲା । ଶ୍ରୀହରିବାବୁ ନିଜ ହାତରେ ଦୋକାନର ସବୁ ଜିନିଷ ପଦାକୁ ଫିଙ୍ଗି ଥାଆନ୍ତି ଏବଂ ଘରଭଙ୍ଗା ଚାଲିଥାଏ । ପଇସା ବାକ୍‌ସଟା ବାହାରକୁ ଛିଟିକି ପଡ଼ି ବୁଢ଼ାଙ୍କ ମୁଣ୍ଡରେ ବାଜିଲା । ବୁଢ଼ା ଚିତ୍କାର କରି ଉଠିଲେ । ଲୋକ ଜମି ଗଲେ । ରକ୍ତ ବହୁଥାଏ । ଏଇ ସମୟରେ ଏନ୍‌:ଏ:ସି: ଚେୟାରମ୍ୟାନ ଗୁଣଗ୍ରାହୀ ବେହେରା ଆସି ପହଞ୍ଚିଲେ । ଲୋକ ଜମା ହୋଇଥିବାର ଦେଖି ବୁଢ଼ା ପାଖକୁ ଗଲେ । ଟିକିଏ ଦୂରରେ ଶ୍ରୀହରିବାବୁ ତଳକୁ ମୁହଁପୋତି ଚିନ୍ତାକୁଳ ଭାବରେ ଠିଆ ହୋଇଥାନ୍ତି । ଚେୟାରମ୍ୟାନଙ୍କ ହାତରେ ଥିଲା ପିଆଜି କବାଟଙ୍କ ଦୋକାନ ନ ଭାଙ୍ଗିବା ନିମନ୍ତେ ନିଷେଧାଦେଶ । କିନ୍ତୁ ବୁଢ଼ା ରଣଧୀର କବାଟ ସେତେବେଳକୁ ‘ପିଆଜି କବାଟ’ର ଦେହ ଛାଡ଼ି ଚାଲି ଯାଇଥିଲେ ପୂର୍ବପୁରୁଷର ‘ଉତ୍ତରକବାଟ’ ଉପାଧି ଅନୁସନ୍ଧାନରେ ।

 

(ଓଡ଼ିଆଜାତିର ରକ୍ଷକ, ଓଡ଼ିଆ ସାହିତ୍ୟର ସେନାପତି, ଓଡ଼ିଆ କ୍ଷୁଦ୍ରଗଳ୍ପର ଆଦିସ୍ରଷ୍ଟା, ସେହି ଫକୀରମୋହନଙ୍କ ଗଳ୍ପ ଅବଲମ୍ବନରେ) ।

 

ବୋଲଗଡ଼

ପୁରୀ

 

***

 

ଶାମର ନଟକଣ

ଶ୍ରୀ ନନ୍ଦ କିଶୋର ଆଚାର୍ଯ୍ୟ

 

ନରେନ୍ଦ୍ରପୁର ଗାଆଁର ଉତ୍ତର ପଟ ସାଆଲା ଘର ଧାଡ଼ିର ପୂର୍ବ ପଟକୁ ଶେଷ ମୁଣ୍ଡରେ ପୂର୍ବ-ପଶ୍ଚିମ ଦୁଇ ବଖରା ଛଣ ଛାଉଣୀ ଘର । ପୁର୍ବପଟ ବାରଣ୍ଡାଟାକୁ ଖଣ୍ଡେ ଚାଳ ବାହାର କରି ଓସାର କରାଯାଇଛି । ମେଲାଟା, ଚାଳକୁ ଦଶ ପନ୍ଦର ହାତ ଛାଡ଼ି କୃଷ୍ଣଚୂଡ଼ା ଫୁଲ ଗଛଟିଏ । ବହୁତ ବଡ଼ କେଉଁ କାଳୁ ଅଛି । ଘରର ଉତ୍ତର ପଟକୁ ଅଗଣା । ଅଗଣାକୁ ଲାଗି ଛୋଟ ବାରି ଖଣ୍ଡେ । ଅଗଣା ଓ ବାରି ସୀମାରେ ମନ୍ଦାର, ମଲ୍ଲୀ ଦୁଇ ଦୁଇ ବୁଦା । ବାରିରେ ସଜନା ଗଛଟେ । ପଶ୍ଚିମ ପଟରେ ଗୋଟେ ତରାଟ ଗଛ, ବେଲ ଗଛ ଦି’ଟା । ଏହି ଘର ଦୁଇ ବଖରାରୁ ବଖରାଏ ରୋଷେଇ ଘର ଅନ୍ୟ ବଖରାଟି ଭଣ୍ଡାର ଘର ଓ ଶୁଆ ବସାରେ ଲାଗେ । ପୂର୍ବପଟ ଚାଳି ଖଣ୍ଡି ସେଲୁନର କାମ କରେ । ହାଟ ପାଳି ନଥିଲା ଦିନ କି ଯଜମାନୀ ଗାଆଁ ଯିବା ପାଳି ନଥିଲା ଦିନ ଶ୍ୟାମ ସେଲୁନ ଖୋଲି ଦିଏ ଏଇ ଚାଳରେ । କମାର ପିଟା ଦନ୍ଥରା କ୍ଷୁର ଦୁଇପଟ, କଇଁଚି ଦୁଇଟା, କ୍ଷୁର ଘଷିବାକୁ ଭଙ୍ଗା ସ୍ଲେଟ୍ ଖଣ୍ଡେ, ନହୁରୁଣୀ ଗୋଟେ ଦିଟା, ଛୋଟ ପିତ୍ତଳ ଗିନା ଖଣ୍ଡେ ଯତ୍ନରେ ସଜା ହୋଇଛି ତା’ ଚମଡ଼ା ମୁଠି ଭିତରେ ।’ ଏଇ ହେଉଛି ତାର ସେଲୁନ ସମ୍ପତ୍ତି । ଛିଣ୍ଡା ଅଖା ଦୁଇ ଖଣ୍ଡ ପକେଇ ଦୁଇଟି ଆସନ ଠିକ୍ କରିଥାଏ । ଗୋଟିକରେ ସେ ବସେ, ଅନ୍ୟଟି କ୍ଷୌର ହେବା କର୍ତ୍ତାଙ୍କ ପାଇଁ ।

 

ଗାଆଁର ତା’ରି ସାଙ୍ଗମାନେ ଜାଣନ୍ତି ଶାମ କେଉଁଦିନ ଘରେ ରହୁଛି । ସେଇ ଦିନ ଠିକ୍ ସମୟରେ ସେମାନେ ଯାଇ ତା’ ପାଖରେ ଭିଡ଼ ଜମେଇ ଦିଅନ୍ତି । ସୁଖ ଦୁଃଖ ଦି’ ପଦ କଥା ଲାଗନ୍ତି । ଶାମ ତା’ର ପିଲା ଦିନ ବାହାଦୂରୀ ଗପଗୁଡ଼ିକ ଏକା ନିଃଶ୍ୱାସକେ କହି ଯାଉଥିବା ସଙ୍ଗେ ସଙ୍ଗେ ଯେତେବେଳେ ଯେଉଁ ଯନ୍ତ୍ରଟି ବାହାର କରିବା କଥା ଚମଡ଼ା ମୁଠିରୁ ବାହାର କରି ଖିଅର କରିବାରେ ଲାଗିଯାଏ । ବିଶେଷତଃ ରାଜାଙ୍କ ବାହା ଘରକୁ କିପରି କାମ କରି ସେ ରାଜାଙ୍କଠାରୁ ଦୁଇମାଣ ଭଲ ଜମି ଜାଗିରି ପାଇଥିଲା କହି ବସେ । ଜଣକ ପରେ ଜଣକ ଖିଅର ପଛେ ସରିଯାଏ କିନ୍ତୁ ଶାମାର ଗପ ସରେ ନାହିଁ । ସତେ ଯେମିତି ଅପାର ଆନନ୍ଦ ସେ ସେଥିରୁ ପାଉଛି । କେତେକ ଖିଅର ହୋଇ ପଇସା ଦିଅନ୍ତି । ଆଉ କେତେକ କଅଁଳିଆ କଥା ଦି’ପଦ ଶୁଣେଇ ଦେହ ହାତ ଘଷେଇ ହୋଇ ପଳେଇ ଆସନ୍ତି । ଯେଉଁ ଦିନ ଶାମର ହାଟ ପାଳି ଥାଏ କି ଯଜମାନୀ ଗାଆଁକୁ ଯାଏ ସେଦିନ ନାଣ୍ଡି ବୋଉ ପଡ଼ିଶା ଘର ଝିଅ, ବୋହୂ, ବୁଢ଼ୀମାନଙ୍କ ସହିତ ଗପ ଆଡ଼୍‌ଡ଼ା ଜମେଇ ଦିଏ ସେଇ ଚାଳରେ ।

 

ଶାମର ସଂସାର କହିଲେ ସେ, ତା’ର ସ୍ତ୍ରୀ ଓ ଝିଅ ଛଅ ଏପରି ମୋଟ ଆଠ ଜଣ । ପାଇଥିବା ଜାଗିରି ଜମି ଭାଗରୁ ଓ ଯଜମାନୀରୁ ଯାହା ପାଏ ସେଥିରେ ପରିବାରର ବର୍ଷକ ଖାଇବା ଚଳିଯାଏ, ବେଳ ନାହିଁ । ସଜନା ଗଛଟି ଅଧିକାଂଶ ଦିନ ଶାଗ ତରକାରୀ ଚଳେଇ ନିଏ । ହାଟ ପାଳି ଦିନ ଛତା ମରାମତି ପଇସାରେ ଘରର ତେଲ ଲୁଣ ତୁଲାଏ।

 

ପିଲାଦିନେ ସେ ଚାଟଶାଳୀ ପାଠ ସାରିଥିଲା । କେତେଟା ଭଜନ ଶିଖିଛି । ରାତି ଚାରିଟାରୁ ଉଠି ଭଜନ ଗାଏ । ତା’ ଭଜନ ଶୁଣି ସାହିର ବହ-ଭୁଆଷୁଣୀ ଉଠି ପଡ଼ନ୍ତି । ସକାଳ ହେଲା ବେଳକୁ ଶାମ ନିତ୍ୟକର୍ମ ସାରି ବାରିରୁ ଫୁଲ, ବେଲପତ୍ର ମହାଦେବଙ୍କ ପାଇଁ ତୋଳି ଗାଧୋଇ ସାରିଥାଏ । ତା’ର ଜୀବନ ହେଉଛି ରୁଟିନ୍ ବନ୍ଧା । କୌଣସି ଗୋଟିକର ବ୍ୟତିକ୍ରମ ହେଲେ ତାହା ପୁରଣ ହୋଇପାରେ ନାହିଁ । ଠିକ୍‌ ସମୟରେ କିପରି କାମ ସବୁ ହୋଇ ପାରିବ ସେଥିପ୍ରତି ସବୁବେଳେ ସାବଧାନ ଥାଏ । ସବୁଦିନେ ସକାଳେ ସନ୍ଧ୍ୟାରେ ଗାଆଁ ମୁଣ୍ଡ ପୋଖରୀ କୂଳେ ଥିବା ମହାଦେବଙ୍କ ମନ୍ଦିରକୁ ଯାଇ ଦର୍ଶନ କରିବା ତା’ର ଅଭ୍ୟାସ । ରୁଟିନ ବନ୍ଧା ଜୀବନରୁ ଅନ୍ୟ କାମ ଗୁଡ଼ିକ ବନ୍ଦ ହୋଇପାରେ କିନ୍ତୁ ଦିଅଁ ଦର୍ଶନ ବାଦ୍ ଯିବ ନାହିଁ । ସକାଳେ ଦିଅଁ ଦର୍ଶନ ସାରି ଶାମ ଚା’ ପିଇଲା ବେଳକୁ କୁଆ କାଆ କରେ ।

 

ସବୁଦିନ କାହାର ଭାଗ୍ୟାକାଶ ପୂର୍ଣ୍ଣିମାର ଚନ୍ଦ୍ର କିରଣରେ ଆଲୋକିତ ହୋଇ ନାହିଁ କି ଅମାବାସ୍ୟାର ଘନ ଅନ୍ଧକାର ଢ଼ାଙ୍କି ରଖି ନାହିଁ । ସୁଖ ଦୁଃଖର ଏ ଦୁନିଆ ସମୟ ସ୍ରୋତରେ ସବୁ ଓଲଟ ପାଲଟ ହୋଇ ଯାଉଛି । ଘର ଦୁଇ ବର୍ଷ ହେଲା ଛାଉଣୀ ହୋଇନାହିଁ । ଛଣ ପଚି କଣା ହୋଇଗଲାଣି । ଶୁକ୍ଳ ପକ୍ଷର ଚନ୍ଦ୍ର ଓ ଅମା ରାତ୍ରିର ତାରକାଗଣଙ୍କୁ ଘରେ ବସି ଦେଖି ହେଉଛି । ଅସରାଏ ବର୍ଷା ହୋଇଗଲେ ଆଶ୍ରୟ ନେବାକୁ ସ୍ଥାନ ନାହିଁ । ଗଲା ବନ୍ଦୋବସ୍ତରେ ଭାଗ ଚାଷୀମାନେ ଜମି ଦି’ମାଣକ ପଟ୍ଟା କରି ନେଲେ । ଏବେ ଖୁଞ୍ଚା ଦେବାକୁ ଛଣ ଦି’ ବିଡ଼ା ସଂଗ୍ରହ କରି ହେଉନି । ହେଲେ ବି ନଟ ନାଗର ଶ୍ୟାମଙ୍କ କୁଞ୍ଜବନ ପରି ଶାମର ଭଙ୍ଗା ରୁଜା ଘର ଖଣ୍ଡକ ଗଛ ଗହଳି ଭିତରେ ମୁଣ୍ଡ ଟେକି ରହିଛି । କୃଷ୍ଣଚୂଡ଼ା ଓ ତରାଟ ଗଛର ଫୁଲ ଓ ବେଲ ଗଛର ଫଳ ଏ କୁଞ୍ଜବନର ଶୋଭାକୁ ବହୁ ଗୁଣରେ ବଢ଼େଇ ଦେଉଛନ୍ତି । ଖରାଦିନ ରାତିରେ ଗରମ ଲାଗିଲେ ଶାମ ଖଜୁରୀ ପାଲ ପଟିଆଟେ କୃଷ୍ଣଚୂଡ଼ା ମୂଳେ ପକେଇ ଭଜନ ଗାଏ । ସଂଧ୍ୟାର ଧୀର ପବନରେ କୃଷ୍ଣଚୂଡ଼ାର ଫୁଲ ତା ମୁଣ୍ଡ ଉପରେ ବିଞ୍ଚି ହୋଇ ପଡ଼ନ୍ତି । ସତେ ଯେମିତି ଦିଅଁ ଶାମକୁ ଆଶୀର୍ବାଦ ଦେଇ ପୁଷ୍ପ ବୃଷ୍ଟି କରୁଛନ୍ତି ।

 

ଦିନେ ନାଣ୍ଡିର ପହିଲି ଡାକରେ ହସି ଉଠିଥିଲା ଏଇ ଘର । ନୀରସ ମନ ତାଙ୍କର ସରସ ହୋଇ ଉଠିଥିଲା । ନିର୍ଜନ କୁଞ୍ଜବନକୁ ମୁଖରିତ କରିଥିଲା ନାଣ୍ଡି । ନାଣ୍ଡିକୁ ତିନି ବର୍ଷ ନ ପୂରୁଣୁ ଆଉ ଜଣଙ୍କର ନୂଆ ଡାକ ଶୁଣାଗଲା ଏଇଘରେ । ବାପା ମାଆ ଡାକ ନାମ ତା’ର ରଖିଲେ ଆଶା-। ପୁଅଟିଏ ପାଇଁ ସେମାନଙ୍କ ମନ ସବୁବେଳେ ବ୍ୟାକୁଳ କିନ୍ତୁ ଦୁଇ ବର୍ଷ ପରେ ଜନ୍ମ ନେଇଛି ତୃତୀୟ ଝିଅ ନିରାଶା ।

 

ନାଣ୍ଡିର ପାଠ ପଢ଼ା ବୟସ ହୋଇଯାଇଛି । ଦିନେ ମାଷ୍ଟ୍ରେ ଆସି କହିଲେ, ଶାମ ବାବୁ ! ଝିଅର ପାଠ ପଢ଼ିବା ସମୟ ତ ହୋଇ ଗଲାଣି । ଏ ବର୍ଷ ନାଆଁଟା ଲେଖେଇ ଦେଲେ ସେ ପାଠ ପଢ଼ିବ । ଝିଅ ପାଠ ପଢ଼ିବ । ଶାମ ବହୁତ ଖୁସି । ସେ ପିଲାଦିନେ ଭୂଇଁ ଖଡ଼ି ଧରି ଭୂଇଁରେ ମୁଣ୍ଡଳା କାଟିଥିଲା । ସ୍ୱରେ-ଅ, ସ୍ୱରେ-ଆ ଲେଖିଥିଲା । ପାଣୁ ଅବଧାନେ ପଢ଼େଇ ଥିଲେ । ଆଜି ତା ଝିଅ ସିଲଟ ଖଡ଼ି ଧରି ଲେଖିବ । ସ୍କୁଲକୁ ଯିବ । ମାଷ୍ଟ୍ରଙ୍କ କଥା ଶୁଣି ଶାମ ଆବେଗରେ କହି ପକେଇଲା ହଁ, ଆଜ୍ଞା ! ଯିବ । ଶ୍ରୀପଞ୍ଚମୀକୁ ପାଞ୍ଚ ବର୍ଷ ପୂରୁଛି । ତା ଖଡ଼ିଟା ଛୋଇଁ ଦେବା, ସେ ପଢ଼ିବାକୁ ଯିବ । ମାଷ୍ଟ୍ରେ ଶାମର ଆଶ୍ୱାସନା ବାଣୀ ଶୁଣି ବିଦ୍ୟାଳୟକୁ ପ୍ରତ୍ୟାବର୍ତ୍ତନ କଲେ । ଶାମ କଥା ମନରେ ରହିଲା ।

 

ଶ୍ରୀପଞ୍ଚମୀ ଆସିଲା । ଶାମ-ନାଣ୍ଡି ବୋଉ, ନାଣ୍ଡିକୁ ପାଞ୍ଚ ହେଲା, ଖଡ଼ି ଛୋଇଁବା, ପାଠ ପଢ଼ିଯିବ ।

ନାଣ୍ଡି ବୋଉ–ମଲା ମୋର, ମାଇପି ଝିଅଟା ପାଠ ପଢ଼ୁଛି ? କ’ଣ ଡେପୁଟି ହେବ ? ପର ଘରେ ହାଣ୍ଡି ଧୋଇବ । ଆମ ବାରିକ ସମାଜରେ ଗାଆଁର ପାଞ୍ଚ ବହୁଭୁଆଷୂଣୀଙ୍କ ନଖ ଫିଟେଇଲେ ଖାଇବାକୁ ପେଟ ନାହିଁ ।

 

-ହଁ ସତ କଥା ଯେ ହେଲେ ଖାଲିଟାରେ ଘରେ ବସିଛି ସ୍କୁଲକୁ ଯାଇ ପଢ଼ିବ । ଗାଆଁର ବ୍ରାହ୍ମଣ, କରଣ, ବଡ଼ ବଡ଼ ଘରର କେତେ ଝିଅ ଯାଉଛନ୍ତି । ଦି’ ଅକ୍ଷର ପଢ଼ିଲେ କ୍ଷତି କ’ଣ ? ଡେପୁଟି ନ ହେଲେ ବହି ପୁରାଣ ଖଣ୍ଡେ ତ ପଢ଼ି ପାରିବ ।

 

ଶାମର ପ୍ରସ୍ତାବ ନାଣ୍ଡି ବୋଉର ଉତ୍ତରରେ ଖାଟ ଖାଇ ଗଲା । ନାଣ୍ଡିର ପାଠ ପଢ଼ା ସେତିକିରେ ରହିଲା । ଆଶା ବଡ଼ ହେଲାଣି । ତା’ର ପାଠ ପଢ଼ିବା ସମୟ ହେବାରୁ ଶାମ ପୁଣି ସ୍ତ୍ରୀକୁ କହିଲା, ନାଣ୍ଡି ତ ପଢ଼ିଲା ନାହିଁ ସେ ତୁମକୁ ଘର କାମରେ ସାହାଯ୍ୟ କରୁ, ଆଶା ପଢ଼ିବାକୁ ଯାଉ ।

 

ନାଣ୍ଡି ବୋଉ-ମଲା ମୋର, ଖାଲି ପାଠ ପାଠ । ତିରିଲା ଝିଅ ଗୁଡ଼ାକୁ ପଢ଼େଇଲେ କ’ଣ ହେବ । ଚାକିରି କରି ପୋଷିବେ ?

 

ଶାମ-ହଇ ହେ, ଚାକିରି ନ କଲେ କ’ଣ ହେଲା । ହେଇ, ରାଇ ଗୁରୁଙ୍କ ଝିଅ କଟକରେ ପଢ଼ୁଛି । ରଘୁର ଝିଅ ବୃତ୍ତି ପାଇ ପଢ଼ୁଛି । ସରକାର କେତେ ସୁବିଧା କଲେଣି । ଗାଆଁ ଗାଆଁ ସ୍କୁଲ-। ଶାଗ ପଖାଳ ଖାଇ ଦି’ଅକ୍ଷର ପଢ଼ିଯିବ । ପୂର୍ବର ପରଦାପ୍ରଥା ନାହିଁ । ଭଲ ପଢ଼ିଲେ ବାପ ମାଆଙ୍କୁ ଖର୍ଚ୍ଚ କରିବାକୁ ପଡ଼ୁନାହିଁ । ସରକାର ସବୁ ଦେଉଛନ୍ତି । ପୁଅ ହେଉ କି ଝିଅ ହେଉ ଯେ ଯୋଗ୍ୟ ହେଲା ସେ କାମ କଲା । ଭାଗ୍ୟରେ ଥିଲେ ଦୁଃଖ ଯିବ । ମୋ କଥାରେ ଅମଙ୍ଗ ହୁଅ ନାହିଁ-। ଆମ ବେଳେ ବ୍ରିଟିଶ ସରକାର ଏତେ ସୁବିଧା କରି ନ ଥିଲା । ନ ହେଲେ ତୁମେ କ’ଣ ଏଇ କୁଞ୍ଜବନରେ ଶାମଙ୍କ ସଙ୍ଗେ ଲୀଳା କରୁଥାନ୍ତ ? ଏଇଛୁଣି କଟକ ସହର କାଠଯୋଡ଼ି କୂଳରେ ବୁଲୁଥାନ୍ତେ ବୁଝିଲ । ମଲା ମୋର କହି ନାଣ୍ଡି ବୋଉ ଘର ଭିତରକୁ ପଳେଇଲେ ।

 

ମାଷ୍ଟ୍ରେ ଦିନେ ପହଞ୍ଚି ଆଶାକୁ ପାଠ ପଢ଼ିବାକୁ ଛାଡ଼ିବାପାଇଁ ଶାମକୁ ବୁଝେଇଲେ ।

ଶାମ-ହଉ ଆଜ୍ଞା, ଆପଣ ଯାଆନ୍ତୁ; ମୁଁ ନେଇ ଯିବି ।

ନାଣ୍ଡି ବୋଉକୁ ଡାକି ଶାମ କହିଲା, ନାଣ୍ଡି ବୋଉ, ମାଷ୍ଟ୍ରେ ଆସିଥିଲେ ଆଶା ପଢ଼ିଯିବା କଥା କହୁଥିଲେ ।

 

ପଢ଼ିବା କଥା ଶୁଣି ନାଣ୍ଡି ବୋଉ ମଣିହରା ଫଣୀ ପରି ଗର୍ଜି ଉଠି କହିଲା, ଗାତ ପଶା ମାଷ୍ଟ୍ରେ ମୋ ଥିଲା ବେଳେ ଆସୁ ନାହିଁ । ତୁମ ପାଖରେ ଭଲେଇ ହେଉଛି କାହିଁକି ? ମୋ ସମାଜ ବାଛନ୍ଦ କଲେ ଯେ ଗିନୀଖିଆ ମାଷ୍ଟ୍ର ମୋତେ ଚଳେଇବ ? ନା ମୋର ଝିୟେ ପଢ଼ିବେ ନାହିଁ । ତାଙ୍କ ପଢ଼ିବା କଥା ମୋ ଆଗରେ କେହି କହିବ ନାହିଁ ।

 

ଶାମ–ହଉ ହଉ ହେଲା, ନାଣ୍ଡି ବୋଉ ଆଉ ପାଟି କରନା । ଲୋକେ ଶୁଣିଲେ କଣ କହିବେ ।

ନାଣ୍ଡି ବୋଉ–କ’ଣ କହିବେ ? ନାଣ୍ଡି ବୋଉ କ’ଣ କାହାକୁ ଡରୁଛି ?

 

ଶାମ–ମୁଁ ନେହୁରା ହୋଇ କହୁଛି ଆଉ ପାଟି କର ନା ! ତୁମ ଝିୟେ ପଢ଼ିଲେ କାହାକୁ ପୋଷିବେ ନାହିଁ କି ନାହିଁ ନ ପଢ଼ିଲେ କାହାକୁ ପୋଷିବେ ନାହିଁ । ଦିନେ ମନେ ପକେଇବ ।

 

ନାଣ୍ଡି ବୋଉର ପ୍ରତିବାଦ ଏବଂ ପରେ ଅର୍ଥାଭାବ ଯୋଗୁଁ ଝିଅଙ୍କ ପଢ଼ା ନୋହିଲା ।

 

ହଇ ହେ ଶୁଣୁଛ ? ତୁମେ ବାହାରିଲଣି । ଏଇ ଛୁଣି ହାଟକୁ ପଳେଇବ । ଘର କଥା କିଛି ବୁଝିଲ ନାହିଁ । ଛୁଆ ଗୁଡ଼ାକ ଘଡ଼ିଏ ଯାଇଥିବ କି ନାହିଁ ଖାଇବାକୁ ମାଗିବେ । କ’ଣ ତୁମକୁ ଶୁଭୁ ନାହିଁ କି ? କିଛି ଉତ୍ତର ଦେଉ ନ ଯେ ?

 

କ’ଣ କହିବି ମ, ମା ପାଖରେ ଅଛି ଯେ ଦେଲିନି । କେଉଁଠୁ ଆଣି ଚଳେଇ ଥା ମୁଁ ହାଟରୁ ଫେରିଲେ ଦେଇଦେବା ।

 

ମଲା ମୋର, କିଏ ବିଶୁଆସ କରିଦେବ କହିଲ । ଗୋପାଳ ମା’ ଖୁଡ଼ି, ମାଧିଆ ବୋଉ, ରାଧାନାନୀ ଏମାନେ ମଣିଷର ଦୁଃଖ କହିଲେ ଶୁଣନ୍ତି । ଯାହାଠାରୁ ଯାହା ଆଣିଛି ଦେଇନି, କିଏ ଦେବ ଯେ ମୁଁ ମାଗିଆଣି ଚଳେଇଥିବି ।

 

ଓଃ, ଯେତେବେଳେ ବାହାରିଲେ କିଛି ନାହିଁ ଖାଲି ପାଟି ପାଟି । ତୁମେ ଯାହା କରୁଛ କରୁଥା, ମୁଁ ବାହାରିଲି । ନାଣ୍ଡି, ନାଣ୍ଡି ଆଲୋ ମା, ମୋ, ଯନ୍ତ୍ରମୁଣିଟା, ଛତାଟା ଦେ, ମୁଁ ଯାଏ ।

 

ନାଣ୍ଡି–ହଁ ବାପା, ଦେଉଛି ।

 

ଝଅଟପଟ ଶାମ ଛିଣ୍ଡାକୁର୍ତ୍ତା ଖଣ୍ଡକ ଦେହରେ ଗଳେଇ ପକେଇ ସାତସିଆଁ ତେଲ ଚିକିଟା ଗାମୁଛଖଣ୍ଡ ନଣ୍ଡା ମୁଣ୍ଡରେ ଠେକାଭିଡ଼ି ବାଡ଼ିଖଣ୍ଡକ ହାତରେ ଧରି ଯନ୍ତ୍ର ମୁଣିଟିକୁ କାନ୍ଧରେ ପକେଇ ହାଟକୁ ବାହାରିଲା ।

 

ବାଟରେ ଗଲାବେଳେ ଅକୁହା କଥାଗୁଡ଼ିକ ନିଜେ କହି ନିଜେ ଶୁଣୁଥାଏ । ଜୀବନ ସାରା ଖଟି ଖଟି ଗଲା, ଦିନୁଟିଏ ବି ବିଶ୍ରାମ ମିଳିଲା ନାହିଁ । ଜାଣେ ନାହିଁ, ସେ ଅଧମ ଭୋଳାନାଥ କେତେ ଶାନ୍ତି ଦେବ । ଲୋକେ କହନ୍ତି, ଭୋଳାନାଥ ଶୀଘ୍ର ଗୁହାରି ଶୁଣେ । ସେଥିପାଇଁ ବ୍ୟବସାୟୀ ଗୋଷ୍ଠୀ ତା’ର ସେବା କରନ୍ତି । ତାଙ୍କ ବ୍ୟବସାୟ ଦିନକୁ ଦିନ ବଢ଼ୁଛି । ମୋର ଏ ଛୋଟ ବ୍ୟବସାୟଟା ବୋଧହୁଏ ତାଙ୍କ ପସନ୍ଦ ଆସିଲା ନାହିଁ ।

 

ଆଜି ବାଟ ସରୁ ନାହିଁ । ହାଟ ଆହୁରି କୋଶେ ବାଟ ଅଛି । ଶୀତଦିନ ସୂର୍ଯ୍ୟ ଆଉ ଟିକକୁ ମୁଣ୍ଡ ଉପରକୁ ଆସିଯିବେ । ଡେରି ହୋଇଗଲାଣି । ଲୋକେ ହାଟରେ ଜମି ଯିବେଣି । ମରାମତି ପାଇଁ ଯାହା ମିଳିବାର କଥା ମିଳିଲା ପରି ଲାଗୁ ନାହିଁ । ହାଟରେ ପହଞ୍ଚିଲାବେଳକୁ ସୂର୍ଯ୍ୟ ମୁଣ୍ଡ ଉପରୁ ଗଡ଼ିଥିବେ । ଘରେ ଆଠଜଣ ଖାଇବାକୁ । ଦିନମାନେ ନ ପାଇଲେ ବି ରାତିକି ଦି’ଟା ନ ଖାଇଲେ ରହିବେ କେମିତି ?

 

କି ଶାମଦାଦି, ପାଗଳଙ୍କ ପରି କ’ଣ ବରବର ହେଉଛୁ ମ ? ଘରେ ଆଜି କିଛି ଘଟିଛି ପରି ଜଣାଯାଉଛି ।

 

ହଁରେ ରାଧୁ, ଆଉ ବଳବଅସ ନାହିଁ କି ପୂର୍ବର ଜିନିଷ ନାହିଁ । ଖାଲି ଟଙ୍କା, ଟଙ୍କା । ପରିବାର ଖର୍ଚ୍ଚ ତୁଲେଇବା ଅସମ୍ଭବ ହୋଇପଡ଼ୁଛି । କଳିଗୋଳ ହେବାଟା ସ୍ୱାଭାବିକ । ମୋ ପିଲାବେଳେ ଦି’ଅଣା ହେଲେ କୁଟୁମ୍ବଟେ ଦି’ଦିନ ଚଳୁଥିଲେ । ଆଜି ଆଳୁକିଲୋ ଟଙ୍କେ, ବାଇଗଣ ଟଙ୍କେ, ଶିମ୍ବ ଟଙ୍କେ, ସବୁ ଟଙ୍କେ । କୋବି କିଲେ ଦି’ଟଙ୍କା । ବଡ଼ବଡ଼ିଆ ଧନୀଲୋକେ କୋବି ଖାଇଲେ ଗରିବମାନେ ପତ୍ରକୁ କୋବି ଭାବି ଖାଉଛୁ । ଛୁଆପିଲାଙ୍କୁ ଖାଲି ଭାତମୁଠେ ଯୋଗେଇବା ଅସମ୍ଭାଳ ହୋଇପଡ଼ୁଛି । ତରକାରୀ କଥା ଛାଡ଼ । ଘରେ ତରକାରୀ ନ ଥିଲେ ପଖାଳଦି’ଟା ପିଆଜୁଟେ ହେଲେ ଚଳୁଥିଲା । ବର୍ତ୍ତମାନ ତା’ ବି ବନ୍ଦ । କେତେକଙ୍କର ଚାହାଟିକେ ପିଇବାର ଅଭ୍ୟାସ ଅଛି । ଚିନି ବି ମିଳୁ ନାହିଁ । ଏତେ ଦାମ୍ ଦେଲେ ବି ଦୋକାନୀର କିଲୋକ ନଅଶହ ଗ୍ରାମ୍ । ଗରିବଗୁରୁବାମାନେ ମଲେପରା, ସମସ୍ତେ ତାକୁ ଲୁଟି ଖାଇଗଲେ । ଲୁଗାପଟା କଥା ଛାଡ଼ ।

 

ହଁ ଦାଦି, ବେଳ ମୁଣ୍ଡ ଉପରୁ ଗଡ଼ିଲାଣି । ତୁ ବୁଢ଼ାଲୋକ ଗୋଟିଏ ଗୋଟିଏ ଆସୁଥା ମୁଁ ଯାଉଛି ।

 

ହଁ ପୁଅ ତୁ ଯାଆ, ଯାଆ, ମୁଁ ଯାଉଛି । ପୁଣି ତା’ର ବରବର ଆରମ୍ଭ ହେଲା । ତାର ସାଙ୍ଗ ହୁଁ କହି ନାହାନ୍ତି କି ଦୁଃଖ ଶୁଣିବାକୁ କି ଦେଖିବାକୁ କେହି ନାହିଁ ।

 

ହାଟରେ ପହଞ୍ଚିଲା ବେଳକୁ ଦିନ ଦି’ଟା । ନିଜ ଜାଗାରେ ଯନ୍ତ୍ରପାତିକୁ ସଜେଇ ବସିଲା । କେତେଜଣ ଧରା ବନ୍ଧା ଗରାଖ ଅପେକ୍ଷାରେ ଥିଲେ । ସେମାନେ ପହଞ୍ଚି ଆରମ୍ଭ କଲେ, ଦାଦି ! ଆଜି ଏତେ ଡେରି କାହିଁକି କଲୁ ? ଦୁଇ ତିନି ଥର ଫେରିଲୁଣି । ଦେଖ୍ ଦେଖ୍ ମୋରଟା ଆଗ ସଜେଇ ଦେ ମତେ ବହୁତ ବାଟ ଯିବାର ଅଛି ।

 

ହଁ ହଁ ସଜେଇ ଦେଉଛି ପୁଅ । ଏ ଗରିବ ପ୍ରତି ଟିକେ ଦୟା ରଖିଥିବ । ତୁମରିମାନଙ୍କ ଉପରେ ଭରସା ରଖି ଏ ବୁଢ଼ା ବୟସରେ ଏତେ ବାଟ ଚାଲି ଆସୁଛି । ଶାମ ଛତା ସଜେଇ ବସିଲା-

 

ଲୋକେ ହାଟରୁ ଫେରିବାକୁ ଆରମ୍ଭ କଲେଣି । ଆଉ କେହି ଆସୁ ନାହାଁନ୍ତି । ଶାମ ନିଜର ରୋଜଗାର ଦେଖିଲା ଏକଟଙ୍କା ଚାରିଅଣା ହୋଇଛି । ଯାହାହେଉ ଆଜି ରାତି ଓଳିଟା ଚଳିଯିବ । ଯାଏ ଚାଉଳ ପନିପରିବା କିଛି କିଣିଆଣେ, ସଅଳ ନ ଗଲେ ଅନ୍ଧାର ହୋଇଯିବ । ବୁଢ଼ା ଉଠିଲା ।

 

ଦାଦି, ଦାଦି ଏ ଶାମା ଦାଦି, ରହ ମୁଁ ତୋ ପାଖକୁ ଆସୁଛି । ତୁ କୁଆଡ଼େ ଯାଉଛୁ । ରହ ଟିକେ ।

ଶାମ–ହଉ କ’ଣ କହୁଛୁ ।

 

–କ’ଣ କହୁଥିଲି କି ଏଇ ବାରବାଟି ରାଇଫଲ ଟିକେଟଟେ ନେ । ଆଉ ଦୁଇ ଦିନରେ ଉଠାଣ ହେବ । ଯଦି ଉଠିଗଲା ନ ଏକାଥରକେ ପନ୍ଦର ହଜାର । ହଜାର ପତି ବୁଝିଲୁ ଦାଦି । ତୋତେ ଆଉ ଏ ଛତା ମରାମତି ବେପାର କରିବାକୁ ପଡ଼ିବ ନାହିଁ ।

 

ଶାମ–ଠିକ୍ କହୁଛ ପୁଅ, କିନ୍ତୁ ମୋଦ୍ୱାରା ହୋଇ ପାରିବ ନାହିଁ । ରୋଜଗାର ନାହିଁ । ଘର ଖର୍ଚ୍ଚ ଚଳେଇବା କଷ୍ଟକର । ଟିକଟ କିଣିବି କ’ଣ ? ଅନ୍ୟ କାହା ପାଖରେ ଦେଖ୍ ।

 

–ନାଇଁ ମ ଦାଦି, ମୋ କଥା ମାନ୍, ମୋଟେ ଟଙ୍କାଟେ, ଡରୁଛୁ କାହିଁକି ? ମୁଁ କାଟି ଦେଉଛି ।

 

ଶାମ–ନାଇଁ ପୁଅ କାଟେ ନା, ଆଜି ରୋଜଗାର ମୋଟେ ଏକଟଙ୍କା ଚାରିଅଣା । ଘରେ ଛୁଆମାନେ ଚାହିଁ ବସିଥିବେ । ନେଲେ ହାଣ୍ଡିରେ ପଡ଼ିବ ତା’ପରେ ତୋ ଖୁଡ଼ୀ ଯଉ ମୁଖୁରା ନା ମୋତେ ଘରେ ପୁରେଇ ଦେବ ନାହିଁ । ତୁ ଥାଆ ପୁଅ ମୁଁ ଯାଉଛି ।

 

–ଦେଖ୍ ଦାଦି ତୋତେ ଭଲରେ କହୁଛି ମୋ କଥା ଶୁଣୁ ନାହୁଁ । ଲେଖି ସାରିଲିଣି ଟିକଟ ତୋତେ ନେବାକୁ ପଡ଼ିବ । ଧର ନେ ।

 

ଶାମ–ରାଜୁ ତୁ ଜବରଦସ୍ତ ଦେଉଛୁ ଆଜି ଆଠ ପ୍ରାଣୀ ଉପାସ ରହିବେ । ହଉ ନେ । ଟଙ୍କାଟି ବୁଢ଼ା ରାଜୁ ହାତକୁ ଥର ଥର ହାତରେ ଅନିଚ୍ଛା ସତ୍ତ୍ୱେ ବଢ଼େଇ ଦେଲା । କାଗଜ ଖଣ୍ଡ ଯନ୍ତ୍ରପାତି ମୁଣ୍ଡିରେ ପୁରେଇ ଘରକୁ ବାହାରିଲା।

 

ହଠାତ୍ ଅଦିନ ମେଘ ଉଠେଇ ଅସରାଏ ବର୍ଷା ହୋଇଗଲା । ଚାରିଆଡ଼ ଅନ୍ଧାର । ବାଟ ଦିଶୁ ନାହିଁ । କେତେବେଳେ କେମିତି ବିଜୁଳିରେ ବାଟ ଟିକିଏ ଦିଶୁଛି । କାଲୁଆ ପବନରେ ରକ୍ତ ଜମାଟ ବାନ୍ଧିଗଲା ପରି ଲାଗୁଛି । ଗୋଡ଼ ଅବଶ ହୋଇ ଝୁଣ୍ଟି ଖଣ୍ଡିଆ ହୋଇ ଗଲାଣି । ଆସନ୍ତା କାଲିର ଯୋଜନା ପ୍ରସ୍ତୁତ କରି ବୁଢ଼ା ଚାଲିଛି ।

 

କାଲି ହାଟ ପାଳି ନାହିଁ । ମଙ୍ଗସପୁର ଯିବି । ସୁବୁଦିଙ୍କର ଶୁଦ୍ଧିକାମ କହି ପଠେଇଛନ୍ତି । ବଡ଼ ଘର ଭଲ ବିଦାକି ମିଳିବ । ପଅରିଦିନ ଚକରାମାଳ ଯିବି । ଯଜମାନୀ ଗାଆଁ, ଖିଅର ପାଳି ଅଛି । ଆଜିକାଲିର ପିଲାଗୁଡ଼ାକ ମୋ ଖିଅର ପସନ୍ଦ କରୁ ନାହାଁନ୍ତି । ଦୁଇ ଖଣ୍ଡ ଗାଆଁର ବର୍ତ୍ତନରେ ଚଳି ଯାଉଥିଲା । ହେଲେ ବାପ ମୋ ପାଖରେ ପୁଅ ଅନ୍ୟ ପାଖରେ ଖିଅର ହେଲେ ଚଲିବ କେମିତି ? ଏ ଆଡ଼ର ରୋଜଗାର କମିଲା । ଖାଲି ହାଟ ପଇସାରେ କୁଟୁମ୍ବ ଚଳେଇବା କଷ୍ଟକର । ଘରେ ଏଡ଼େ ବଡ଼ ବଡ଼ ଝିଅଗୁଡ଼ାକ ଅଛନ୍ତି, ଗାଆଁର କାହା ଘରେ ପାଇଟିଏ କଲେ କିଛି ମିଳି ଯାଆନ୍ତା । ମାଆ ଛାଡ଼ୁ ନାହିଁ । ତେବେ ମୋତେ ସାହାଯ୍ୟ କରିବାକୁ କେହି ନାହାଁନ୍ତି । ଏ ବୟସରେ ଏକୁଟିଆ କ’ଣ କରିବି । ଘରେ ପହଞ୍ଚିଲା ବେଳକୁ ରାତି ଘଡ଼ିଏ । ନାଣ୍ଡି ବୋଲି ଚୁଲିରେ ଭାତ ପାଣି ବସେଇ ଚାହିଁ ବସିଛି । ବୁଢ଼ା ପିଣ୍ଡାରେ ମୁଣିଟି ଥୋଇ ଦେଇ ବସି ପଡ଼ିଲା । ନାଣ୍ଡି ବୋଉ ମୁଣିଟି ତରବର ହୋଇ ଅଣ୍ଡାଳି ପକେଇ ରାଗରେ ଗର୍ଜି ଉଠି କହିଲା, କିହୋ, କିଛି ନାହିଁ କି ?

 

ଶାମ–ନାଇଁ କିଛି ନାହିଁ । ମୁଣି ଭିତରେ କାଗଜଟା ତିନ୍ତି ଯାଇଥିବା ଚୁଲି ମୁଣ୍ଡରେ ଶୁଖେଇ ରଖି ଦେ ।

 

ନାଣ୍ଡି ବୋଉ ମୁଣି ଭିତରୁ ଓଦା କାଗଜ ଖଣ୍ଡ ବାହାର କରି ଏଟା କି କାଗଜ କି ?

 

ଶାମ–ଲଟେରୀ କାଗଜ ।

-ଏଁ, ଛୁଆମାନଙ୍କ ପେଟରେ ଦିନମାନ ଦାନା ପଡ଼ି ନାହିଁ ଲଟେରୀ ଟିକଟ କିଣା ହୋଇଛି-। ଏଇ ପୋଡ଼ା ଖୁଣ୍ଟାକୁ ରାନ୍ଧି ଦେବି ଖାଇବ ।

 

ଶାମ–ନାଣ୍ଡି ବୋଉ, ମୁହଁ ସମ୍ଭାଳି କଥା କହ, କି ଅବସ୍ଥାରେ ମୁଁ ଆସି ପହଞ୍ଚିଛି ଦେଖୁ ନାହିଁ । କ’ଣ ହେଲା ନା ଖାଇବା ଚିନ୍ତା । କାହିଁକି ଏତେ ଛୁଆ ଜନ୍ମ କଲ କି ?

 

ହଁ, ଜନ୍ମ କଲି ଯେ ଦୋଷ ହେଲା । ମୋ ବାପା ଘରୁ ଆସିଲା ବେଳେ ଛଅଟାଙ୍କୁ ଆଣି ତୁମ ବେକରେ ବାନ୍ଧି ଦେଇଛି ।

 

ଶାମ–ଥାଉ ଥାଉ । ଚୁପ ରୁହ । ସେଥିପାଇଁ ଦି‘ଟା ଝିଅ ପରେ ମୁଁ କହିଥିଲି ଡାକ୍ତରଖାନା ଯିବାକୁ । ଭବିଷ୍ୟତକୁ କୋଉ କଥା ଥାଏ ତ....? ଖାଲି ପୁଅ ପୁଅ । ମୋ କଥା ମାନିଥିଲେ ଆଜି...। ମୋ ନଟକଣଟା ଦେଲ ମୁଁ ଆସେ ।

 

ନାଣ୍ଡି ବୋଉ ଗରଗର ହୋଇ ନଟକଣଟା ଲଗେଇ ବୁଢ଼ା ପାଖେ କଚଡ଼େଇ ରଖି ଦେଇ କହିଲା, ନିଅ ।

 

ଶାମ ନଟକଣଟା ବାଡ଼ିଖଣ୍ଡ ଧରି ଦିଅଁକୁ ଡାକି ଘରୁ ବାହାରିଲା ।

 

ଖୁଡ଼ୀ, ଖୁଡ଼ୀ, ଖୁଡ଼ୀ, ମ ।

 

ଗୋପାଳ ବୋଉ ଘରେ ଥାଇ–ହେଇ ଗାତପଶା ଆସିଲାଣି । ଏଇକ୍ଷଣି କହିବ ଚାଉଳ ସେରେ ଦିଅ । ତାକୁ ଆଉ ।

 

ଖୁଡ଼ୀ, ଖୁଡ଼ୀ, ଖୁଡ଼ୀ ମ, ଘରେ ନାହଁ କି ?

 

ଭିତରୁ ଜବାବ ମିଳିଲା, ଅଛି ପୁଅ ରହ ଟିକେ ଭାତଟା ଗାଳି ଦେଇ ଯାଉଛି ।

 

ଶାମ–ଖୁଡ଼ୀ, ଆଜି ହାଟକୁ ଟିକେ ଡେରିରେ ଗଲି । କିଛି ହେଲା ନାହିଁ । ଛୁଆ ଗୁଡ଼ାକ ଉପାସ, ଚାଉଳ ଦେଢ଼ ସେରେ ଦେଇ ଥାଅ ।

 

କୁଆଡ଼ୁ ଆସିବ । ଧାନ ଆଜି କୁଟି ନାହିଁ ।

 

ଶାମ–ସେରେ ହେଲେ ଦିଅ । ମେଘ ଅନ୍ଧାରରେ ଏ ବୁଢ଼ା ପୁଅ ତୋର କୁଆଡ଼େ ଯିବ ।

 

ଆଚ୍ଛା, ରହ ଦେଖେଁ । ଖୁଡ଼ୀ ଘରୁ ଚାଉଳ ସେରେ ଆଣି ଦେଲେ ।

 

ଶାମ ଚାଉଳ ସେରକ ଘରେ ଦେଇ ଦିଅଁ ଦର୍ଶନ ପାଇଁ ମନ୍ଦିର ବାହାରିଲା । ବାଡ଼ି ଖଣ୍ଡକ ଠକ୍ ଠକ୍ କରି ଚାଲିଛି । ବାହାରେ ଥଣ୍ଡା ପବନ ଯୋଗୁଁ ଲୋକମାନେ ଘରେ ପଶିଛନ୍ତି । ଗାଆଁ ଦାଣ୍ଡଟା ନିଛାଟିଆ । ଭିତରେ ଥାଇ ଲୋକମାନେ ବାଡ଼ି ଶବ୍ଦ ଶୁଣି ଜାଣିଗଲେ ଯେ ଶାମ ମନ୍ଦିରକୁ ଯାଉଛି । ରାତି ଆଠଟା ହେଲା । ଝଡ଼ବତାସ, ମେଘ ଅନ୍ଧାର, କି ଅନ୍ଧାର ରାତିରେ ତା’ର ସାଥୀ ଏଇ ନଟକଣଟା । ସେ ନଟକଣ ଆଲୁଅରେ ବାଟ ଦେଖାଯାଏ ନାହିଁ । କେଉଁ ଯୁଗର ସେଥିରେ ଛୋଟ ଲ୍ୟାମ୍ପ କାଚ ପରି କାଚ ଖଣ୍ଡେ ଲାଗିଛି । ମିଞ୍ଜି ମିଞ୍ଜି ଜଳୁଛି । ଡିବି ପରି, ଖାଲି ଦୂରରୁ ଦେଖିଲେ ଶାମ ଆସୁଛି କି ଯାଉଛି ବୋଲି ଜଣାଯାଏ । ବାଡ଼ି ଖଣ୍ଡକ ଅସଲ ସାଥୀ । ସେ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରି ଶାମର ଚଲାବାଟକୁ ନିରାପଦ ରଖେ । ବୁଢ଼ା ପୋଖରୀରୁ ଗୋଡ଼ ହାତ ଧୋଇ ଦିଅଁ ଦର୍ଶନ ସାରି ଘରକୁ ଫେରିଲା ।

 

ଭୋକରେ ପେଟ ଜଳୁଛି । ଶୀତରେ ଦେହ ଥରୁଛି । ନଟକଣଟା ଘରେ ରଖି ଶାମ ଚୁଲି ମୁଣ୍ଡରେ ଟିକେ ବସିଲା । ଆରମ୍ଭ ହେଲା ପୁଣି ଝଗଡ଼ା । କାହିଁକି ଲଟେରୀ ଟିକଟ କିଣାଗଲା । ଏଇଛୁଣି ଚାଉଳ ସେରେ ହେଲାଣି, ଶୁଝିବ କେମିତି ?

ଶାମ-ନାଣ୍ଡିବୋଉ, ମୋର ବୟସକୁ ଦେଖ, ଏଣେ ପରିବାରକୁ ଦେଖ । ଛୁଆମାନେ ବଢ଼ୁଛନ୍ତି, ଖର୍ଚ୍ଚ ବଢ଼ୁଛି । ମୋର ବଳ କମୁଛି । ରୋଜଗାର ସବୁଆଡ଼ୁ ବନ୍ଦ । ଝିଅ ତିନିଟା ବାହାହେବାକୁ ହେଲେଣି । ଏଣେ ଘରେ ଖାଇବାକୁ ନାହିଁ । ଏକାମ...?

 

-ହଁ, ମୁଁ ବୁଝିଲି । ଝିଅମାନଙ୍କୁ ଅନ୍ୟ ଘରେ କାମ କରି ପେଟ ପୋଷିବାକୁ କହୁଛ ତ ?

 

ଶାମ–ମୁଁ ସେଇୟା ଅନେକ କହି ଆସୁଛି । ମୋ କଥା ମାନୁନା । ତେବେ ମୋର ଯେତିକି ରୋଜଗାର ସେତିକିରେ ଚଳ ।

 

-କାମ କରିବାକୁ ପଠେଇଲେ ଏ ଗାଆଁରେ ମୁହଁ ଟେକି ପାରିବି ? ତୁମେ ସିନା ସକାଳୁ ଗଲେ ସଞ୍ଜେ ଆସୁଛ । ମୁଁ ସବୁବେଳେ ଘରେ ଅଛି । ମୋତେ ରଖି ଥୋଇ ଦେବେଟି ? ଆମ ସମାଜରେ କାହା ଝିଅ କାମ କରି ଯାଉଛି, ଶୁଣେ ?

 

ଶାମ–ଆମ ସମାଜରେ ଝିଅ କାମ କରି ନ ଗଲେ କ’ଣ ହେଲା । ଆମ ଘରେ ଆଜି ଖାଇବାକୁ ନଥିଲା । କାହିଁ ସମାଜ ତ ଭାତ କଂସେ ଦେଲାନାହିଁ ? ଯେଉଁ ସମାଜର ଦୁଃଖରେ ସାହାଯ୍ୟ କରିବାର ଶକ୍ତି ନାହିଁ, ତା’ର କହିବାର ଅଧିକାର ଆସିଲା କେଉଠୁଁ ? ତୁମେ ସମାଜକୁ ଜାବୁଡ଼ି ଧରିଥାଆ ।

 

ପାଟି ଗୋଳରେ ଖିଆ ପିଆ ସରିଲା । ଯେ ଯୁଆଡ଼େ ଶୋଇଲେ । ରାତି ଘଣ୍ଟାକ ପାଟି ବନ୍ଦ । ସବୁଦିନ ପରି ରାତିକରୁ ନିତ୍ୟ କର୍ମ ସାରି ଗାଧୋଇ ଦିଅଁ ଦର୍ଶନ କରି ସକାଳୁ ସକାଳୁ ଶାମ ମଙ୍ଗସପୁର ଚାଲିଲା । କଅଁଳ ଗାଧୁଆ ବେଳକୁ ସୁବୁଦିଙ୍କ ଘରେ ପହଞ୍ଚି ଗଲା । ଦେଖିଲା, ଧୋବ ଧାଉଳିଆ ବାବୁମାନଙ୍କରେ ଘର ଭର୍ତ୍ତି । ସମସ୍ତେ ଘାଟକୁ ଗଲେ । ବୁଢ଼ାମାନଙ୍କୁ ଆଗେ ଖିଅର କରିଦେଲା । ପରେ ଏ ବାବୁମାନଙ୍କର ପାଳି ପଡ଼ିଲା । ଶାମର କ୍ଷୁର କରଞ୍ଚି, ମୁଠି ଇତ୍ୟାଦି ବାବୁମାନଙ୍କ ମନରେ କୌତୁହଳ ସୃଷ୍ଟି କରିଥିଲା । ସେମାନେ ବୁଢ଼ାକୁ ଟାହୁଲି କଲେ । ଶାମ ରାଗ ତମତମରେ କାମ ସାରିଲା । ଖାଇପିଇ ଚାଉଳ ଚାରି ପାଞ୍ଚ ସେରେ, ପରିବା ଦି’ଟା, ମୁଢ଼ି, ଚୁଡ଼ା, ଉଖୁଡ଼ାରୁ କିଛି, ଧୋତି ଖଣ୍ଡେ, ଅଢ଼େଇ ଟଙ୍କା ଧରି ଘରେ ସନ୍ଧ୍ୟାରେ ପହଞ୍ଚିଲା । ଶାମର ବୋକଚା ଦେଖି ନାଣ୍ଡି ବୋଉ ଖୁସି କହିଲେ ନ ସରେ । ଗଣ୍ଠିରି ଖୋଲି ସବୁ ଜିନିଷ ସଜେଇ ରଖି ଝିଅମାନଙ୍କୁ ମୁଢ଼ି ଉଖୁଡ଼ାରୁ କିଛି ବାଣ୍ଟି ଦେଇ ରୋଷେଇରେ ଲାଗି ପଡ଼ିଲା ।

 

ଶାମ ପିଣ୍ଡାରେ କାନ୍ଥକୁ ଆଉଜି ବସି ସବୁ ଦେଖୁଥାଏ । ମନରେ ଅସରନ୍ତି ଭାବନା । ଯାହାହେଉ ବାଲୁଙ୍କେଶ୍ୱର ଦୁଇଦିନର ଖର୍ଚ୍ଚ ଚଳେଇଛନ୍ତି । ଏଇ ଦୁଇଦିନଟା ଶାନ୍ତିରେ କଟେଇବ । ପାଟିତୁଣ୍ଡ ଶୁଣିବାରୁ ରକ୍ଷା ମିଳିବ । କାଲି ଯଦି ଚକରାମାଳରୁ କିଛି ମିଳିଯାଏ..., ଖାଇପିଇ ସମସ୍ତେ ଶୋଇଲେ । ଶାମକୁ ନିଦ ନାହିଁ । ଚାଲି ଚାଲି ଗୋଡ଼ ବିନ୍ଧୁଛି । ତା’ର ସେବା କରିବାକୁ କେହି ପ୍ରସ୍ତୁତ ନୁହନ୍ତି । ବାପାଲୋ ବୋଉଲୋ ହେଇ, ହେଇ କେତେବେଳେ ନିଦ ହୋଇ ଯାଇଛି ।

 

ସକାଳୁ କ୍ଷୁର ମୁଠିଟି ଧରି ଶାମ ଚକରାମାଳ ଗଲା । ସେଠି ଖିଅର ସାରିଲା । ବର୍ତ୍ତନ କେହି ଦେଲେ ନାହିଁ । ପନିପରିବା କିଛି ଧରି ଘରକୁ ଫେରିଲା । ପିଣ୍ଡାଖଣ୍ଡକ ତା’ର ଥକ୍‌କାମରା ଜାଗା । ବୋକଚା ରଖିଦେଇ କାନ୍ଥକୁ ଆଉଜି ବସିଗଲା । କ’ଣ କରିବ । ପଞ୍ଚାକ୍ଷର ମନ୍ତ୍ର ମୁଣ୍ଡକୁ ବିବ୍ରତ କରି ପକଉଛି । ଆଜି ଦିନଟି ଚଳିଗଲା । କାଲି କ’ଣ କରାଯିବ । ହାଟପାଳି କାଲି । ଶୀଘ୍ର ଯିବି । ହେଳା କଲେ ଭେଳା ବୁଡ଼େ । ରାଗରେ ରାବଣ ମଲା । ଗଲା ପାଳି ରାଗଯୋଗୁଁ ଠିକ୍ ସମୟରେ ହାଟରେ ପହଞ୍ଚି ପାରିଲି ନାହିଁ । ତା’ ପରେ ଗଲାବେଳେ ଖାଲି ମାଠିଆ ଦେଖିଲି । ସବୁ ଅଶୁଭ ହୋଇଗଲା ।

 

ପୂର୍ବଦିନମାନଙ୍କଠାରୁ ଆଜି ଶୀଘ୍ର ଉଠି ନିତ୍ୟକର୍ମ ସାରି ଫୁଲ ବେଲପତ୍ର ଧରି ପୋଖରୀକୁ ଚାଲିଲା । ଗାଧୁଆପାଧୁଆ ସାରି ବାଲୁଙ୍କେଶ୍ୱରଙ୍କ କବାଟ ପାଖକୁ ଫୁଲ ବେଲପତ୍ର ରଖି ଦେଇ ମୁଣ୍ଡିଆ ମାରି ଘରକୁ ଆସିଲା ।

 

ଆଜି ନାଣ୍ଡି ବୋଉର ରାଗ ନାହିଁ । ଶାମ ଫେରିଲାବେଳକୁ ଚାହା ହୋଇସାରିଛି । ବାଡ଼ି ଠକ୍‌ଠକ୍ ଶବ୍ଦ ବାହାରୁ ଶୁଣି ନାଣ୍ଡି ବୋଉ ପିଢ଼ାଟା ପକେଇ ଡାକଦେଲା, ଆସ ଚାହା ଥଣ୍ଡା ହୋଇଗଲାଣି, ପିଇଦେବ ।

 

ଓଃ ଆଜି କି ଭାଗ୍ୟ ! ସୂର୍ଯ୍ୟ ପଶ୍ଚିମରେ ଉଦୟ ହେବେ । ଯାଉଛି କହି ଶାମ ରୋଷେଇ ଘରକୁ ଗଲା । ଚାହାମୁନ୍ଦାକ ପିଇ ଉଖୁଡ଼ା ଦି’ଟା ପାଟିରେ ପକଉ ପକଉ ଯନ୍ତ୍ରମୁଣିଟା ବାହାର କରିଦେବା ପାଇଁ ନାଣ୍ଡି ବୋଉକୁ କହିଲା ।

 

-ତୁମେ ଖାଉଥାଅ ମୁଁ ଦେଉଛି ।

 

ଶାମ-ନାଇଁ ମ, ଡେରିହେଲେ ବାଟଯାକ ଖାଲି ହଗରା ନୋଟା, ଖାଲି ମାଠିଆ ଦେଖି ଦେଖି ଯିବ । କିଛି ମିଳିବ ନାହିଁ ।

 

ଶାମର ଏ କଥା ଶୁଣି ନାଣ୍ଡିବୋଉ ତରବର ହୋଇ ଛତା ମରାମତି ଯନ୍ତ୍ରମୁଣିଟା ଆଣି ଥୋଇଦେଲା । ଶାମ କୁର୍ତ୍ତାଖଣ୍ଡ ଦେହରେ ଗଳେଇ ଯନ୍ତ୍ରମୁଣିଟା କାନ୍ଧରେ ପକେଇ ବାଡ଼ିଖଣ୍ଡି, ଗାମୁଛାଟା ଧରି ବାହାରି ପଡ଼ିଲାବେଳକୁ ଦେଖିଲା ଗୁଡ଼ିଆଘର ଝିଅ ଗାଧୋଇ ପାଣିଗରିଏ ଧରି ଫେରୁଛି । ତା’ର ପାକୁଆପାଟିଟା ମେଲେଇ ହୋଇଗଲା । ଭାରି ଖୁସି । ନାଣ୍ଡିବୋଉର ଚାହା, ଏଣେ ପୁରା ଗରା ଦେଖି ବାହାରିଛି । ଗୋଡ଼ର ଗତି ମନକୁ ବଢ଼ିଯାଉଛି । ହାଟରେ ପହଞ୍ଚିଲାବେଳକୁ ଜଣେ ଜଣେ ଆସୁଛନ୍ତି । ଠିକ୍ ସମୟରେ ପହଞ୍ଚିଛି । ନିଶ୍ଚୟ ଭଲ ରୋଜଗାର ହେବ । ଯନ୍ତ୍ରପାତି ସଜେଇ ତା’ ଜାଗାରେ ବସିଗଲା ।

 

କାହିଁ ବେଳ ମୁଣ୍ଡ ଉପରେ ହେଲାଣି, ଜଣକର ବି ଦେଖା ନାହିଁ । ଭାବିଲା ବେଳକୁ ନାଣ୍ଡି ବୋଉର ଚାହା, ଗୁଡ଼ିଆଘର ଝିଅର ଦେହରେ ଜଡ଼ି ଯାଇଥିବା ଓଦା ସରସର ଶାଢ଼ୀ, ପାଣିପୂର୍ଣ୍ଣ ଗରାର ଛବି ତା ଆଖି ଆଗରେ ନାଚି ଯାଉଥିବା ସଙ୍ଗେ ସଙ୍ଗେ ପାକୁଆପାଟିର ଟାକୁଆ ଓଠ ଦି’ଟା ମନକୁ ମେଲେଇ ହୋଇ ଯାଉଥାଏ । ମନକୁ ମନ କହି ଉଠେ ନିଶ୍ଚୟ ରୋଜଗାର ହେବ । ବର୍ତ୍ତମାନ ନ ହେଲେ କ’ଣ ହେଲା ଆଉ ଘଡ଼ିକୁ ହେବ । ଏମିତି ଗରାଖ ପହଞ୍ଚିବେ ଯେ କାମ କରି ପାରିବି ନାହିଁ । ଛାଇ ଲେଉଟବେଳ ହେଲା । ନାଃ, ଆଜି ଆଉ କିଛି ମିଳିବ ନାହିଁ । ଠିକ୍ ଏତିକିବେଳକୁ ଦୁଇଜଣ ଆସି ପହଞ୍ଚିଲେ । ବୁଢ଼ା ଜଣକର ଛତା ସଜାଡ଼ି ତା ହାତକୁ ବଢ଼େଇ ଦେଇ କହିଲା, ବାବୁ, ଚାରିଅଣା ଦିଅ ।

 

ଗରାଖ ଜଣକ-କ’ଣ ହେଲା, ଏଇଟା ଟିକେ ସିଲେଇ କରି ଦେଲ ଯେ ଚାରଣା ? ନା, ନା, ମୁଁ ଚାରଣା ଦେଇପାରିବି ନାହିଁ । ନେବ ତ ପନ୍ଦର ପଇସା ନିଅ ।

 

ଶାମ-ନାଇଁ ବାବୁ, ତୁମରଟା ପହିଲା କାମ । ବଇନି କରିନାହିଁ । ପ୍ରତ୍ୟେକ ଜିନିଷର ତ ଦର ଦେଖୁଛ ! ସୂତା ବି ତ ମହା ମହଙ୍ଗା । ମୁଁ ଠିକ୍ କହିଛି । ବାବୁ କୋଡ଼ିଏ ପଇସା ଦେଇ ପଳେଇଲେ । ବୁଢ଼ାଇ ଆପତ୍ତି ଶୁଣିବାକୁ ବେଳ ନାହିଁ । ଦ୍ୱିତୀୟ ଜଣକର କାମରେ ଶାମ ଲାଗିପଡ଼ିଲା । କିଛି ସମୟରେ ଛତାଟି ସଜେଇ ତାଙ୍କ ହାତକୁ ବଢ଼େଇ ଦେଇ କହିଲା, ଛ’ ଅଣା ବାବୁ ।

 

ସେ ଭଦ୍ରଲୋକ-ମଉସା ! ତାଙ୍କଠାରୁ କୋଡ଼ିଏ ପଇସା ନେଇ ଆଉ ମୋ ଠାରୁ...।

 

ଶାମ-କ’ଣ କରିବା । କାମ ସମସ୍ତେ ଆଦାୟ କରି ଜାଣନ୍ତି । ଜୋର ଜବରଦସ୍ତିକି ଭରସା ନାହିଁ । କଳିଗୋଳ ପାଇଁ ମୋର ବଳ କାହିଁ ? ନ ରଖିଲେ କୋଡ଼ିଏ ପଇସା ଯାଇଥାନ୍ତା । ତୁମର ତ କାମ ବେଶି ହୋଇଛି । ଆଠଣା ହେବା କଥା, ଛଅଅଣା କହିଛି ।

 

-ହଉ ମଉସା, ଧର, ମୁଁ ଯାଏଁ । ବେଳ ଗଲାଣି । ତିରିଶି ପଇସା ବଢ଼େଇ ଦେଇ ବାବୁ ପଳେଇଲେ । ସେଦିନ ବିଚରାର ରୋଜଗାର ମୋଟେ ପଚାଶ ପଇସା । ପଇସା ଗଣିସାରିଲା ପରେ ପାଣିପୂର୍ଣ୍ଣ ଗରା, ନାଣ୍ଡି ବୋଉର ଚାହା ସାଙ୍ଗକୁ ତା’ର ଅତୁଟ ଆତ୍ମବିଶ୍ୱାସ କ୍ଷଣକପାଇଁ ଉଭେଇଗଲା । ପାକୁଆ ପାଟିର ଓଠ ଦୁଇଟି ସଂକୋଚିତ ହୋଇଗଲା ମନକୁ । ଚାହା, ଚିନି ଚାରିଅଣାର କିଣି ଘରକୁ ବାହାରିଲା ।

 

ଘରେ ପହଞ୍ଚିଲାବେଳକୁ ମାଛି-ଅନ୍ଧାର ହୋଇଗଲାଣି । ନାଣ୍ଡିବୋଉ ମୁଣିଟିକୁ ଚିପାଚିପି କରି ଘର କାନ୍ଥରେ ପିଟା ହୋଇଥିବା କଣ୍ଟାରେ ଟାଙ୍ଗି ଦେଉ ଦେଉ କହିଲା କେମିତି ଚଳିବା, ବେଳକୁ ବେଳ ରୋଜଗାର କମିଯାଉଛି । ଆଗପରି କାହା ଘରକୁ ଗଲେ ମାଣେ କି ପୋଷେ ମିଳୁ ନାହିଁ ।

 

ହଁ ହଁ, ଥାଉ ତୋର ଗପର ଗପର, ନଟକଣଟା ଦେ ମୁଁ ମନ୍ଦିରରୁ ଆସେ ।

 

ନାଣ୍ଡିବୋଉ ନଟକଣଟା ଲଗେଇ ଶାମ ପାଖରେ ରଖିଦେଲା । ନଟକଣ ଆଉ ବାଡ଼ିଟା ଧରି ଶାମ ଚାଲିଲା । ପୋଖରୀ ପାହାଚ ଉପରେ ନଟକଣ ରଖି ପୋଖରୀରେ ଗୋଡ଼ ହାତ ଧୋଇ ନଟକଣଟା ଧରି ବାହାରିଲା ମନ୍ଦିରକୁ । ମନ୍ଦିର ମୁକୁଚାଳି ଭିତରକୁ ଯାଉଛି ଠିକ୍ ଏତିକିବେଳେ ଜଗୁ ରଥ କହିଲେ, ଶାମା କାକା, ଗୋଟେ ଖବର ଅଛି । ଶାମ ନଟକଣଟା ତଳେ ରଖି ଦେଇ ଠିଆହୋଇ କହିଲା-–କି ଖବର ।

 

-ତୋର ଦୁଃଖ ଗଲା । ଠାକୁରେ ଏତେ ଦିନେ ତୋ ଗୁହାରି ଶୁଣିଛନ୍ତି ।

 

ଶାମ–ଖବରଟା କହ ମୁଁ ଶୁଣେ ।

 

–ରାଜୁ କହି ପଛେଇଛି, କାଲି ସକାଳୁ ତା’ ପାଖକୁ ଯିବୁ । କଟକ ଯିବ । ତୋର ସେକେଣ୍ଡପ୍ରାଇଜି ଉଠିଛି । ସାଢ଼େ ସାତ ହଜାର, ବୁଝିଲୁ ।

 

ଶାମ–କ’ଣ କହିଲୁ ରଘୁ, ହଜାର, ନା, ନା ତୁ ମୋତେ ଟାହୁଲି କରୁଛୁ । ଆଜିକାଲି ସମସ୍ତଙ୍କ ପାଟିରୁ ଟିକେ କଥାରେ ହଜାର । ଆରେ, ‘‘ପାନ ବରଜରେ ହଜାର ନାହିଁ ତ ଇଟା ଭାଟିରେ ହଜାର ।’’ ମୁଁ ଗଣିବି କୁଆଡ଼ୁ ?

 

–ଶାମା କକା ! ସତ କହୁଛି ବିଶ୍ୱାସ କର । ତୁ କାଲି ସକାଳୁ ତା’ ଘରକୁ ଯିବୁ ।

 

ଜଗୁ ରଥ ଘରକୁ ଗଲେ । ଶାମ ଉତ୍‌ଫୁଲ୍ଲ ଚିତ୍ତରେ ଦିଅଁଙ୍କୁ ମୁଣ୍ଡିଆ ମାରିବାପାଇଁ ମନ୍ଦିର ହାରକୁ ଯାଇ ଜଣେଇଲା ଠାକୁରେ, ମୋ ଗୁହାରି ଶୁଣିଛ । ବାଲୁଙ୍କେଶ୍ୱର ମୋ ଗୁହାରି ଏତେଦିନେ ଶୁଣିଛ । ଧନ୍ୟ ତୋର ମହିମା ପ୍ର...ଭୁ । ଶ୍ୱାସରୁଦ୍ଧ ହୋଇ ଆସିଲା । ବୁଢ଼ା ଟଳି ପଡ଼ିଲା ସେଇଠି ।

 

ନାଣ୍ଡି ବୋଉ ଘରେ ଥାଇ ଭାବୁଛି, ଆଜି ଏତେ ଡେରି ହେଲାଣି । ଏତେବେଳ ଯାଏ ଗଲେ କୁଆଡ଼େ । ସମୟ ଯେତିକି ବଢ଼ିଚାଲିଛି ନାଣ୍ଡିବୋଉର ମନ ସେତିକି ଅଥୟ ହେଉଛି । ସମ୍ଭାଳି ନ ପାରି ବାହାରିଲା ମନ୍ଦିରକୁ । ମୁକୁଚାଳିରେ ପହଞ୍ଚି ଦେଖିଲା, ମିଞ୍ଜି ମିଞ୍ଜି ହୋଇ ଜଳୁଛି ନଟକଣଟା । ଶାମର ଶରୀର ହୋଇଯାଇଛି ନିଶ୍ଚଳ ।

 

***